ବୃଦ୍ଧି ହେଲା ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ଓ ଅବସର ବୟସ ସୀମା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମନ୍ବିତ ଶିଶୁ ବିକାଶ ଯୋଜନାରେ କାମ କରୁଥିବା ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମିଳୁଥିବା ପାରିଶ୍ରମିକରେ ଉଲ୍ଲେଖନୀୟ ବୃଦ୍ଧି କରିଛନ୍ତି । ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ବିଷୟରେ ନିଷ୍ପତ୍ତି ନେବା ପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଏହି ପାରିଶ୍ରମିକ ବୃଦ୍ଧି 2018 ଅକ୍ଟୋବର 1 ତାରିଖରୁ ପିଛିଲା ଭାବେ ଲାଗୁ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅଙ୍ଗନୱାଡି କର୍ମୀମାନେ ପୂର୍ବରୁ 6ହଜାର ଟଙ୍କା ପାଉଥିବା ବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ 7500 ଟଙ୍କା ପାଇବେ । ଏଥିପାଇଁ ରାଜ୍ୟ ସରକାର 4800 ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି 2700 ଟଙ୍କା ।

ମିନି ଅଙ୍ଗନୱାଡି କର୍ମମାନେ ପୂର୍ବରୁ 4125 ଟଙ୍କା ପାଉଥିବା ବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ 5375 ଟଙ୍କା ପାଇବେ । ଏଥିପାଇଁ ରାଜ୍ୟ ସରକାର 3275 ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ହେଉଛି 2100 ଟଙ୍କା । ସେହିଭଳି ଅଙ୍ଗନୱାଡି ସହାୟିକାମାନେ ପୂର୍ବରୁ 3000 ଟଙ୍କା ପାଉଥିବା ବେଳେ ନୂତନ ନିଷ୍ପତ୍ତି ଅନୁଯାୟୀ ମାସକୁ 3700 ଟଙ୍କା ପାଇବେ । ଏଥିପାଇଁ ରାଜ୍ୟ ସରକାର 2400 ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି 1350 ଟଙ୍କା ।

ପୂ୍ବରୁ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ 60 ବର୍ଷ ବୟସରେ କାମରୁ ଅବ୍ୟାହତି ନେଉଥିବା ବେଳେ, ଏବେ ଏହା 62 ବର୍ଷକୁ ବୃଦ୍ଧି କରାଗଲା । ଏହା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । 62 ବର୍ଷ ବୟସରେ ଅବ୍ୟାହତି ନେବା ସମୟରେ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସାମାଜିକ ସୁରକ୍ଷା ପାଇଁ ଯଥାକ୍ରମେ 20ହଜାର ଟଙ୍କା, 15ହଜାର ଟଙ୍କା ଓ 10 ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ପାଇବେ । ଏହା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ ।

ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବର୍ଷକୁ ଥରେ ଖରା ଦିନେ 15 ଦନ ଛୁଟି ପାଇବେ । ଏଣିକି ଅଙ୍ଗନୱାଡି ସୁପରଭାଇଜର ପଦବୀରେ 50 ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରୁ ପୂରଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ହେଉଛନ୍ତି ସମନ୍ବିତି ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − fourteen =