କାହାଣୀ ଆଳରେ କେନ୍ଦ୍ରୀୟ ବିଫଳତାର ତାଲିକା ଦେଲେ ନବୀନ

ଭୁବନେଶ୍ବର (): ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି । ନିକଟରେ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଥୋଇ ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରଶ୍ନ ଛଳରେ ଦେଇଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ୯ଟି ପ୍ରସଂଗକୁ ନେଇ ସଫଳ କାହାଣୀ କହିବି ବୋଲି କହି ପରୋକ୍ଷରେ ସେହି ୯ଟି ପ୍ରସଂଗର ବିଫଳତାକୁ ସେ ଉପସ୍ଥିତ ଦଳର ନେତା ଓ କର୍ମୀମାନଙ୍କୁ ଦର୍ଶାଇଥିଲେ ।

ପ୍ରଥମ କାହାଣୀ – ଜାତୀୟ ରାଜପଥ କ୍ଷେତ୍ରରେ ରାଉରକେଲାରୁ କଟକ ଆସୁଥିଲା ବେଳେ ସମ୍ବଲପୁର ପର୍ଯ୍ୟନ୍ତ କୌଣସି ସମସ୍ୟା ନାହିଁ । କାରଣ ଏହା ବିଜୁ ଏକ୍ସପ୍ରେସ୍‍ ୱେର ଅଂଶ ବିଶେଷ, ଯାହାକି ରାଜ୍ୟ ସରକାରଙ୍କ ସଫଳତାର ପରିଚୟ । କିନ୍ତୁ ସମ୍ବଲପୁର ପରେ ବିନା ବୋର୍ଡ ଦେଖି ଆଖି ବନ୍ଦ କରି ମଧ୍ୟ ଜାଣି ହେବ ଯେ ଜାତୀୟ ରାଜପଥ ଉପରେ ଗାଡ଼ି ଚାଲିଛି । ଯେଉଁ ଯାତ୍ରୀମାନେ ଗମନାଗମନ କରୁଛନ୍ତି, ତାହା ଭଗବାନଙ୍କ ଭରସାରେ ଏବଂ ସମାନ ଚିତ୍ର ବାରିପଦାରୁ ଦେବଗଡ଼ ଜାତୀୟ ରାଜପଥରେ ମଧ୍ୟ ଅନୁଭୂତ ହେଉଛି । ଅପରପକ୍ଷରେ ସାଢ଼େ ୪ବର୍ଷ ହେଲା ଉପକୂଳ ରାଜପଥ ପାଇଁ ଆମେ ଅପେକ୍ଷା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଦ୍ବତୀୟ କାହାଣୀ – ଟେଲିକମ୍‍ କ୍ଷେତ୍ରରେ ବିଏସ୍‍ଏନ୍‍ଏଲ୍‍ ଭାରତ ସରକାରଙ୍କ ବୃହତ ନେଟ୍‍ୱାର୍କ ଥିଲାବେଳେ ଓଡ଼ିଶାର ଅଧା ଗାଁରେ ଏହି ନେଟ୍‍ୱାର୍କ ମିଳୁନାହିଁ । ନେଟ୍‍ୱାର୍କ ପାଇବା ପାଇଁ କେହି ଗଛରେ ଚଢ଼ୁଛନ୍ତି ତ କାହାକୁ ବଡ଼ କୋଠା ଘର ଉପରକୁ ଯିବାକୁ ପଡୁଛି । ମୋବାଇଲ୍‍ ସହ ଗଛ ଚଢ଼ା ଶିଖିବା ଦରକାର ଏବଂ ସହରମାନଙ୍କରେ ନେଟ୍‍ୱାର୍କ ମଧ୍ୟ ସବୁବେଳେ ବ୍ୟସ୍ତ ବୋଲି ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ।

ତୃତୀୟ କାହାଣୀ – ରେଳବାଇ କ୍ଷେତ୍ରରେ ଉନ୍ନତି କେବଳ ଟ୍ରେନ୍‍ ଟିକେଟ୍‍ ଓ ପ୍ଲାଟ୍‍ଫର୍ମ ଟିକେଟ୍‍ ଦରରେ ଆସିଥିବା କହି ସେ ପ୍ରକାଶ କରିଥିଲେ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‍ ଏକ ଗୁରୁତ୍ବପୂର୍ଣ୍ଣ ରେଳ ସଂଯୋଗୀକରଣ ଏବଂ ରାଜ୍ୟ ସରକାର ଏହି ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବା ସହ ମାଗଣାରେ ଜମି ମଧ୍ୟ ପ୍ରଦାନ କରୁଛନ୍ତି । ତଥାପି କାମ ଆଗକୁ ବଢ଼ିପାରୁ ନାହିଁ । ଜଣାପଡୁଛି ଏହି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବୋଧେ ଇତିହାସ ବହିରେ ରହିଯିବ ଏବଂ ପିଲାମାନେ ଏହା ପାଠ କରିବେ ।

ଚତୁର୍ଥ କାହାଣୀ – ନୋଟ୍‍ ବନ୍ଦୀ ଯୋଗୁ ଲୋକମାନଙ୍କୁ ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ହଇରାଣ ହେବାକୁ ପଡିଥିଲା ଏବଂ ଏହି ଅନୁଭୂତି ସମସ୍ତଙ୍କର ରହିଥିବ । ଓଡ଼ିଶାର ଅଧା ଗାଁରେ ବ୍ୟାଙ୍କ ନାହିଁ ଏବଂ ବହୁ ସଭା ଆଲୋଚନା ପରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ ସେବା ମିଳିପାରୁ ନାହିଁ ।

ପଂଚମ କାହାଣୀ – କେନ୍ଦ୍ର ସରକାର ପ୍ରଚାର କରିଥିଲେ ଯେ କୋଇଲା ନିଲାମ ଦ୍ବାରା ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କା ପ୍ରାପ୍ତ ହେବ ଓ ଓଡ଼ିଶାବାସୀଙ୍କ ଦୁଃଖ ରହିବ ନାହିଁ । କିନ୍ତୁ ୩ବର୍ଷ ପରେ ମଧ୍ୟ ମାତ୍ର ୩୭୦ କୋଟି ଟଙ୍କା ମିଳିପାରିଛି ବୋଲି ସେ କହିଥିଲେ।

ଷଷ୍ଠ କାହାଣୀ – ଚାଷୀଙ୍କୁ ଶସ୍ୟ ବୀମା । ଚାଷୀ ଠିକ ସମୟରେ କ୍ଷତିପୂରଣ ପାଇଲା ନାହିଁ। ଚାଷୀଙ୍କ ଲାଭ ନହୋଇ ଘରୋଇ ବୀମା କମ୍ପାନୀଙ୍କର ଲାଭ ହେଉଛି ।

ସପ୍ତମ କାହାଣୀ – ଭାରତୀୟ ଜନତା ପାର୍ଟି ତା’ର ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା, ଦେଢ଼ଗୁଣ ଏମ୍‍ଏସ୍‍ପି ବୃଦ୍ଧି କରିବା ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବ । କିନ୍ତୁ ସାଢ଼େ ୪ବର୍ଷ ବିତିଗଲା ପରେ ମଧ୍ୟ ସରକାରରେ ଥାଇ ଏ ମଧ୍ୟରୁ କୌଣସି ଗୋଟିଏ ପ୍ରତିଶ୍ରୁତି ରକ୍ଷା କଲେନାହିଁ ।

ଅଷମ କାହାଣୀ – ଅପରପକ୍ଷରେ ଜନଜାତି ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ବନ୍ଦ କରିବା ସହିତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ଅର୍ଥ ମଧ୍ୟ ଗତ ୨ବର୍ଷ ହେଲା ବନ୍ଦ କରିଦେଇଛନ୍ତି ।

ନବମ କାହାଣୀ – ରାସ୍ତାଘାଟ, କୋଠାବାଡ଼ିରେ ବଡ଼ ବଡ଼ ହୋର୍ଡିଂ ମାରି କେନ୍ଦ୍ରର ଉଜ୍ବ୍ବଳା ଯୋଜନାକୁ ବହୁତ ପ୍ରଚାର କରାଗଲା । ମା’ମାନଙ୍କର ଦୁଃଖ ଗଲା ବୋଲି ଦାବି କରାଯାଉଛି। କେନ୍ଦ୍ର ସରକାର ୩୦ଲକ୍ଷ ମହିଳାଙ୍କୁ ଗ୍ୟାସ୍‍ ସଂଯୋଗ ଦିଆଗଲା ବୋଲି ଦାବି କରୁଛନ୍ତି । କିନ୍ତୁ ଯେତେଜଣ ଗ୍ୟାସ ପାଇଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ରିଫଲ କରିଛନ୍ତି ଏବଂ ବର୍ତ୍ତମାନ ଏଲପିଜ ଦର କେଉଁଛି ଏକଥା ସମସ୍ତେ ଜାଣନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଶେଷରେ ରାଜ୍ୟର ହକ ପାଇଁ ସରକାର ସୁପ୍ରିମ କୋର୍ଟକୁ ଯିବାକୁ ପଡିଛି । କେନ୍ଦ୍ର ସରକାରଙ୍କ ଏସବୁ ସଫଳତା ଉପରେ ରାଜ୍ୟ ଜବାବ ମାଗୁଛି ବୋଲି କହିଛନ୍ତି ନବୀନ । ରାଜ୍ୟର ଘରେ ଘରେ କେନ୍ଦ୍ରର ଏହି ବିଫଳତାକୁ ପହଁଚାଇବାକୁ ସେ ଦଳର ସବୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ୨୦୧୫ରୁ ଏ ପର୍ଯ୍ୟନ୍ତ କୋଇଲା ରୟାଲିଟି ସଂଶୋଧନ ହୋଇନାହିଁ । ୫ମିନିଟ୍‍ ମଧ୍ୟରେ ଏହି ନିଷ୍ପତ୍ତି ହୋଇପାରିବ କିନ୍ତୁ ହେଉନାହିଁ । ଏହାଯୋଗୁ ଓଡ଼ିଶାବାସୀ ହଜାର ହଜାର କୋଟି ଟଙ୍କା ହରାଉଛନ୍ତି । ଭାରତ ସରକାର କ୍ଲିନ୍‍ ଏନର୍ଜି ସେସ୍‍ ବସାଇ ୨୧୦୦ କୋଟି ଟଙ୍କା ଆଦାୟ କଲେ, କିନ୍ତୁ ଓଡ଼ିଶାବାସୀଙ୍କୁ କିଛି ମିଳିଲା ନାହିଁ । ଓଡ଼ିଶାର ମାଟି ଓ ଖଣିକୁ ନେଇ ମହାନଦୀ କୋଲ୍‍ ଫିଲ୍‍ଡି ଭଳି କମ୍ପାନୀ ଗଠନ କରାଗଲା, ଯିଏକି ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ଲାଭ କରୁଛି, କିନ୍ତୁ ଓଡ଼ିଶାବାସୀ କେବଳ ପ୍ରଦୂଷଣ ପାଉଛନ୍ତି । ଓଡ଼ିଶାରୁ ବର୍ଷକୁ ରେଳବାଇ ୨୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିଲା ବେଳେ ରାଜ୍ୟ ପାଇଁ ବଜେଟ୍‍ରେ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven + seven =