ବଦଳିଲା ଗଜପତି ରାଜନୀତି : ବିଜେଡିରେ ଯୋଗ ଦେଲେ ପାରଳା ରାଜକୁମାରୀ

ଭୁବନେଶ୍ବର (): ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀ ଗଜପତି ଆଜି ବିଜେଡ଼ିରେ ଯୋଗଦେଇଛନ୍ତି । ତାଙ୍କ ସହ ସାନଖେମୁଣ୍ଡି ଯୁବରାଜ ବୀରକିଶୋର ଦେବ, ବରଗଡ ଯୁବରାଜ କିଶୋର ଚନ୍ଦ୍ର ସିଂହଦେଓ ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗଦେଇଛନ୍ତି । ଆଜି ନବୀନ ନିବାସରେ ଏକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରି ବିଜେଡ଼ିରେ ଏମାନଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି କହିଥିଲେ ।

ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀ ଗଜପତି ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବଳିଷ୍ଠ ନେତୃତ୍ବ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ରାଜ୍ୟରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅହରହ ଉଦ୍ୟମ ଏବଂ ବିଭିନ୍ନ ଲୋକହିତକର ଯୋଜନା ତାଙ୍କୁ ଆକର୍ଷିତ କରିଛି । ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ଏହା ଗଭୀର ଭାବେ ମୋତେ ଅନୁପ୍ରାଣିତ କରିଛି ବୋଲି ଯୁବରାଣୀ କହିବା ସହ ମୋତେ ଦଳ ଯେଉଁ ଦାୟିତ୍ବ ଦଳ ଦେବ ପାଳନ କରିବି ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଗଂଜାମ ଓ ଗଜପତିର ବହୁ ବିଧାୟକ ଏବଂ ପୂର୍ବତନ ବିଧାୟକ ଉପସ୍ଥିତ ଥିଲେ ।

ସେହିପରି ପାଲଲହଡ଼ା ନିର୍ବାଚନମଣ୍ଡଳୀର ୫୦୦ରୁ ଉର୍ଦ୍ଧ୍ବ ବିଜେପି ନେତା, କର୍ମୀ ଓ କର୍ମକର୍ତ୍ତା ବିଜେଡ଼ିରେ ଯୋଗଦେଇଥିଲେ । ବିଜେଡ଼ିର ସ୍ଥାନୀୟ ବରିଷ୍ଠ ନେତା ଜଗମୋହନ ପ୍ରଧାନଙ୍କ ନେତୃତ୍ବରେ ଏହି ବିଜେପି କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଓ ଦଳୀୟ ପ୍ୟାନେଲିଷ୍ଟ ସଞ୍ଜୟ ବାବୁ ପ୍ରମୁଖ  ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 11 =