ବାୟୁସେନାର ଜବାବକୁ କ୍ରୀଡ଼ାଜଗତ ସାଲ୍ୟୁଟ୍

ଭାରତୀୟ ବାୟୁସେନା ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ପଶି ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇଛି। ବାୟୁସେନାର ଏହି ଜବାବକୁ କ୍ରୀଡ଼ାଜଗତ ସାଲ୍ୟୁଟ୍ କରିଛି। ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗଙ୍କଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲ୍ ଟ୍ୱିଟ୍ ଜରିଆରେ ସେନାକୁ ସଲାମ୍ କରିବା ସହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଷ୍ଟାର୍ ବକ୍ସର ମନୋଜ କୁମାର ଟ୍ୱିଟ୍ କରି କହିଛନ୍ତି, ଏବେ ସହିଦଙ୍କ ଆତ୍ମାକୁ ଶାନ୍ତି ମିଳିଛି। ବାୟୁସେନାର ୧୨ଟି ମିରାଜ-୨୦୦୦ ବିମାନର ସମ୍ମିଳିତ ଉଦ୍ୟମ ଏହି ଅପରେସନକୁ ସଫଳ କରିଥିଲା।
ବାୟୁସେନାର ମିରାଜ-୨୦୦୦ ଯୁଦ୍ଧ ବିମାନ ପିଓକେରେ ପ୍ରବେଶ କରି ଜୈଶ-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ୧୦୦୦ କେଜିରୁ ଅଧିକ ଓଜନର ବୋମା ପକାଇଥିଲା। ଏହି ହମଲାରେ ଜୈଶର ଅଧିକାଂଶ ଆତଙ୍କୀ ଠିକଣା ଏବଂ ଲଞ୍ଚପ୍ୟାଡ ଧ୍ୱଂସ ହୋଇଯାଇଛି। ଏହି ହମଲାର ଖବର ସାମ୍ନାକୁ ଆସିବା ପରେ ସମସ୍ତେ ବାୟୁସେନାକୁ ଅଭିନନ୍ଦନ ଜଣାଇଥିଲେ। ସେହ୍ୱାଗ ଏୟାର ଷ୍ଟ୍ରାଇକ ସମ୍ପର୍କରେ କହିଛନ୍ତି, ଆମ ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ଲେଗ୍ ସ୍ପିନର ଚହଲ୍ ଭାରତୀୟ ବାୟୁସେନାର ଏହି ଆକ୍ରମଣକୁ ସଲାମ୍ କରିବା ସହ ଏହାକୁ ଏକ ବଡ଼ କାର୍ୟ୍ୟାନୁଷ୍ଠାନ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

14 − eight =