ହିସାବ ନିକାସ : ପ୍ରଥମ ପର୍ଯ୍ୟାୟରେ ସ୍ବିପ କରିବ ବିଜେଡି, ବିରୋଧୀ ହେବେ ଜଳକା!

2014 ଅପେକ୍ଷା ଅଧିକ ଆସନ ପାଇବୁ : ନବୀନ

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟରେ ଆଜି ହୋଇଥିବା ଭୋଟଗ୍ରହଣ ଶେଷ ହୋଇଛି । ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏଥିସହିତ ଆରମ୍ଭ ହୋଇଯାଇଛି ଓ ହିସାବ ନିକାସ । କିଏ କେତେ ପାଇବ, କେତେ ଆସନ ହରେଇବ, କିଏ ଜିତିବ ଏବଂ କେଉଁ ହେଭିୱେଟ ମାତ ଖାଇବେ । ଏମିତି ବିଭିନ୍ନ ମହଲରେ ହେଉଥିବା ଭିନ୍ନ ଭିନ୍ନ ଆକଳନକୁ ଆଧାର କଲେ ଗୋଟିଏ ଅଙ୍କ କିନ୍ତୁ ସବୁଠି ସମାନ । ତାହା ହେଉଛି ପ୍ରଥମ ପର୍ଯ୍ୟାୟରେ ବିଜେଡି ଏକ ପ୍ରକାର ପୋଛି ନେବ ।

ଆଜିର ଭୋଟିଂ ଟ୍ରେଣ୍ଡରୁ ଯାହା ଲାଗୁଛି ବିଜେଡି ପ୍ରଥମ ପର୍ଯ୍ୟାୟର ଲୋକସଭା ଏବଂ ବିଧାନସଭା ଆସନରେ ଗତ ଥର ଅପେକ୍ଷା ଅଧିକ ଆସନରେ ଜିତିବ । ଏଥିସହିତ ବିଜେଡି ସପକ୍ଷରେ ଭୋଟର ହାର ମଧ୍ୟ ବଢିବା ବୋଲି ଆକଳନ କରାଯାଉଛି । ଭୋଟ ଦେଇଥିବା ଲୋକଙ୍କ ମତାମତ ଏବଂ ପ୍ରାର୍ଥୀଙ୍କ ଦାବି ଅନୁଯାୟୀ ଲୋକସଭାରେ ବିଜେଡି 2014ର ଫଳାଫଳକୁ ପୁନରାବୃତ୍ତି କରୁଥିବା ବେଳେ ବିଧାନସଭାରେ ଆସନ ସଂଖ୍ୟା ବୃଦ୍ଧି ପାଇବ । ଅର୍ଥାତ ଦକ୍ଷିଣ ଓଡିଶାର ଏହି ଚାରୋଟି ଲୋକସଭା କ୍ଷେତ୍ରରେ ବିଜେଡି ସ୍ବିପ କରିବ ବୋଲି ଅନୁମାନ କରାଯାଉଥିବା କହିଛନ୍ତି କିଛି ବରିଷ୍ଠ ରାଜନୈତିକ ସମୀକ୍ଷକ ।

ଏକଥା କେବଳ ଏହିସବୁ ଅଂଚଳର ରାଜନୈତିକ ସମୀକ୍ଷକମାନେ କହୁନାହାଁନ୍ତି । ଜାତୀୟ ସ୍ତରରେ ହୋଇଥିବା କିଛି ଓପିନିଅନ ପୋଲ ବି ସମାନ ଆକଳନ କରୁଛି । ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକଜିଟ ପୋଲ କହୁଛି ବିଜେଡି ଏଥର ସମସ୍ତ 21ଟି ଯାକ ଲୋକସଭା ଆସନ ଦଖଲ କରିବ । କଂଗ୍ରେସ ଓ ବିଜେପି ଗୋଟିଏ ହେଲେ ବି ଆସନ ପାଇପାରିବେ ନାହିଁ । ସିଏନଏନ-ନ୍ୟୁଜ 18ର ସର୍ଭେ କହୁଛି ବିଜେଡି 19, କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ପାଇବେ । ବିଜେଡି ସପକ୍ଷରେ 48 ପ୍ରତିଶତ ଭୋଟ ଯିବ ଏବଂ କଂଗ୍ରେସ ସପକ୍ଷରେ 26 ପ୍ରତିଶତ ଓ ବିଜେପି ସପକ୍ଷରେ 21 ପ୍ରତିଶତ ଭୋଟ ଯିବ । ଇଣ୍ଡିଆ ଟୁଡେ ସର୍ଭେ ବି କହୁଛି ଓଡିଶାରେ ନବୀନ ଲହର ଖେଳିବ । ବିଜେଡି 18ଟି ଲୋକସଭା ଆସନରୁ ଜିତିପଟ ନେବ । ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଇବ ।

ପ୍ରଥମ ପର୍ଯ୍ୟାୟର ଏହି 4ଟି ଲୋକସଭା ଏବଂ 28ଟି ବିଧାନସଭା ମଧ୍ୟରୁ ବିଜେଡି ସମସ୍ତ ଚାରୋଟି ଯାକ ଲୋକସଭା ଏବଂ 24ଟି ବିଧାନସଭା ଆସନ ଜିତିବ ବୋଲି ଦାବି କରିଛନ୍ତି ଦଳର ବରିଷ୍ଠ ନେତାମାନେ । ଏପରିକି ଏହିସବୁ ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଥିବା ଦଳୀୟ ପର୍ଯ୍ୟବେକ୍ଷକମାନେ ଭୋଟ ପରବର୍ତ୍ତି ଜନତାଙ୍କ ପ୍ରତିକ୍ରିୟାକୁ ଆଧାରକରି ଏଭଳି ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ବିଜେପିର କେନ୍ଦ୍ରୀୟ ନେତାମାନେ ଘନଘନ ଓଡିଶା ଗସ୍ତରେ ଆସି ଯେତେ ସ୍ବପ୍ନ ଦେଖାଇଲେ ବି ସାଧାରଣ ଗ୍ରାମୀଣ ଲୋକେ ସେ ସ୍ବପ୍ନକୁ ସତ ବୋଲି ଭାବୁନାହାଁନ୍ତି । ଏହା ସେମାନଙ୍କ ଗତ 5 ବର୍ଷର କାର୍ଯ୍ୟରୁ ପ୍ରମାଣିତ ହୋଇଛି ।

ବିଜେଡି ସୁପ୍ରିମୋ ମଧ୍ୟ ସମସ୍ତ 21ଟି ଯାକ ଆସନରୁ ବିଜେଡିକୁ ଜିତାପଟ ମିଳିବ ବୋଲି ଆଶାବାଦୀ । ନୟାଗଡରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରି ସେ ଘୋଷଣା କରିଥିଲେ ଯେ, ବିଜେଡି 21ରୁ 21 ଲୋକସଭା ଆସନ ଦଖଲ କରିବ । ଏଥର କେନ୍ଦ୍ରରେ କୌଣସି ଜାତୀୟ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବନି । ତେଣୁ କେନ୍ଦ୍ରରେ ସରକାର ଗଠନରେ ବିଜେଡି ଏକ ପ୍ରମୁଖ ଭୁମୀକା ନେବ । ଭୋଟ ଗ୍ରହଣ ପରେ ନବୀନ ସବୁ ମତାଦାତାଙ୍କୁ ଧନ୍ୟବାଦ ଜଣାଇବା ସହ ଗତ ଅପେକ୍ଷା ବିଜେଡି ଅଧିକ ଆସନ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − twelve =