ବିଜେଡି ଫେରିବାକୁ ଡହଳ ବିକଳ !

ଭୁବନେଶ୍ୱର () ସବୁଆଡୁ ହତାଶ ହେବା ପରେ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ଥରେ ବିଜେଡି ଫେରିବାକୁ ଡହଳ ବିକଳ ହେଉଛନ୍ତି । ବିଜେପି ଆଡୁ ସବୁଜ ସଙ୍କେତ ମିଳୁନଥିବା ବେଳେ କଂଗ୍ରେସ ବି ତାଙ୍କୁ ଗୁରୁତ୍ୱ ଦେଉନି । ସେପଟେ ବିଜୟ ମହାପାତ୍ର, ଦାମ ରାଉତଙ୍କ ଭଳି ନେତାମାନେ ବି ତାଙ୍କ ବୁଦ୍ଧିରେ ନୂଆ ଦଳ ଗଢିବା ଯୋଜନାରେ ରାଜି ନୁହନ୍ତି ।

ଏକଦା ବିଜେଡି ବିରୁଦ୍ଧରେ ଚକ୍ରାନ୍ତ କରି ବିଜେପିରେ ଯୋଗଦେବାକୁ ଯୋଜନା କରିଥିଲେ ବୈଜୟନ୍ତ । ସେ ସମୟରେ ତାଙ୍କୁ ପଦ୍ମ ଫୁଲ ଏମିତି ବାସୁଥିଲା ଯେ ସେ ଦଳର ସୁପ୍ରିମୋ ଓ ତାଙ୍କ କାର୍ଯ୍ୟାଳୟ ବିରୋଧରେ ବିଷୋଦଗାର କରିବାକୁ ପଛାଇନଥିଲେ । ଗୋଟେ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ସାଲିସ କରି ବିଜେଡି ବିଭାଜନର ମଧ୍ୟ ଚକ୍ରବ୍ୟୁହ ରଚନା କରିଥିଲେ । ଯେଉଁଥିପାଇଁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

କିନ୍ତୁ ବିନାଶ କାଳେ ବିପରୀତ ବୁଦ୍ଧି ଭଳି ସେ ନିଜ ଦଳ ସହ ବିଶ୍ୱାସଘାତକତା କରି ବିଦା ହେବା ପରେ ଆଉ ବିଜେପି ତାଙ୍କୁ ଗ୍ରହଣ କରୁନି । ଏଥିସହ ବିଜେପିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାରୁ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚାବି ମୋଡି ଦେଲେ । ବିଜେପିରୁ ହତାଶ ହୋଇ ସେ କଂଗ୍ରେସ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନବୀନଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ନେତାଙ୍କୁ ଆଉ କେହି ବିଶ୍ୱାସକୁ ନେଇପାରୁନାହାନ୍ତି । ନୂଆ ଦଳ ଗଢିବାକୁ ସେ ବିଜୟ ମହାପାତ୍ର ଓ ଦାମ ରାଉତଙ୍କୁ ଯୋଗାଯୋଗ କରିଥିଲେ ବି ଫେଲ ମାରିଲେ ।

ସବୁ ଆଡୁ ହତାଶ ହୋଇ ଏବେ ସେ ନିଜ ଶକ୍ତି, ଲୋକପ୍ରିୟତା ଓ ଗ୍ରହଣୀୟତାର ପ୍ରକୃତ ଆକଳନ କରିଛନ୍ତି । ତେଣୁ ନିଜକୁ ଏକ ସଂଗଠନ ବୋଲି ଭାବୁଥିବ ବୈଜୟନ୍ତ ଏବେ ନିଜ ଭୁଲ ବୁଝି ନବୀନଙ୍କ ସଙ୍ଗଠନକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ସାଂସଦ ପିନାକୀ ମିଶ୍ରଙ୍କ ଶରଣରେ ପଶିଛନ୍ତି । କିନ୍ତୁ ପିନାକୀ କି ମୁଖ୍ୟମନ୍ତ୍ରୀ କେହି ତାଙ୍କୁ ଭରଷା କରିପାରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

nine − one =