ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଓ ଆଙ୍ଗ୍ଲୋବେଦିକ ମହାବିଦ୍ୟାଳୟକୁ ଅଚାନକ ଗସ୍ତ

ଭୁବନେଶ୍ବର () ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଲୁଗାଁସ୍ଥିତ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ । ପରେ କାର୍ଯ୍ୟାଳୟ ବୁଲି ଦେଖିବା ସହିତ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏଥିସହିତ ମନ୍ତ୍ରୀ ଡ. ସାହୁ ଅପରାହ୍ନରେ ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗ୍ଲୋବେଦିକ ଡିଗ୍ରୀ ମହାବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ମନ୍ତ୍ରୀ କଲେଜ ଓ ଶ୍ରେଣୀଗୃହ ବୁଲି ଦେଖିଥିଲେ । ଏହି ସମୟରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ବହୁଳ ଉପସ୍ଥାନ ଦେଖି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ତେବେ ମହାବିଦ୍ୟାଳୟ ପରିସର ଓ ପରିବେଶ ସଫାସୁତୁରା ନଥିବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ଆସନ୍ତା ୩ ମାସ ମଧ୍ୟରେ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରି ମହାବିଦ୍ୟାଳୟ ରୂପରେଖ ବଦଳାଇବା ପାଇଁ ଅଧ୍ୟକ୍ଷଙ୍କୁ ତାଗିଦ କରିଥିଲେ । ଆଲୋଚନା ସମୟରେ ମହାବିଦ୍ୟାଳୟର ବିଦ୍ୟୁତ ସମସ୍ୟା ସଂପର୍କରେ ଅଧ୍ୟକ୍ଷ କହିଥିବାବେଳେ ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ ବିଭାଗୀୟ ସ୍ତରରେ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

12 − four =