ଦୁର୍ନୀତି ବିରୋଧୀ ଅଭିଯାନ : କେନ୍ଦ୍ରାପଡା ଜିଲ୍ଲପାଳଙ୍କ ‘ଜିରୋ ଟଲରାନ୍ସ’ ହ୍ବାଟସଆପ

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତିକୁ ଜିରୋ ଟଲରାନ୍ସର ନାରା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରିଛି । ଜିଲ୍ଲା ପ୍ରଶାସନରେ ଦୁର୍ନୀତି ଓ ଲାଞ୍ଚକୁ ରୋକିବାକୁ ଜାରି ହୋଇଛି ଏକ ହ୍ବାଟସଆପ ନମ୍ବର । ଏହି ନମ୍ବରଟି ହେଉଛି 9439883093 । ଏହି ହ୍ବାଟସଆପ ନମ୍ବରର ଟ୍ୟାଗ ଲାଇନ ଦିଆଯାଇଛି – ଦୁର୍ନୀତି ବିରୋଧୀ – ଜିରୋ ଟଲରାନ୍ସ ।

ଜିଲ୍ଲାପାଳ ସାମର୍ଥ ବର୍ମା ଲୋକଙ୍କୁ ଅପିଲ କରିଛନ୍ତି ଯେ, ଯେଉଁଠି ଦୁର୍ନୀତି ହେଉଛି ତାର ମୋବାଇଲ ଭିଡିଓ ସୁଟ କରି ତାହାକୁ ଏହି ହ୍ବାଟସଆପ ନମ୍ବରରେ ସେୟାର କରନ୍ତୁ । ଏଭିତରେ ଲୋକଙ୍କ ଅଭିଯୋଗ ଆଧାରରେ ଜଣେ ଆଇଆଇଟି ଗ୍ରୁଜୁଏଟ ଜିଲ୍ଲାପାଳ ତିନି ଜଣ ଦୁର୍ନୀତିଖୋର ଅଫିସରଙ୍କୁ ନିଲମ୍ବିତ କରିଛନ୍ତି । ରାଜକନିକା ବ୍ଲକର ପଞ୍ଚାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ ମହାକାଳପଡା ବ୍ଲକରେ ଗଣେଷ ପୂଜା ଚାନ୍ଦା ଆଦାୟ ଅଭିଯୋଗରେ ମହାକାଳପଡା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି ।

ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ସେ ଲୋକଙ୍କୁ ଦୁର୍ନୀତିଖୋର ଅଫିସରଙ୍କ ଲାଞ୍ଚ ନେବା ଭିଡିଓ ସୁଟ କରି ତତାଙ୍କୁ ଏହି ଏହି ହ୍ବାଟସଆପ ନମ୍ବରେ ପଠାଇବାକୁ ଅନୁରୋଧ କରୁଛନ୍ତି । ତା ଆଧାରରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହି ନମ୍ବରକୁ ଜିଲ୍ଲାର କୋଣ ଅନୁକୋଣରେ ଥିବା ଲୋକଙ୍କ ପାଖରେ ପହଁଚାଇବା ପାଇଁ ଗଣମାଧ୍ୟମ ଏବଂ ୱାଲ ପେଣ୍ଟିଂ ପଦ୍ଧତିର ବ୍ୟବହାର କରାଯାଉଛି ।

ଏହି ଯୁବ ଅଫିସର ଜଣକ ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ହ୍ବାଟସଆପ ନମ୍ବରରେ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ନମ୍ବରକୁ ଗୁପ୍ତ ରଖାଯିବ । ବର୍ତ୍ତମାନ ସୁଦ୍ଧା ଏଭଳି 85ଟି ଅଭିଯୋଗ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି । ସେସବୁ ଅଭିଯୋଗର ତଦନ୍ତ କରାଯାଉଛି । ବର୍ତ୍ତମାନ ସମୟରେ ସମସ୍ତେ ନିଜ ମୋବାଇଲରେ ହ୍ବାଟସଆପର ବ୍ୟବହାର କରୁଛନ୍ତି ଏବଂ ଏହାଦ୍ବାରା ଯେକୋହି ବି ଭିଡିଓ ରେକର୍ଡ କରିପାରିବେ । ତେଣୁ ଏହାକୁ ଦୁର୍ନୀତି ନିବାରଣରେ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ରାପଡା ଲୋକେ ମଧ୍ୟ ଜିଲ୍ଲାପାଳଙ୍କ ଏଭଳି ଅଭିଯାନକୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତିମୁକ୍ତ ପ୍ରଶାସନ ନାରା ଏବଂ ଜିଲ୍ଲା ପ୍ରଶାସନର ଏହି ଅଭିନବ ଉପାୟକୁ ଜନୈକ କେନ୍ଦ୍ରାପଡାବାସୀ ଭାଗିରଥୀ ସାମଲ ସ୍ବାଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + eleven =