ମୋଦିଙ୍କୁ ଦାମଙ୍କ ଆକ୍ଷେପ

ନୂଆ ରାଜନୈତିକ ଗଣିତର ସଂକେତ

ଭୁବନେଶ୍ୱର () ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ବିଜେପି ଉପରେ ଖୁବ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଚାଳଙ୍କ ଭଳି କଥା କହୁଛନ୍ତି ବୋଲି ଦାମ ଆକ୍ଷେପ କରିଛନ୍ତି । ଏଥିସହିତ ଆଣକଂଗ୍ରେସ ରାଜନୀତିରୁ ରାଜନୀତି ଆରମ୍ଭ କରିଥିବା ଦାମ ଆଜି କଂଗ୍ରେସ ସହ ମେଣ୍ଟର ସଂକେତ ଦେଇଛନ୍ତି । ବିଜେପି ବିରୋଧରେ କଂଗ୍ରେସ ନେତୃତ୍ୱରେ ସୃଷ୍ଟି ହେଉଥିବା ନୂଆ ସମିକରଣରେ ସେ ଆଜି ସାମିଲ ହୋଇଛନ୍ତି ।

ଆଜି ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବାକୁ ପ୍ରଥମ ଥର ଦାମ ରାଉତ କଂଗ୍ରେସ ଭବନରେ ପାଦ ଦେଇଥିଲେ । ଦାମ ରାଉତ କଂଗ୍ରେସ ଭବନରେ ପହଂଚିବା ନୂଆ ରାଜନୀତିର ସଂକେତ ଦେଉଥିଲା । ସେ ବିଜେଡିରୁ ବହିଷ୍କୃତ ହୋଇସାରିଥିବାରୁ ସେ ଏକା ଏକା ବୁଲୁଛନ୍ତି । କଂଗ୍ରେସ ବି ଅଛୁଆଁ ଦଳ ନୁହେଁ । ସେ କଂଗ୍ରେସରେ ମିଶିବେନି, କିନ୍ତୁ ମେଣ୍ଟ କରିବାରେ ଅସୁବିଧା ନାହିଁ ବୋଲି କହିଥିଲେ । ତେବେ ମେଣ୍ଟ ପାଇଁ ଦଳ କରିବାରେ ଅସୁବିଧା ନାହିଁ, ହେଲେ ଅର୍ଥର ଅଭାବ ବୋଲି କହିଥିଲେ ।

ବୈଜୟନ୍ତ ପଣ୍ଡା ଓ ସେ ନିଜେ କିଛି ବିଜୁ ଅନୁଗତଙ୍କୁ ନେଇ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିଛି ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ବିଜୟ ମହାପାତ୍ର ଧରାଛୁଆଁ ଦେଉନଥିବା ସେ କହିଛନ୍ତି ।

ସେପଟେ ସମ୍ବିଧାନ ବଞ୍ଚାଅ ସମ୍ମିଳନୀରେ ସେ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ । ଆକ୍ଷେପ କରିଥିଲେ ଯେ, ଏଠି ରାଜ୍ୟ ବିଜେପିର ନିଜର ଛୁଆ ନାହିଁ, ସେ ଅନ୍ୟର ଛୁଆ ଉପରେ ନଜର ପକାଉଛନ୍ତି । କାହା ମନରେ କଣ ଅଛି ସେ ନିଜ ପାଖରେ ରଖନ୍ତୁ, ସେଥିରେ କାହାର ଯାଏ ଆସେ ନାହିଁ । ନିଜ ଘରଣୀ ଯେଉଁ ଦୁଃଖ ଧରିଛନ୍ତି ତାଙ୍କ କଥା ଆଗ ଶୁଣନ୍ତୁ ବୋଲି ଦାମ ଆକ୍ଷେପ କରିଥିଲେ ।

ଦାମ କହିଛନ୍ତି ଯେ ଦେଶରେ ଗଣତନ୍ତ୍ର ବଦଳରେ ଏବେ ଦଳତନ୍ତ୍ର ଚାଲିଛି । ବିଜେପି ଶାସନ କ୍ଷମତାକୁ ଆସିବା ପରେ ହିପୋକ୍ରେସି ଶାସନ ଚଲାଇଛି । ସରକାର ଏବେ ପ୍ରଚାର ସର୍ବସ୍ବ ହେଇଛନ୍ତି । ଏହା ସହ ବିଜେପି କେନ୍ଦ୍ରୀୟ ନେତାଙ୍କ ୧୨୦ ପ୍ଲସ ଦାବିକୁ କଟାକ୍ଷ କରି ଦାମ କହିଛନ୍ତି ଯେ ବୁଥ ଜଗିବାକୁ ବିଜେପିରେ ଲୋକ ନାହାନ୍ତି । ପ୍ରଧାନମନ୍ତ୍ରୀ ମନକୁ ଯାହା ଆସୁଛି ତାହା କହି ପକାଉଛନ୍ତି । ସେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭଳି ବ୍ୟବହାର ନ କରି ବିଜେପି ପ୍ରଧାନମନ୍ତ୍ରୀ ଭଳି ବ୍ୟବହାର କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 15 =