ପୁଣି ଛତିଶଗଡର ବେଇମାନୀ କାମ

4ଟି ବ୍ୟାରେଜର ଗେଟ ବନ୍ଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର () ଛତିଶଗଡ ପୁଣି ଥରେ ତାର ଦାଦାଗିରି ଆରମ୍ଭ କରିଛି । ଗତକାଲିଠାରୁ ହୀରାକୁଦ ବନ୍ଧର ଅଣମୌସୁମୀ ଅବଧି ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ଜଳସ୍ତର ଅଧ ଫୁଟ କମ ରହିଛି । ସେପଟେ ସପ୍ତାହରୁ ଉର୍ଦ୍ଧ୍ବ ଧରି ବର୍ଷା ଗାଏବ ହୋଇଯାଇଥିବାରୁ ହୀକାରୁଦକୁ ଜଳପ୍ରେବେଶର ମାତ୍ରା ଉଦବେଗଜନକ ଭାବେ ହ୍ରାସ ପାଇଲାଣି । ଏଭଳି ସ୍ଥିତିରେ ଛତିଶଗଡ ସରକାର ପୁଣି ତାର 4ଟି ବ୍ୟାରେଜ ଗେଟ ବନ୍ଦ କରି ପାଣି ଅଟକାଇବା ପ୍ରକ୍ରିୟା ଆରମ୍ଭ କଲାି । ଆଜି ରାତି 8ଟା ସୁଦ୍ଧା ଜଳଭଣ୍ଡାରକୁ 10ହଜାର 521 କ୍ୟୁସେକ ଜଳ ପ୍ରେବଶ କରୁଥିବା ବେଳେ ଜଳସ୍ତର 629.52 ଫୁଟରେ ସୀମିତ ରହିଛି । ସେପଟେ ଦୀର୍ଘଦିନ ଧରି ବୁର୍ଲା ପାୱାର ହାଉସର ମାତ୍ର 2ଟି ୟୁନିଟ କାର୍ଯ୍ୟକ୍ଷମ ଥିବା ବେଳେ କିଛି ଦିନ ହେଲା ଆଉ ଗୋଟିଏ ୟୁନିଟ କାର୍ଯ୍ୟ କରିଛି । ଫଳରେ ଆସୁଥିବା ମୋଟ ଜଳରୁ ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲ 10ହଜାର କ୍ୟୁସେକରୁ ଅଧିକ ପାଣି ଟାଣି ନେଉଛି । ଏଭଳିସ୍ଥିତିରେ ବର୍ତ୍ତମାନ ଠାରୁ ଜଳ ଶଙ୍କଟର ଆଶଙ୍କା ସଷ୍ଟି ହେଲାଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଛତିଶଗଡ ମହାନଦୀ ଉପରେ ନିର୍ମାଣ କରିଥିବା ବିବାଦୀୟ 6ଟି ବ୍ୟାରେଜ ମଧ୍ୟରୁ କାର୍ଯ୍ୟକ୍ଷମ ଥିବା 4ଟି ବ୍ୟାରେଜର ଗେଟ ବନ୍ଦ କରିବା ଆରମ୍ଭ କରିଛି । ତେଣୁ ସପ୍ତାହେ ମଧ୍ୟରେ ହୀରାକୁଦକୁ ପାଣି ଆସିବା ସମ୍ପୁର୍ଣ୍ଣ ଭାବେ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଜୁନ 15 ତାରିଖରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ହୀରାକୁଦ ବନ୍ଧର ମୌସୁମୀ ଅବଧି ବୋଲି କୁହାଯାଇଥାଏ । ଏହି ସମୟରେ ବନ୍ୟା ନିୟନ୍ତ୍ରଣ ଦୃଷ୍ଟିରୁ ଜଳ ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥାଏ । ସେପଟେ ଗତ 2 ବର୍ଷ ହେଲା ମହାନଦୀର ଉପରମୁଣ୍ଡ ଛତିଶଗଡରେ ଏକାଧିକ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହେବା ପରେ ଅଣସୌସୁମୀ ଅବଧିରେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ଉପରେ ସମସ୍ତଙ୍କ ନଜର ରହି ଆସୁଛି । ଏଭଳିସ୍ଥିତିରେ ଅକ୍ଟୋବର ପହିଲାରୁ ଜଳସ୍ତର ତାର ସର୍ବୋଚ୍ଚ ସ୍ତର 630 ଫୁଟରେ ପହିଞ୍ଚିବା କଥା । ହେଲେ ଦୁଇ ଦିନ ବିତିବା ପରେ ବି ଅଧ ଫୁଟ ପାଣି କମ ରହିଛି ।

ପୁଣି ଉପରମୁଣ୍ଡରେ ବର୍ଷା ଛାଡି ଯାଇଥିବାରୁ ଜଳଭଣ୍ଡାର ମଧ୍ୟକୁ ଜଳପ୍ରବେଶର ମାତ୍ରା ବିଶେଷ ଭାବେ ହ୍ରାସ ପାଇଛି । ଆଜି ରାତି ସୁଦ୍ଧା ଜଳଭଣ୍ଡାରକୁ ମାତ୍ର 15 ହଜାର 7ଶହ କ୍ୟୁସେକ ଜଳ ପ୍ରବେଶ କରୁଛି । ସେପଟେ ଛତିଶଗଡ ଗତକାଲିଠାରୁ ତାର କାର୍ଯ୍ୟକ୍ଷମ ଥିବା 4ଟି ବ୍ୟାରେଜ ଗେଟ ବନ୍ଦ କରିବା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ସମୋତାର ସମସ୍ତ ଗେଟ ବନ୍ଦ ହୋଇସାରିଥିବା ବେଳେ ବସନ୍ତପୁରର ମାତ୍ର 8ଟି, ମିରୋନିର 9ଟି ଗେଟ ଛାଡି ଅନ୍ୟ ସମସ୍ତ ଗେଟ ବନ୍ଦ ହୋଇଯାଇଛି । ସେହିପରି ଓଡିଶା ପଟରୁ ପ୍ରଥମ ବ୍ୟାରେଜ କଲମାର ମଧ୍ୟ ଗେଟ ବନ୍ଦ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ଜଣାପଡିଛି । ଛତିଶଗଡରେ ବର୍ଷା ନହେଲେ ଆସନ୍ତା 10 ତାରିଖ ସୁଦ୍ଧା କଲମା ତାର ସବୁ ଗେଟ ବନ୍ଦ କରିବ ବୋଲି ସୂଚନା ମିଳିଛି । ଫଳରେ ଆଗାମୀ ଦିନରେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ପୁଣି ନଗନ୍ୟ ହେବା ଏକପ୍ରକାର ଥୟ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଚଳିତ ବର୍ଷ ଖରାଦିନେ ମହାନଦୀର ଓଡିଶା ପଟରେ ସଂପୂର୍ଣ୍ଣ ସୁଖିଲା ପଡିଥିବା ବେଳେ ହଜାର ହଜାର ମତ୍ସ୍ୟଜୀବୀ ଜୀବିକା ହରାଇଥିଲେ । ବର୍ଷା ଆସିବା ପରେ ଏକକାଳୀନ ବ୍ୟାପକ ମାତ୍ରାରେ ଛତିଶଗଡ ପାଣି ଛାଡିଦେବାରୁ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏବେ ମୌସୁମୀ ଅବଧି ନଯାଉଣୁ ପୁଣି ପାଣି ଅଟକାଇ ଓଡିଶାବାସୀଙ୍କୁ ଦହଗଞ୍ଜ କରିବା ପ୍ରକ୍ରିୟା ଆରମ୍ଭ କଲାଣି । ଏହାକୁ ନେଇ ସାରା ପଶ୍ଚିମ ଓଡିଶାରେ ତୀବ୍ର ପ୍ରକ୍ରିୟା ପ୍ରକାଶ ପାଇଲାଣି ।

Share

Leave a Reply

Your email address will not be published. Required fields are marked *

fifteen − one =