ଶ୍ରୀକାନ୍ତଙ୍କ ଘରେ ବସୁଛି ଗୁପ୍ତ ବୈଠକ

ଭୁବନେଶ୍ବର () 18 ବର୍ଷ ଧରି କ୍ରମାଗତ ଭାବେ କ୍ଷମତାରୁ ଦୂରେଇ ରହିଲା ପରେ ମଧ୍ୟ ରାଜ୍ୟ କଂଗ୍ରେସର କଙ୍କଡା ଗୋଡଟଣା ନୀତିରେ ପୂର୍ଣ୍ଣଛେଦ ପଡୁନି । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ନିରଂଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ପ୍ରଦେଶ କଂଗ୍ରେସର ଦାୟିତ୍ବ ନେଇଛି, ସେତେବେଳେ ତା ବିରୋଧରେ ଆଉ ଏକ ଅଦୃଶ୍ୟ ଶକ୍ତି ବିହ୍ବ ରଚନା କରୁଛି । ନିରଂଜନ ପଟ୍ଟନାୟକ ଦାୟିତ୍ବ ନେବାର 6 ମାସ ବି ପୂରିନି । ତାଙ୍କ ବିରୋଧରେ ଚକ୍ରାନ୍ତ ରଚନା କଲେନି ଜେନା ବ୍ରଦର୍ସ ।

 

କଂଗ୍ରେସର ଏହି ଜେନା ବ୍ରଦର୍ସ ହେଉଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ନିରଂଜନ ପଟ୍ଟନାୟକ ଦାୟିତ୍ବ ନେବା ପରେ ସବୁ ଅସନ୍ତୁଷ୍ଟଙ୍କୁ କେମିତି ସନ୍ତୁଷ୍ଟ କରି ସାଙ୍ଗରେ ନେଇ ଚାଲିବେ ସେଥିପାଇଁ ଯୋଜନା କରୁଛନ୍ତି । ଖାସ ଏଇଥି ପାଇଁ ଗତ 5 ମାସ ହେଲା ତାଙ୍କର ଘର ସଜଡା କାମ ସରୁନି  । ପ୍ରତିଦିନ ପିସିସି କିମ୍ବା ପିଇସିରେ ନୂଆ ନୂଆ ସଦସ୍ୟଙ୍କ ନାଁ ଯୋଡି ହେଉଛି । ଏହି ପ୍ରକ୍ରିୟା ଭିତରେ ନିରଂଜନଙ୍କ ବିରୋଧରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହେବା ସ୍ବାଭାବିକ । ଯେଉଁ କିଛି ନେତା ନିରଂଜନଙ୍କ କାର୍ଯ୍ୟକଳାପକୁ ନେଇ ଖପ୍ପା ସେମାନଙ୍କ ଅସନ୍ତୋଷର ନିଆଁରେ ଘିଅ ଢାଳୁଛନ୍ତି ଶ୍ରୀକାନ୍ତ ଜେନା  ।

 

ଏହାର ସଦ୍ୟତମ ଉଦାହାରଣ ହେଉଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । କୃଷ୍ଣ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପରେ ସଗରିଆଙ୍କୁ ପିସିସିର ସଧାରଣ ସଂପାଦକ ପଦବୀ ଦେଇ ତାଙ୍କୁ ଦଳର ଅନୁସୂଚିତ ଜାତି ସେଲର ସଭାପତି ପଦରୁ ହଟେଇଲେ ନିରଂଜନ  । ଏହାକୁ ନେଇ ସଗରିଆ କ୍ଷୋଭ ପ୍ରକାଶ କରିବା ସହ ଦଳ ଛାଡିବାକୁ ବି ଧମକ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଂଗ୍ରେସର ବରିଷ୍ଠ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଯେଉଁ ଦିନ ଦଳର ସ୍କ୍ରିନିଂ କମିଟି ଓ ପିଇସି ବୈଠକ ଅନୁଷ୍ଠିତ ହୋଇଥିଲା, ସେହିଦିନ ସମାନ୍ତରାଳ ଭାବେ ସଗରିଆ ତାଙ୍କର ଅସନ୍ତୋଷ ଗଣମାଧ୍ୟମରେ ଜାହିର କରିଥିଲେ ।

 

ଶ୍ରୀକାନ୍ତ ଜେନା ଓ ଜୟଦେବ ଜେନା ଦଳର ବରିଷ୍ଠ ନେତାମାନେ ଦଳ ଉପରେ କ୍ଷୁବ୍ଧ ସଗରିଆଙ୍କୁ ବୁଝାଇ ସଙ୍ଗଠନକୁ ମଜବୁତ କରିବା ପରିବର୍ତ୍ତେ ତାଙ୍କୁ ପିସିସି ବିରୋଧରେ ଆହୁରି ବର୍ଷିବାକୁ ତେଜୁଛନ୍ତି । ଏଥିପାଇଁ ଆଜି ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଏକ ଗୁପ୍ତ ବୈଠକ ବସିଥିଲା । ଏହି ବୈଠକରେ ଜୟଦେବ ଜେନା, କୃଷ୍ଣ ସଗରିଆ ଓ କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ସଗରିଆଙ୍କୁ କ୍ରମାଗତ ଭାବେ ନିରଂଜନ ଓ ତାଙ୍କ ଟିମ ବିରୋଧରେ ବିଷୋଦଗାର କରିବାକୁ ଉସକାଇଥିଲେ ଏହି ବରିଷ୍ଠ ନେତାମାନେ । କେବଳ କୃଷ୍ଣ ନୁହଁନ୍ତି, କଂଗ୍ରେସର ଆଉ କିଛି ପିସିସି ବିରୋଧୀ ନେତାଙ୍କୁ ଜେନା ବ୍ରଦର୍ସ ଏହିପରି ନେତୃତ୍ବ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଘିଅ ଢାଳୁଛନ୍ତି ।

 

ଚର୍ଚ୍ଚା ହେଉଛି ଯେ, ତାରା-କୃଷ୍ଣ ଲଢେଇରେ ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ହାତ ରହିଥିଲା । ତାରାଙ୍କ ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ବିବୃତି ଦେବାକୁ ଶ୍ରୀକାନ୍ତଙ୍କ ଠାରୁ ସାହସ ପାଇଥିଲେ ସଗରିଆ । ଶ୍ରୀକାନ୍ତ ସଗରିଆଙ୍କୁ ବୁଝାଇ ଦେଇଛନ୍ତି ଯେ, ତାଙ୍କର ଦିଲ୍ଲୀରେ ଲବି ବେଶ ବଳିଷ୍ଠ । ନିରଂଜନ ଚାହିଁଲେ ତାଙ୍କର କିଛି ଉପାଡି ପାରିବେ ନାହିଁ । ତେଣୁ ସଗରିଆଙ୍କୁ ଅଭୟବାଣୀ ଦେଇ ଶ୍ରୀକାନ୍ତ ତାଙ୍କୁ ନିରଂଜନ ଟିମ ବିରୋଧରେ ଅସ୍ତ୍ର କରୁଛନ୍ତି । ଅବଶ୍ୟ ଏକଥା ନିରଂଜନ ଓ ଏଆଇସିସିକୁ ଯେ ଅଛପା ତାହା ବି ନୁହେଁ । କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଶ୍ରୀକାନ୍ତ ଜେନା ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତଙ୍କ ସହ ହାତ ମିଳାଇ ବିଜୁ କ୍ରାନ୍ତି ଦଳ ଗଠନ ପ୍ରକ୍ରିୟାରେ ଥିବାରୁ ଆସନ୍ତା ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟରେ ଲଢିବାକୁ ସୁଯୋଗ ମିଳିବାର ସମ୍ଭାବନା କ୍ଷିଣ । କାରଣ ସେ କଂଗ୍ରେସରୁ ଆଉ ଥରେ ବାଲେଶ୍ବରରୁ ଶକ୍ତି ପରୀକ୍ଷା କରି ଅମାନତ ହରାଇବାକୁ ଚାହୁଁନାହାଁନ୍ତି । ସେ ଏଥର କେନ୍ଦ୍ରାପଡାରୁ ଲଢିବାକୁ ଚାହୁଁଛନ୍ତି । ଯେଉଁଥିରେ ନିରଂଜନ ରାଜି ନୁହଁନ୍ତି ।

Share

Leave a Reply

Your email address will not be published. Required fields are marked *

15 − five =