ଦାମଙ୍କୁ ସାଙ୍ଗରେ ନେବାକୁ ନାରାଜ, ହାତ ମିଳାଇଲେ ବ୍ରଜ-ଖାରବେଳ

ଏକାଠି ହୋଇପାରୁନାହାଁନ୍ତି ବିଜେଡି ବିରୋଧୀ

ବିଜୁ ପରିବାରରୁ ଅଲଗା ହୋଇ ଦାମ ଗଢିବେ ନୁଆ ଦଳ

ଭୁବନେଶ୍ବର () ଓଡ଼ିଶା ରାଜନୀତିରେ ଏବେ ନୂଆ ସମୀକରଣ ସୃଷ୍ଟି ସମ୍ଭାବନା ଧିରେ ଧିରେ କ୍ଷୀଣ ହେଉଛି। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ପଟିଲା ନାହିଁ ସମତାକ୍ରାନ୍ତି ଓ ଉତ୍କଳ ଭାରତର । ତେଣୁ ଦାମଙ୍କୁ ବାଦ ଦେଇ ବିଜେଡ଼ିକୁ ଟକ୍କର ଦେବାକୁ ଏକାଠି ହୋଇଛନ୍ତି ଏହି ଦୁଇ ଦଳ। ଏହି ଦୁଇ ଗଠନ କରିଛନ୍ତି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ସମତାକ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଠନ ହୋଇଛି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ପାର୍ଟି ପାଇଁ ନୁହେଁ, ମାଟି ପାଇଁ ଦଳ କାମ କରିବ ବୋଲି ସାମ୍ମୁଖ୍ୟର ଲକ୍ଷ୍ୟ ରହିଛି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଭୟ ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ବାଇଁ ।

ଏହି ପରିପ୍ରେକ୍ଷୀରେ ବ୍ରଜ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କର୍ଣ୍ଣାଟକ, ତ୍ରିପୁରା ଏବଂ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳ ଏକାଠି ହୋଇ ଶାସନ କରୁଛନ୍ତି । ଓଡ଼ିଶାର ସ୍ବାର୍ଥ ପାଇଁ ଏହି ସରକାର ବଦଳିବାକୁ ଚାହୁଁଥିବା ଲୋକଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । ସେ ଅନ୍ୟ ଦଳକୁ ନୂତନ ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ତେବେ ଦାମ ରାଉତଙ୍କ ସହ କିଛି ଦିନ ପୂର୍ବରୁ ନୂଆ ଦଳ ଗଠନ ପାଇଁ କହିଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି । ଦାମ ରାଉତ ନୂଆ ଦଳ ବିଜୁ ସମତାକ୍ରାନ୍ତି ଗଡ଼ିବାକୁ ଘୋଷଣା କରିଥିଲେ । କିନ୍ତୁ ଗଠନ କରି ନାହାଁନ୍ତି । ତେଣୁ ତାଙ୍କ ସହିତ ଯୋଗାଯୋଗ ଚାଲିଥିବା କହିଛନ୍ତି ।

ଖାରବେଳ ସ୍ବାଇଁ କହିଛନ୍ତି, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ। ସାମ୍ମୁଖ୍ୟ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ଦାବି କରିଛନ୍ତି ଦୁଇ ନେତା। ନବୀନ ବିରୋଧୀଙ୍କୁ  ଏକାଠି ହେବାକୁ ଆହ୍ବାନ କରିଛି ସାମ୍ମୁଖ୍ୟ।

ସେପଟେ ଓଡିଶା ରାଜନୀତିରେ ଏକଘରିକିଆ ହୋଇପଡିଥିବା ବରିଷ୍ଠ ନେତା ଦାମ ରାଉତ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବାକୁ ଯାଉଛନ୍ତି । ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଦଳର ନାଁ ରେଜିଷ୍ଟ୍ରିଭୁକ୍ତ କରିବା ପାଇଁ ଲୋକ ପଠାଇଛନ୍ତି । ଏହି ଦଳର ନାଁ ଜନତା କ୍ରାନ୍ତି ଦଳ ରଖିବା ପାଇଁ ସେ ମନସ୍ଥ କରିଛନ୍ତି । କମିଶନଙ୍କ ପାଖରେ ଏହି ନାଁକୁ ବ୍ଲକ କରି ରଖିବା ପାଇଁ ସେ ଯୋଜନା କରିଛନ୍ତି ବୋଲି କୁହାଯାଉଛି । ବିଜେଡିରୁ ବିଦା ହେବା ପରେ ଡା.ରାଉତ କେଉଁ ଆଡେ ଯିବେ ତାକୁ ନେଇ ଚାଲିଥିଲା ନାନା ଆଲୋଚନା । କିନ୍ତୁ ସେ କୈାଣସି ଦଲରେ ସାମିଲ ହେବେ ନାହିଁ ବୋଲି କହିଥିଲେ । ହେଲେ ତାଙ୍କୁ ବିଜେଡି ବିରୋଧରେ ବିଭିନ୍ନ ଅଞ୍ଚଳକୁ ଯାଇ ମତ ରଖିବାକୁ ହେଲେ ଏକ ଫୋରମର ଆବଶ୍ୟକ ଥିଲା । ସବୁ ବିଜୁ ପରିବାରଙ୍କୁ ଏକାଠି କରି ଏକ ଆଞ୍ଚଳିକ ଦଳ ଗଠନ କରିବା ସପକ୍ଷରେ ସେ ଥିଲେ । ଏଥିନେଇ ସେ ଉଦ୍ୟମ ମଧ୍ୟ ଆରମ୍ଭ କରିଥିଲେ ତ୍ସମତା କ୍ରାନ୍ତିର ନେତା ବ୍ରଜକିଶୋର ତ୍ରୀପାଠିଙ୍କ ସହ ମିଶି ବିଜୁ ସମାତାକ୍ରାନ୍ତି ନାଁ ରେ ଘୋଷଣା ମଧ୍ୟ କରିଥିଲେ । କିନ୍ତୁ ଏହା ବେଶୀ ଦିନ ତିଷ୍ଠି ପାରିନଥିଲା ।

ଉଭୟଙ୍କ ମତ ପାର୍ଥକ୍ୟ ଯୋଗୁଁ ଅଲଗା ହୋଇଗଲେ । ବ୍ରଜ ତ୍ରିପାଠୀ ତାଙ୍କ ଦଳର ନାଁ ପରିବର୍ତ୍ତନ କରିବାକୁ ଅରାଜି ହେବାରୁ ମତ ଭେଦ ଦେଖାଦେଇଥିଲା । ତାଙ୍କ ଠାରୁ ଅଲଗା ହେବା ପରେ ସେ ଏକୁଟିଆ ହୋଇ ପଡିଥିଲେ । ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଖାରବେଳ ସ୍ବାଇଁ ପ୍ରମୁଖଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ହେଲେ କେହି ତାଙ୍କୁ ଧରାଛୁଆଁ ହେଲେ ନାହିଁ କି ନିର୍ଭର ପ୍ରତିଶୃତି ରଖିଲେ ନାହିଁ । ଏଥିପାଇଁ ଆଉ କାହାକୁ ଅପେକ୍ଷା ନ କରି ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଞ୍ଜେଶ୍ବର ବାବୁଙ୍କୁ ସବୁ କାଗଜପତ୍ର ଦେଇ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଛନ୍ତି । ଖୁବଶୀଘ୍ର କମିଶନଙ୍କ ନିକଟରେ ତାଙ୍କ ଦଳ ପଞ୍ଜିକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦିଓ ଡା.ରାଉତ ବିଜାବାବୁଙ୍କ ନାଁରେ ଦଳ ଗଠନ କରିବେ ବୋଲି କହିଥିଲେ ହେଲେ ଏଥିରେ ସମସ୍ୟା ରହିଛି । କାରଣ ରାଜ୍ୟରେ ବିଜୁ ଜନତା ଦଳ ଭାବରେ ଏକ ରଜେଷ୍ଟ୍ରିଭୁକ୍ତ ଆଞ୍ଚଳିକ ଦଳ ଗଠିତ ହୋଇସାରିଛି । ଏଣୁ ବିଜୁ ଶବ୍ଦ ବ୍ୟବହାର କଲେ କାଳେ ସମସ୍ୟା ଦେଖାଦେବ ଓ ବିଜେଡି ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ଉଠାଇବ ସେହି ଆଶଙ୍କା କରି ଆଉ ବିଜୁଙ୍କ ନାଁ ରଖିନାହାନ୍ତି । ଜନତା କ୍ରାନ୍ତି ଦଳ ଭାବରେ ନୂଆ ଆଂଚଳିକ ଦଳ ଗଠନ କରିବା ପାଇଁ ଚାହିଁଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 2 =