ଫେଲ ହେଲା ବିଜେପି ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ବର (): ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡ଼ିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ସାଧୁବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ବାସ ଓ ଆସ୍ଥା ଅତୁଟ ରଖିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି । ବନ୍ଦ ପାଳନ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପିର ମୁଖା ଖୋଲି ଦେଇଥିବାରୁ ଚାଷୀଭାଇମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଡ. ପାତ୍ର କହିଛନ୍ତି, ଓଡ଼ିଶାରେ ବନ୍ଦ ପାଳନକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବାଧକ ନଥିଲେ ମଧ୍ୟ ସାରା ରାଜ୍ୟରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ୪୦୦ ଡ଼େଇଁ ନାହିଁ । ପୁଣି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକ ସମ୍ଭବତଃ ଚାଷୀ ନୁହଁନ୍ତି । ଅନ୍ୟପକ୍ଷରେ ସେତିକିବେଳେ ବରଗଡ଼ରେ ‘କାଳିଆ’ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଲକ୍ଷାଧିକ ଚାଷୀ ଏକାଠି ହୋଇଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀ ୧୪ ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କା ‘କାଳିଆ’ ସହାୟତା ପ୍ରଦାନ କରିଥିଲେ ।

ଏଥିରୁ ସ୍ପଷ୍ଟ ଯେ, ନବ ନିର୍ମାଣ କୃଷକ ସଂଗଠନକୁ ଅସ୍ତ୍ର କରି ବିଜେପି ଯେଉଁ ଷଡ଼ଯନ୍ତ୍ର ରଚିଥିଲା ତାହା ବିଫଳ ହୋଇଛି । ରାଜ୍ୟର ଚାଷୀ ସମାଜ ତାହାକୁ ସଫଳ କରାଇ ଦେଇନାହାନ୍ତି । ବନ୍ଦ ଷଡ଼ଯନ୍ତ୍ର ପଛରେ ବିଜେପିର ଯେ ସମ୍ପୂର୍ଣ୍ଣ ହାତ ଥିଲା ତାହା କାହାରିକୁ ଅଛପା ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ ।  ସେହିଭଳି ସ୍ବାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ନାହିଁ । ଚାଷୀମାନଙ୍କର ଏହି ଦୁଇଟି ମୁଖ୍ୟ ପ୍ରସଙ୍ଗକୁ ଆଜିର ବନ୍ଦ ପାଳନକାରୀମାନେ ଉଠାଇଲେ ନାହିଁ । ସୁତରାଂ ଏହି ଆନ୍ଦୋଳନ ବିଜେପି ଦ୍ବାରା ପ୍ରସ୍ତୁତ ହୋଇଥିବା ପରିଷ୍କାର ହୋଇଯାଇଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − four =