ତାରିଖ ଘୋଷଣା ପରେ ବଢିଲା ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର () ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଉ ତିନି ଦଳରେ ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ତାରିଖ ଘୋଷଣା ପୂର୍ବରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ପ୍ରାର୍ଥୀ ଚୟନ ସହ ନିର୍ବାଚନ ପରିଚାଳନା ଦାୟିତ୍ବରେ ମଧ୍ୟ ରହିବ ।

ମୁଖ୍ୟମନ୍ତ୍ରୀ ନିକଟରେ ଦିଲ୍ଲୀ ଗସ୍ତ ସମୟରେ ବିଜେଡିର ଜିତାପଟକୁ ନେଇ ଦୃଢୋକ୍ତି ପ୍ରକାଶ କରିବା ପରେ ବିଜେଡିର ନେତାଙ୍କ ଆତ୍ମବିଶ୍ବାସ ମଜବୁତ ହୋଇଛି । ବିଜେପୁରରୁ କିଏ ବିଜେଡି ପ୍ରାର୍ଥୀ ହେବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ରୀତା ସାହୁ ଏକ ପ୍ରକାର ଚୁଡାନ୍ତ ବୋଲି ସଙ୍କେତ ମିଳୁଛି । ପୂର୍ବରୁ ଏହି ଉପନିର୍ବାଚନ ପାଇଁ ସୁବାଷ ଚୌହାନ ଓ ପ୍ରଭାତ ଆଦିତ୍ୟ ମିଶ୍ର ରେସରେ ଥିଲେ । ହେଲେ ସୁବାଷ ଚୌହାନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ପ୍ରଭାତ ଆଦିତ୍ୟ ମିଶ୍ର ଆପିକଲର ଅଧ୍ୟକ୍ଷ ହେବା ପରେ ଏହି ଦୁଇ ନେତା ରେସରୁ ଓହରି ଯାଇଛନ୍ତି ।

ଏପଟେ କଂଗ୍ରେସ କାହାକୁ ଟିକେଟ ଦେବ ସେନେଇ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ତିନି ତିନି ଥର ଚର୍ଚ୍ଚା ଆଲୋଚନା କରିଛି କଂଗ୍ରେସ । ଏହାରି ଭିତରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ରିପୁନାଥ ସେଠ୍ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଅଂଟା ଭିଡିଛନ୍ତି । କଂଗ୍ରେସ ପାଖରେ ରିପୁନାଥଙ୍କ ଭିନ୍ନ ବିକଳ୍ପ ମଧ୍ୟ ନାହାଁନ୍ତି । କାରଣ ଗତ 2018 ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ପରବର୍ତ୍ତି ସମୟରେ ବିଜେଡିରେ ଯୋଗ ଦେଇଥିଲେ ।

ବିଜେଡି ଓ କଂଗ୍ରେସର ଏହି ତାମାମ କସରତ ଭିତରେ ପ୍ରଶ୍ନ ହେଉଛି ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ? ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନା’ ସାଧାରଣ ନିର୍ବାଚନରେ ଲଢ଼ିବା ସନତ ଗଡ଼ତିଆ । ୨୦୧୯ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମେ’ ୨୭ ତାରିଖରେ ବିଜେପୁର ଆସନ ଛାଡ଼ିଥିଲେ । ଗଲା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୫୭ହଜାରରୁ ଅଧିକ ଭୋଟ ହାତେଇଥିଲେ । ସେହିପରି ସୁବଳ ସାହୁଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ରିତା ସାହୁ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ୪୧ହଜାରରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

15 + nine =