ରକ୍ତଦାତାଙ୍କ ଗହଣରେ ଜନ୍ମଦିନ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () : ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ବିଜୁ ଜନତା ଦଳ ନିଜ ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ‘ଜୀବନ ବିନ୍ଦୁ’ ବିଶିଷ୍ଟ ଜନନାୟକ ବିଜୁ ବାବୁଙ୍କ ୯୯ତମ ଜୟନ୍ତୀ ୫ ମାର୍ଚ୍ଚ, ୨୦୧୫ ମସିହାରେ ଶୁଭାରମ୍ଭ କରିଥିଲା । ରାଜ୍ୟର ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ବିଭିନ୍ନ ଜିଲ୍ଲା, ବ୍ଲକ, ସହରାଞ୍ଚଳ ଓ ପଞ୍ଚାୟତରେ ଆୟୋଜନ କରାଯାଇ ଏ ପର୍ଯ୍ୟନ୍ତ ୩ଲକ୍ଷ ୮ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଆବଶ୍ୟକତା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି ।

ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟର ଜନସାଧାରଣଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମର କ୍ରମାଗତ ସଫଳତାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ତିଥିରେ ବିଜୁ ଜନତା ଦଳ ୧୬ ଅକ୍ଟୋବର ଦିନ ରାଜ୍ୟବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ ।

ଗୋଟିଏ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜୁ ଜନତା ଦଳର ଶୁଭେଚ୍ଛୁ, କାର୍ଯ୍ୟକର୍ତ୍ତା, ସ୍ଥାନୀୟ ନେତୃମଣ୍ଡଳୀ ଓ ଜନସାଧାରଣଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଳର ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

17 − 10 =