ବିଧାନସଭାରେ ରାଜ୍ୟସଭା ପ୍ରାର୍ଥୀତ୍ୱ ତାତି, ଅଶ୍ବିନୀ କହିଲେ ପ୍ରମାଣିତ ହୋଇନି

ଭୁବନେଶ୍ୱର () ବିଧାନସଭାରେ ଅଶ୍ବିନୀ ବୈଷ୍ଣବ ତାତି । ଜଣେ ଅଣଓଡ଼ିଆ, ଖଣି ଦୁର୍ନୀତି ତଥା ଇଚ୍ଛାଧୀନ କୋଟା ଦୁର୍ନୀତିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ କେଉଁ ଆଧାରରେ ବିଜେପି ରାଜ୍ୟସଭାରୁ ପ୍ରାର୍ଥୀ କରିଛି ଓ ବିଜେଡି ତାଙ୍କୁ ସମର୍ଥନ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିବା ବେଳେ ଦଳର ଅନ୍ୟ ନେତାମାନେ ଏହା ଉପରେ କହିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ସେମାନଙ୍କୁ ସୁଯୋଗ ନଦେବାରୁ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା ।
କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟଗୋଳ କରିବା ସହ ବିଧାୟକ ତାରା ପ୍ରସାଦ ବାହିନୀପତି ପୋଡିୟମରୁ କାଗଜ ଛଡାଇ ଆଣିଥିଲେ । ଏଥିସହ ସେମାନେ ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ । ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଆଲୋଚନା ଜରିଆରେ ସମାଧାନ କରିଥିଲେ । ଫଳରେ ଗୃହ ସ୍ବଭାବିକ ହେବା ପରେ କଂଗ୍ରେସ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଅଭିଯୋଗ କରିଥିଲେ ଯେ, ଭାରତର ରାଜନୈତିକ ଇତିହାସରେ ଏହା ଏକ ବିରଳ ଘଟଣା ଯେଉଁଥିରେ ସରକାରୀ ଦଳ ବିରୋଧୀ ଦଳକୁ ରାଜ୍ୟ ସଭାରେ ଗୋଟିଏ ଆସନ ଉପହାର ଭିତ୍ତିରେ ଦାନ କରିଛି । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ଏବଂ ବିଜେଡି ତାଙ୍କୁ ସମର୍ଥନ ଦେବା ଘଟଣାରୁ ପ୍ରମାଣିତ ହେଉଛି ଯେ ଦୁଇ ଦଳ ମଧ୍ୟରେ ସଲାସୁତୁରା ହୋଇଛି । ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା ନକରି ତାଙ୍କ ସମ୍ବୋଧନ କରିବା ଘଟଣା ମଧ୍ୟ ଦୁଇ ଦଳ ମଧ୍ୟରେ ଥିବା ଭିତିରି ବୁଝାମଣାର ଆଉ ଏକ ନମୁନା ।
ସେ ଅଭିଯୋଗ କରିଛନ୍ତି ଯେ, କଟକ ଭୁବନେଶ୍ୱରରେ ଇଚ୍ଛାଧୀନ କୋଟା ଦୁର୍ନୀତି ତଦନ୍ତ କରିଥିବା ତାରା ଦତ୍ତ କମିଟି ରିପୋର୍ଟରେ ମଧ୍ୟ ଅଶ୍ବିନୀଙ୍କ ନା ରହିଛି । ଏକାଧିକ ଖଣି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ସମ୍ପର୍କିତ ପ୍ରମାଣ ବି ତାଙ୍କ ପାଖରେ ରହିଛି । ବିଜେଡି ଏକ ଆଂଚଳିକ ଦଳ ଭାବେ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭାରେ କିଭଳି ସମର୍ଥନ ଦେଇଛି ସେନେଇ ସେ ପ୍ରଶ୍ନ ଉଠାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୃହରେ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ଦାବି କରିଥିଲା ।
ସେପଟେ ଅଶ୍ବିନୀ ଆଜି ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଇଚିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ନାହିଁ ।
Share

Leave a Reply

Your email address will not be published. Required fields are marked *

4 × five =