ପ୍ରଧାନମନ୍ତ୍ରୀଙ୍କର କେରଳ ପାଇଁ ୫୦୦ କୋଟିର ସହାୟତା

ଥିରୁଅନନ୍ତପୁରମ: ଦୀର୍ଘ ଶହେ ବର୍ଷ ପରେ କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ମେ’ ମାସରୁ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ଏଯାଏ ୩୩୮ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।ସେହିପରି ଅଗଷ୍ଟ ୯ ତାରିଖରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି। ଆଜି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।ପରିସ୍ଥିତିକୁ ଦୃଷ୍ଟିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ  ଅଞ୍ଚଳ ଦେଖିବା ସହ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ କେରଳ ପାଇଁ ୫୦୦ କୋଟିର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ କେରଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ କେରଳ ପାଇଁ ୧୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଗୋଟିଏ ମାସର ଦରମା କେରଳ ବନ୍ୟା ବିପନ୍ନଙ୍କୁ ଦିଆଯିବ ବୋଲି କହିଛନ୍ତି।  ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ କେବଳ ଆକାଶ ମାର୍ଗରେ ଉଦ୍ଧାର କରିବା ସମ୍ଭବପର ହେଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଲୋକଙ୍କୁ ୨ ହଜାର ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ରାଜ୍ୟର ପାଖାପାଖି ୧୦୦ଟି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟରେ ୩୦ଟି ହେଲିକପ୍ଟର ଓ ୩୨୦ଟି ବୋଟ୍‌ ନିୟୋଜିତ ହୋଇଛନ୍ତି।   ସେହିପରି ନୌସେନାର ୪୨ଟି ଟିମ୍ , ସ୍ଥଳ ସେନାର ୧୬, ତଟରକ୍ଷୀ ବାହିନୀର ୨୮ ଓ ଏନ୍‌ଡିଆର୍‌ଏଫ୍‌ର ୩୯ ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୪ଟି ବିମାନ ଓ ତଟରକ୍ଷୀ ବାହିନୀର ୩ଟି ଜାହାଜ ମଧ୍ୟ ମୁତୟନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

two × 3 =