ପ୍ରଦର୍ଶନୀ ପଡିଆରେ ହେବ ଶପଥ ପାଠ ଉତ୍ସବ

ଭୁବନେଶ୍ବର () ଦେଶର ରାଜନୈତିକ ଇତିହାସରେ ଏକ ଆଞ୍ଚଳିକ ଦଳ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାର ନଜିର ସୃଷ୍ଟି କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି 2000 ମସିହାରୁ କ୍ରମାଗତ ଭାବେ ରାଜ୍ୟରେ କ୍ଷମତାର ଡୋରୀ ନିଜ ହାତରେ ରଖୁଆସୁଥିବା ବେଳେ ଦଳ ଗଠନ ଦିନରୁ ଅର୍ଥାତ 1997ରୁ ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପ୍ରଭାବ ବିସ୍ତାର କରିରଖିଛି । ଆସନ୍ତାକାଲି ପୁଣି ଥରେ ନବୀନଙ୍କୁ ବିଧାୟକ ଦଳର ନେତା ଭାବେ ପୁଣି ଥରେ 112ଜଣ ବିଜୟୀ ବିଧାୟକ ନିର୍ବାଚିତ କରିବା ପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନର ଦାବି କରାଯିବ ।

ଆସନ୍ତାକାଲି ପୂର୍ବାହ୍ନରେ ଦଳର ବିଜୟୀ ସାଂସଦମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବେ । ପରେ ଦିନ ଗୋଟାଏ ବେଳେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବିଜେଡି ବିଧାୟକ ଦଳ ବୈଠକ । ଏହି ବୈଠକରେ ଦଳର ସବୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ପାଇଁ ବିଧାୟକ ଦଳ ନେତା ଭାବେ ସର୍ବସମ୍ମତିକ୍ରମେ ମନୋନିତ କରିବେ । ବିଜେଡିର ଏକ ପ୍ରତିନିଧି ଦଳ ସହ ନବୀନ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନର ଦାବି ଜଣାଇବେ ।

ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଏଥର ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଶପଥପାଠ ଉତ୍ସବ । ଦଳର ସବୁ ବିଧାୟକ, ସାଂସଦ, ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏହି ଶପଥପାଠ ଅନୁଷ୍ଠିତ ହେବ । ଏଥିସହିତ ପଞ୍ଚମ ପାଳିର ସରକାର ଗଠନ ଉତ୍ସବରେ ସାଧାରଣ ଲୋକ ବି ଯେପରି ଦେଖିପାରିବେ ସେଥିପାଇଁ ପ୍ରଦର୍ଶନୀ ପଡିଆରେ ବିରାଟ ଆୟୋଜନ କରାଯାଉଛି । ଆଜିଠାରୁ ସେଠାରେ ସଭାର ଆୟୋଜନ କାର୍ଯ୍ୟ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

two + twenty =