29ରେ ମିଳିବ କାଳିଆ ଯୋଜନାର ଦୁଇଟି କିସ୍ତି

ମନ୍ତ୍ରୀପରିଷଦରେ ଇସ୍ତାହାର କାର୍ଯ୍ୟକାରୀ କରିବାକୁ ମିଳିବ ମଂଜୁରୀ

ଭୁବନେଶ୍ବର () ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର 10 ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ । ଏଥିସହିତ ପ୍ରଥମ ଦିନରେ ହିଁ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯିବ । 29ରେ ସରକାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏବଂ ନବୀନଙ୍କ ଦ୍ବାରା ଚୟନ ହୋଇଥିବା 20ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ ।

ଶପଥ ଗ୍ରହଣର କିଛି ସମୟ ମଧ୍ୟରେ ବିଭାଗ ବଣ୍ଟାଯିବ । ପରବର୍ତ୍ତି ସମୟରେ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବେ । ପ୍ରଥମ ପ୍ରତିଶ୍ରୁତି ଥିଲା ସରକାରକୁ ଫେରିଲେ ଦଳର ନିର୍ବାଚନ ଇସ୍ତାହାରକୁ ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀପରିଷଦର ଅନୁମୋଦନ ନିଆଯିବ । ଏଥିପାଇଁ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ ମନ୍ତ୍ରୀପରିଷଦ ବୈଠକ ବସିବ । 2014 ପରେ ଏଥର ମଧ୍ୟ ସରକାର ଗଠନର ପ୍ରଥମ ଦିନରେ ହିଁ 2019 ନିର୍ବାଚନ ଇସ୍ତାହାରକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ସର୍ବସମ୍ମତ ଅନୁମୋଦନ ନିଆଯିବ ଏବଂ ଆସନ୍ତା 5 ବର୍ଷ ମଧ୍ୟରେ ତାହାକୁ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ସଂପୃକ୍ତ ବିଭାଗମାନେ ନିଜ ନିଜ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବେ । ଏବଂ ପୂର୍ବଥର ଭଳି ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ବିଭାଗୱାରୀ ଏହାର କାର୍ଯ୍ୟକାରିତାର ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେବେ ।

ସେହିଭଳି ସରକାର ଗଠନର ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତିର 10ହଜାର ଟଙ୍କା ଚାଷୀଙ୍କ ଖାତାକୁ ଯିବ ବୋଲି ମଧ୍ୟ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନିର୍ବାଚନ ସମୟରେ ଗତ ଏପ୍ରିଲ ଏକ ତାରିଖରେ ପଦାନ କରାଯିବାକୁ ଥିବା ଗୋଟିଏ କିସ୍ତି ଅର୍ଥ ପ୍ରଦାନ ଉପରେ କଟକଣା ଜାରି କରିଥିଲେ ନିର୍ବାଚନ କମିଶନ । ଏପରିକି ଏ ସଂପର୍କରେ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହା ପୂର୍ବରୁ ସ୍ଥିରିକୃତ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଉପରେ କଟକଣା ନଲଗାଇବାକୁ ଅନୁରୋଧ କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନା ବନ୍ଦ ନକରିବାକୁ ଅନୁରୋଧ କରିଥିଲେ । କିନ୍ତୁ ନିର୍ବାଚନ କମିଶନ କଟକଣା ନଉଠାଇବାରୁ ମୁଖ୍ୟମନ୍ତ୍ରୀ ସରକାର ଗଠନର ପ୍ରଥମ ଦିନରେ ଏକାସାଙ୍ଗେ କାଳିଆ ଯୋଜନାର ଦୁଇଟି କିସ୍ତି ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତିକୁ ସେହିଦିନ ହିଁ ପୂରଣ କରାଯିବ । ଶପଥ ଗ୍ରହଣ ପରେ ପ୍ରଦର୍ଶନୀ ପଡିଆରେ ହିଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଦୁଇଟି କିସ୍ତିର 10 ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ପ୍ରକ୍ରିୟାର ଶୁଭାରମ୍ଭ କରିବେ । ସେହିଭଳି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ପୂର୍ବ ଘୋଷଣା ଅନୁଯାୟୀ କାଳିଆ ସହୟତା କେବଳ 5ଟି ଫସଲ ପାଇଁ ପ୍ରଦାନ କରାଯିବନି । ଏହା ଏକ ନିୟମିତ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ ହେବ ।

Share

Leave a Reply

Your email address will not be published. Required fields are marked *

twenty − one =