ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଉତ୍କୋଚ ମାମଲା

  • କେନ୍ଦ୍ରର ବିଜେପି ସରକାରଙ୍କୁ ଶକ୍ତ ଧକ୍କା

  • ଗିରଫ ହେଲେ ଡେପୁଟି ଏସପି

  • ସିବିଆଇରେ ବଢୁଛି ଅନ୍ତର୍ଦ୍ବନ୍ଦ୍ବ

  • ଶୀତଳ ଭଣ୍ଡାରରେ ସିବିଆଇର ପୁର୍ନଗଠନ ପ୍ରସ୍ତାବ

ନୂଆଦିଲ୍ଲୀ () କେନ୍ଦ୍ରୀୟ ଦତନ୍ତକାରୀ ସଂସ୍ଥା (ସିବିଆଇ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଉତ୍କୋଚ ମାମଲା ରୁଜୁ ସହ ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଜଣେ ଡେପୁଟି ଏସପିଙ୍କୁ ସୋମବାର ଗିରଫ ଘଟଣା କେନ୍ଦ୍ରରେ ନେତୃତ୍ବାଧୀନ ବିଜେପି ସରକାରଙ୍କୁ ଏକ ବଡ ଧକ୍କା ଲାଗିଛି । ଜନୈକ ବ୍ୟବସାୟୀଙ୍କୁ ଦୋଷମୁକ୍ତ କରିବା ପାଇଁ ସିବିଆଇ ରାକେଶ ଆସ୍ଥାନା ୨କୋଟି ଟଙ୍କାର ଉତ୍କୋଚ ନେବା ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇର ଜନୈକ ଡେପୁଟି ଏସ୍‌ପିଙ୍କ ଆଜି ଅପରାହ୍ଣରେ ଗିରଫ କରିଛି । ଏହି ଘଟଣା ଦେଶବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ହୋଇଥିବା ସିବିଆଇର ଜନୈକ ଡେପୁଟି ଏସ୍‌ପିଙ୍କ ନାମ ଦେବେନ୍ଦ୍ର କୁମାର ବୋଲି ସିବିଆଇ ସୂତ୍ରରୁ ଜଣାପଡିଛି।

ସିବିଆଇ ଏହାର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଉତ୍କୋଚ ଗ୍ରହଣ କରିବା ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ ରାକେଶ ଅସ୍ଥାନା ଏକ ମାମଲାରେ ଅଭିଯୁକ୍ତ ମୋଇନ କ୍ବୁରୋସୀଙ୍କୁ ଅନୁଗ୍ରହ ପ୍ରଦାନ ପାଇଁ ତାଙ୍କ ଠାରୁ 2 କୋଟିର ଉତ୍କୋଚ ଦାବି କରିଥିଲେ ଏବଂ ଏହି ଉତ୍କୋଚ ରାଶିକୁ ଦୁବାଇ ଠାରେ ରହୁଥିବା ଜନୈକ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ ସତୀଶ ସାନାଙ୍କୁ ପ୍ରଦାନ କରିବା ପାଇଁ ମନୋଜ ପ୍ରସାଦ ନାମକ ଜନୈକ ମଧ୍ୟସ୍ଥିଙ୍କ ଜରିଆରେ ନିର୍ଦ୍ଦେଶ ଦେଇଥିଲେ।

ଏ ଘଟଣା ଜଣା ପଡ଼ିବା ପରେ ଏବେ ସିବିଆଇ କର୍ତ୍ତୃପକ୍ଷ ଏ ଉତ୍କୋଚ କାରବାରରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରଥିଲା। ସିବିଆଇ ମନୋଜଙ୍କ ଫୋନ କଲ ଓ ହ୍ଵାଟସଆପ ମେସେଜକୁ ଯାଞ୍ଚ କରିବା ପରେ ବ୍ୟବସାୟୀ ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଚଳାଇଥିଲା। ତେବେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ସହ ହୋଇଥିବା ଲାଞ୍ଚ କାରବାରରେ ସିବିଆଇର ଜନୈକ ଡେପୁଟି ଏସପି ଦେବେନ୍ଦ୍ର କୁମାର ସଂପୃକ୍ତ ଥିବା ସିବିଆଇ ତଦନ୍ତକାରୀ ଟିମ ଆଜି ପ୍ରମାଣ ପାଇବା ପରେ ଏହି ମାମଲାରେ ତାଙ୍କୁ ଗିରଫ କରିଛି।

ଏହି ଘଟଣା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ରାକେଶ ଆସ୍ଥାନଙ୍କ ମଧ୍ୟରେ ଗୁରୁତ୍ତର ଅନ୍ତର୍ଦ୍ବନ୍ଦ୍ବ ପରେ ପଦାକୁ ଆସିଛି । ଆସ୍ଥାନ ସିବିଆଇ ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ସେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗରେ ଅଜଥା ହସ୍ତକ୍ଷେପ କରୁଛନ୍ତି । ଲାଲୁଙ୍କ ଏହି ଦୁର୍ନୀତିର ତଦନ୍ତ ଆସ୍ଥାନ କରୁଥିଲେ । ସେପଟେ ସିବିଆଇ ନିର୍ଦ୍ଦେଶକ ପାଲଟା ଆକ୍ଷେପ କରିଥିଲେ ଯେ, ଆସ୍ଥାନଙ୍କ ଅଭିଯୋଗ ତୁଚ୍ଛ, କାରଣ ସେ ନିଜ ବିରୋଧରେ ଆସିଥିବା ଉତ୍କୋଚ ମାମଲାକୁ ଘଣ୍ଟ ଘୋଡାଇବାକୁ ଏଭଳି ଅଭିଯୋଗ ଆଣିଛନ୍ତି ।

ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଆସିଥିବା ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ ନକରିବାକୁ କଂଗ୍ରେସ ଦାବି କରିଛି । କଂଗ୍ରେସ ମୁଖପାତ୍ର ଅଭିଷେକ ମାନୁଭାଇ ସିଂଭି ଅଭିଯୋଗ କରିଛନ୍ତି ଯେ, ଆସ୍ଥାନ ପଶ୍ଚିମ ଭାରତର ଏକ ନିର୍ଦ୍ଧିଷ୍ଟ ରାଜ୍ୟରୁ ଆସିଥିବାରୁ ଏବଂ ସେଠାରେ ଶାସନ କରୁଥିବା ଦଳ ସହ ତାଙ୍କ ଭଲ ସଂପର୍କ ଥିବାରୁ ତାଙ୍କର ପୋଷ୍ଟିଂ ସିବିଆଇରେ ହୋଇଥିଲା । ତେଣୁ ଏବେ ସମୟ ଆସିଛି ସିବିଆଇକୁ ସଂପୁର୍ଣ୍ଣ ଭାବେ ସଫା କରାଯିବାର । କାରଣ ଏହା ଦେଶର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସେ କହିଛନ୍ତି ।

1978 ମସିହାରେ ପୂର୍ବତନ ଗୃହ ସଚିବ ଏଲ.ପି. ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ସିବିଆଇର କାର୍ଯ୍ୟଧାରାରେ ସଂଶୋଧନ ଏବଂ ପୁର୍ନଗଠନ ପାଇଁ ବିସ୍ତ୍ରୁତ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଏବେ ଶୀତଳ ଭଣ୍ଡାରରେ ପଡିଛି ।

1991-92ରେ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ମଧ୍ୟ ସିବିଆଇର କାର୍ଯ୍ୟଧାରା ସଂପର୍କରେ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟରେ ସିବିଆଇର କାର୍ଯ୍ୟଧାରା ସଂପର୍କରେ ନିର୍ଦ୍ଧିଷ୍ଟ ନୀତି ପ୍ରସ୍ତୁତ କରାଯିବା ସହ ଏହାର ଅଧିକାରପତ୍ର ସଂପର୍କରେ ସ୍ବତନ୍ତ୍ର ଆଇନ ଆଣିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି କମିଟି ସ୍ପଷ୍ଟ ଭାବେ ମତ ଦେଇଥିଲା ଯେ, ସିବିଆଇକୁ ଏକ ବୈଧାନିକ କ୍ଷମତା ଦିଆଯାଉ ଏବଂ ତଦନ୍ତ ପାଇଁ ଆଇନଗତ କ୍ଷମତା ମଧ୍ୟ ପ୍ରଦାନ କରାଯାଉ, ଅନ୍ୟଥା ଏହାର ଫଳପ୍ରଦ ଧିରେ ଧିରେ ହ୍ରାସ ପାଇବ ।

ଏଥିପାଇଁ ସମ୍ବିଧାନରେ ସଂଶୋଧନର ଆବଶ୍ୟକତା ପାଇଁ ରାଜ୍ୟମାନଙ୍କ ସହ ଆଲୋଚନା କରିବାକୁ ମଧ୍ୟ ସଂସଦୀୟ କମିଟି ମତ ଦେଇଥିଲା । ସିବିଆଇ ମୁଖ୍ୟତଃ ଏକ ଦୁର୍ନୀତି ମୁକ୍ତ ସଂସ୍ଥା । ତେଣୁ ଜାତୀୟ ଏବଂ ଆନ୍ତର୍ଦେଶୀୟ ଅପରାଧିକ ମାମଲାତର ତଦନ୍ତ ପାଇଁ ଏକ ଜାତୀୟ ପୋଲିସ ଏଜେନ୍ସି ପ୍ରତିଷ୍ଠା ସଂପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାକୁ କମିଟି ପ୍ରସ୍ତାବ ରଖିଥିଲା । ଏହି ଏଜେନ୍ସି ଗୃହ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ ବୋଲି କମିଟି ପ୍ରସ୍ତାବ ଦେଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen − 7 =