କାହିଁକି ବଢୁଛି ଡିଜେଲ ଦର?

ଭୁବନେଶ୍ୱର () କ୍ରମାଗତ ଭାବେ ଗତ ଦୁଇଦିନ ଧରି ଓଡ଼ିଶାରେ ଡିଜେଲ ଦର ପେଟ୍ରୋଲ ଠାରୁ ଅଧିକ ରହିଛି । ଡିଜେଲ ଦର ପେଟ୍ରୋଲ ଠାରୁ ଅଧିକ ରହିବାର କାରଣ କଣ, ସେନେଇ ଯେତିକି ଚର୍ଚ୍ଚା ହଉନି, ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ବେଶି ହଉଛି । ପେଟ୍ରୋଲ ଠାରୁ ଡିଜେଲର ମୂଳ ଦର ଅର୍ଥାତ ବେସ ପ୍ରାଇସ ପ୍ରାୟ 4 ଟଙ୍କା କାହିଁକି ଅଧିକ ରହିଛି । ଏହାର ଉତ୍ତର କିଏ ଦେବ । କେବଳ ରାଜନୈତିକ ନାରାବାଜୀରେ ରାଜ୍ୟ ସରକାର ଆଦାୟ କରୁଥିବା ଭାଟକୁ ଆଳ କରି କେନ୍ଦ୍ର ସରକାର ନିଜକୁ ଦାଇତ୍ୱ ମୁକ୍ତ କରିଦେଉଛନ୍ତି ।

ଆଜିର ବଜାର ଦର ଅନୁଯାୟୀ ପେଟ୍ରୋଲରେ ଲିଟର ପିଛା ଡ଼ିଲର ଠାରୁ ତୈଳ କମ୍ପାନୀ 46.49 ଟଙ୍କା ଆଦାୟ କରୁଥିବା ବେଳେ କେନ୍ଦ୍ରୀୟ ଟିକସ ବାବଦରେ 17.98 ଟଙ୍କା ଓ ଭାଟ ବାବଦରେ 15.89 ଟଙ୍କା ଆଦାୟ ହେଉଛି । ଫଳରେ ପେଟ୍ରୋଲ ଲିଟର ପିଛା ଗ୍ରାହକ 80.36 ଟଙ୍କା ଦଉଛି । ସେମିତି ଡିଜେଲରେ ଡିଲରଠାରୁ ତୈଳ କମ୍ପାନୀ ଲିଟର ପିଛା 50.51 ଟଙ୍କା, କେନ୍ଦ୍ରୀୟ ଟିକସ ବାବଦରେ 14.09 ଟଙ୍କା ଓ ରାଜ୍ୟ ଟିକସ ବାବଦରେ 15.89 ଟଙ୍କା ଆଦାୟ ହେଉଛି । ଏମିତି ଗ୍ରାହକ ଲିଟର ପିଛା ଡିଜେଲ ପାଇଁ 80.49 ଟଙ୍କା ଦଉଛି । ଏମିତି ଦେଖିଲେ ପେଟ୍ରୋଲ ଠାରୁ ଡିଜେଲ ଦର 13 ପଇସା ଅଧିକ । ଶନିବାରଠାରୁ ଏହି ବ୍ୟତିକ୍ରମ ଦେଖାଦେଇଛି ।

ଗତ 5 ତାରିଖରୁ 16 ତାରିଖ ଏହି 11 ଦିନରେ ପେଟ୍ରୋଲର ବେସ ପ୍ରାଇସ 43.12ରୁ 44.43 ଟଂକାକୁ ଅର୍ଥାତ 1.04 ଟଙ୍କା ବୃଦ୍ଧି ପାଇଥିଲା । ସେହି ସମୟରେ ଡିଜେଲର ବେସ ପ୍ରାଇସ 2.33 ଟଙ୍କା ବଢିଥିଲା । ଅକ୍ଟୋବର 17ରୁ 22 ତାରିଖ ମଧ୍ୟରେ ପେଟ୍ରୋଲର ମୂଳ ଦର ବା ବେସ ପ୍ରାଇସ 1.08 ଟଙ୍କା କମିଥିବା ବେଳେ ଡିଜେଲର ବେସ ପ୍ରାଇସ 65 ପଇସା କମିଥିଲା । ଏହି ଗଣିତରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଡିଜେଲର ବେସ ପ୍ରାଇସ ପେଟ୍ରୋଲ ଠାରୁ ଅଧିକ। କିନ୍ତୁ ଏହି ବେସ ପ୍ରାଇସ ବୃଦ୍ଧିର କାରଣ କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରିବର୍ତ୍ତେ ରାଜ୍ୟର ଆର୍ଥିକ ପରିଚାଳନାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଭାଟ ହ୍ରାସ କରିବାକୁ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ଚାପ ସୃଷ୍ଟି କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =