ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି

ଆରମ୍ଭ ହେଲା ପରାଜୟର କାରଣ ଖୋଜା ଅଭିଯାନ

ଭୁବନେଶ୍ୱର () : ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମାନ୍ତରାଳ ଭାବେ ପିସିସି ନେତୃତ୍ୱ ପରିବର୍ତ୍ତନର ଦାବି ମଧ୍ୟ ଜୋର ଧରିଛି । ଓଡିଶାରେ କଂଗ୍ରେସର ନବକଳେବର ହେବା ଉଚିତ । ଏଥିପାଇଁ ନେତୃତ୍ୱ ପରିବର୍ତ୍ତନ ଏକମାତ୍ର ବିକଳ୍ପ ବୋଲି ଦଳର କିଛି ବରିଷ୍ଠ ନେତା ଦାବି ରଖିଛନ୍ତି । କେବଳ ନେତୃତ୍ୱ ପରିବର୍ତ୍ତନ ହେଲେ ବି ଦଳର ପୁର୍ନଗଠନ ହେବନି । ଏଥିପାଇଁ ସେମାନେ ପିସିସି ସଭାପତିର ଯୋଗ୍ୟତା ଏବଂ ତାଙ୍କ ଅଧିକାର ନେଇ ମଧ୍ୟ ଏଆଇସିସି ସଚେତନ ହେବା ଉଚିତ ବୋଲି କହିଛନ୍ତି ।

ପିସିସି ସଭାପତି ଜଣେ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଚୟନ ହେବା ଉଚିତ । ଯିଏ ନିର୍ବାଚନରେ ଜିତିଛି ସେ ହିଁ ଦଳକୁ ବିଜୟର ସ୍ୱାଦ ଚଖେଇ ପାରିବ ଏବଂ ପ୍ରାର୍ଥୀଙ୍କୁ ବିଜୟର ମନ୍ତ୍ର ଦେଇପାରିବ । କୌଣସି ପରାଜିତ ପ୍ରାର୍ଥୀ ଦଳକୁ ନେତୃତ୍ୱ ଦେଇପାରିବେ ନାହିଁ । ଏଭଳିସ୍ଥିତିରେ ରାଜ୍ୟ କଂଗ୍ରେସରେ ବରିଷ୍ଠ ନେତା ନରସିଂହ ମିଶ୍ର ଏକ ମାତ୍ର ଯୋଗ୍ୟ ବ୍ୟକ୍ତି ଏବଂ ସେ ହିଁ ଦଳକୁ ଆଗାମୀ ଦିନରେ ଉଚିତ ମାର୍ଗଦର୍ଶନ ଦେଇପାରିବେ ବୋଲି ମତ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଗଣେଶ୍ୱରଙ୍କ ସହ ସ୍ୱର ମିଳାଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସକୁ ପୁଣି ଥରେ ନିଜର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଜଣେ ଯୁବ ନେତାଙ୍କୁ ରାହୁଲ ଗାନ୍ଧୀ ଭରସା କରିବା ଉଚିତ ।

ଗଣେଶ୍ୱର କହିଛନ୍ତି ଯେ, କଂଗ୍ରେସର ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆଯିବା ଉଚିତ । ଏଥିସହିତ ପିସିସି ସଭାପତିଙ୍କୁ ଦଳର ସାଙ୍ଗଠନିକ କାର୍ଯ୍ୟରେ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଏକାନ୍ତ ଆବଶ୍ୟକ । ପିସିସି ଉପରେ ଅଯଥା ହସ୍ତକ୍ଷେପକୁ ବନ୍ଦ କରାଯିବା ଉଚିତ । ଏଥିସହିତ ଦଳକୁ ଆଗକୁ ବଢାଇବା ପାଇଁ ପିସିସି ସଭାପତିଙ୍କୁ ଦଳ ତରଫରୁ ଆର୍ଥିକ ସହାୟତା ମଧ୍ୟ ଦିଆଯିବା ଉଚିତ ।

ସେପଟେ ର୍ନିବାଚନ ଫଳାଫଳ କଂଗ୍ରେସ ଦଳର ସ୍ଥିତିକୁ ଦୋହଲାଇ ଦେଇଥିବାରୁ ବିପର୍ଯ୍ୟୟର କାରଣ ଖୋଜିବାକୁ ଗଠିତ ତଥ୍ୟ ଅନୁସନ୍ଧାନ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । କାରଣ ଖୋଜିବାକୁ ଏହି କମିଟି ଅଧିନରେ ୬ଟି ସବ-କମିଟି ଗଠନ କରାଯିବ । ପ୍ରତି ସବ-କମିଟି ୫ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ ଏବଂ ପ୍ରତି କମିଟିରେ ୩ଜଣ ଲେଖାଏଁ ସଦସ୍ୟ ରହିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ସଦସ୍ୟମାନେ ନିଜ ଅଞ୍ଚଳକୁ ଯିବେନାହିଁ ।

୬ଟି ସବ-କମିଟି ୩୦ଟି ଜିଲ୍ଲା ଗସ୍ତ କରି ପ୍ରତି ଜିଲ୍ଲାରେ ଆଶାୟୀ ପ୍ରାର୍ଥୀ, ସାଧାରଣ ଜନତା, ବୁଦ୍ଧିଜୀବୀ ଏବଂ ଜିଲ୍ଲା କର୍ମକର୍ତ୍ତାଙ୍କ ଠାରୁ ରିପୋର୍ଟ ଆଣିବେ । ବିପର୍ଯ୍ୟୟର କାରଣ ଖୋଜିବା ସହ ନିରାକରଣ ମଧ୍ୟ ଖୋଜିବେ ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହି ସବ-କମିଟି ମାନେ ନିଜ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଅ ।ଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ପରାଜୟର ତର୍ଜମା କରାଯିବା ସହ ଯଦି ଦରକାର ପଡେ, କଂଗ୍ରେସ ଆଉଥରେ ଲୋକଙ୍କ ପାଖକୁ ଯିବ ଏବଂ କଂଗ୍ରେସ କଣ ପାଇଁ ହାରିଲା ଓ କଣ କଲେ କଂଗ୍ରେସ ସୁଦୃଢ ହୋଇପାରିବ ସେନେଇ ସବିଶେଷ ରିପୋର୍ଟ ଏଆଇସିସିକୁ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

13 + 5 =