ନିରଂଜନଙ୍କ ୟୁ-ଟର୍ଣ୍ଣ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇପାରୁନି

ଭୁବନେଶ୍ୱର () ପିସିସି ସଭାପତି ନିରଂଜନ ପଟ୍ଟନାୟକ ମାରିଛନ୍ତି ୟୁ-ଟର୍ଣ୍ଣ । ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରିନି । ନିଜେ ନିରଂଜନ ଆଜି ଏହା ସ୍ୱୀକାର କରିଛନ୍ତି । ଏଥିସହିତ ସେ ମାନିଛନ୍ତି ଯେ, ଦାୟିତ୍ୱ ଗ୍ରହଣ କରିବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବାକୁ ଅଗଷ୍ଟ ଶେଷ ସୁଦ୍ଧା ୫୦ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି କହିଥିଲେ ।
ପିସିସି ସଭାପତି ଭାବେ ଦାୟୀତ୍ୱ ନେବା ପରେ ନିଜେ ନିରଂଜନ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମିଳିତ ଭାବେ ଘୋଷଣା କରିଥିଲେ ଯେ, ଅଗଷ୍ଟ ଶେଷ ସୁଦ୍ଧା ଅନ୍ୟୁନ ୫୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ । ବିଜେଡି ଓ ବିଜେପିର ଢେର ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ଏମିତି କହି ନିରଂଜନ କଂଗ୍ରେସ ଓ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଦେଇଥିଲେ । କିନ୍ତୁ ଅଗଷ୍ଟ ଶେଷ ସୁଦ୍ଧା କଣ ସେପ୍ଟେମ୍ବର ମାସ ସରିବାକୁ ବସିଲାଣି ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇପାରୁନି ।
ହେଲେ ଏବେ ନିରଂଜନ ବ୍ୟାକଫୁଟରେ । କାରଣ ୫୦ କଣ ୫ଟି ଆସନ ପାଇଁ ବି ପ୍ରାର୍ଥୀ ଚୁଡାନ୍ତ କରିପାରୁନାହାଁନ୍ତି ନିରଂଜନ । କାରଣ ନିରଂଜନ ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀ ଓ ନେତାମାନେ କିଛିଟା କ୍ରିୟାଶିଳ ହୋଇଥିଲେ ବି ଆଭ୍ୟନ୍ତରିଣ କନ୍ଦଳକୁ ସଂପୂର୍ଣ୍ଣ ଭାବେ ସମାଧାନ କରିପାରିନାହାଁନ୍ତି । ଗୋଟିଏ ଗୋଟିଏ ଆସନରେ ଏକାଧିକ ଆଶାୟୀ ସୃଷ୍ଟି ହୋଇଛନ୍ତି । ଏପରିକି ବିଧାୟକ କିମ୍ବା ଆଶାୟୀ ପ୍ରାର୍ଥୀ ଓ ଜୋନ ଦାୟିତ୍ୱରେ ଥିବା କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରେ ପଟୁ ନାହିଁ । ଏହିଦୃଷ୍ଟିରୁ ସଭାପତି ଚାହୁଁଥିବା ପ୍ରାର୍ଥୀଙ୍କୁ ଜୋନ ସଭାପତି ରାଜି ହେଉନାହାଁନ୍ତି ।
ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବାକୁ ଦିଲ୍ଲୀରେ ବସୁଛି ଘନଘନ ବୈଠକ । ନିରଂଜନ ଦେଇଥିବା ତାଲିକା ଉପରେ ରାଜ୍ୟ ପ୍ରଭାରୀ ଓ ଏଆଇସିସି ତନାଘନା ଚଳାଇଛି । ସେହିଭଳି ଶ୍ରୀକାନ୍ତ ଜେନା କ୍ୟାମ୍ପେନ କମିଟି ମୁଖ୍ୟ ହୋଇଥିବା ବେଳେ ତାଙ୍କର ଓ ନିରଂଜନଙ୍କ ମଧ୍ୟରେ ରହିଥିବା ତିକ୍ତ ସମ୍ପର୍କ ସଂପର୍କ କାହାକୁ ଅଛପା ନାହିଁ । ତେଣୁ ନିରଂଜନଙ୍କ ବ୍ୟାକଫୁଟକୁ ନେଇ ଶ୍ରୀକାନ୍ତ ମଧ୍ୟ ଆଜି ପେଞ୍ଚ ମାରିଛନ୍ତି । ସେ କହିଛନ୍ତି ଯେ, ସଭାପତି ପ୍ରାର୍ଥୀ ଚୁଡାନ୍ତ କରିବା ପୂର୍ବରୁ ପ୍ରଥମେ ଦଳ କେଉଁ ଦିଶାରେ ନିର୍ବାଚନ ଲଢିବା ତାହା ସ୍ଥିର କରୁ ।
Share

Leave a Reply

Your email address will not be published. Required fields are marked *

11 + 7 =