ବାଲେଶ୍ବର ଓ ତିର୍ତ୍ତୋଲରେ ନବୀନ କରିଶ୍ମା, ଦୁଇଟି ଯାକ ଆସନ ଦଖଲ କଲା ବିଜେଡି

ଭୁବନେଶ୍ବର () ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ, ସେ ହେଉଛନ୍ତି ଅପ୍ରତିଦ୍ବନ୍ଦ୍ବି । ତାଙ୍କ ବିକାଶ ଏଜେଣ୍ଡା ଆଗର ବିରୋଧୀଙ୍କ ସବୁ ଚାଲ ଫେଲ ମାରୁଛି । ଏକଥା ପୂର୍ବରୂ ବାରମ୍ବାର ପ୍ରମାଣିତ ହୋଇଥିଲା, ଆଉ ଆଜି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରୁ ଆଉ ଥରେ ସ୍ପଷ୍ଟ ହୋଇଛି । ସରକାର ବିରୋଧରେ ବିରୋଧୀ ଯେତେ ପ୍ରସଙ୍ଗ ଉଠାଇଲେ ବି ଭୋଟରଙ୍କୁ ପ୍ରଭାବିତ କରିପାରୁନାହାଁନ୍ତି । ଉପକୂଳରୁ ନେଇ ଉତ୍ତର ଓ ପଶ୍ଚିମରୁ ଦକ୍ଷୀଣ ସବୁଠି ଲୋକଙ୍କ ଭରସା ନବୀନ । ଭୋଟରଙ୍କ ଭାଷାରେ ବିକାଶର ଅନ୍ୟ ନାମ ନବୀନ ।  

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟୀ ହୋଇଛି ବିଜେଡି । ବାଲେଶ୍ବରରେ ସ୍ବରୂପ ଦାଶ ଓ ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି, ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।

ବାଲେଶ୍ବରରେ ୧୩ ହଜାର ୩୫୧ ଭୋଟ ବ୍ୟବଧାନରେ ବିଜେଡିର ସ୍ବରୂପ ଦାସ ବିଜୟୀ ହେଇଥିବା ବେଳେ ତିର୍ତ୍ତୋଲରେ ୪୧ ହଜାର ୭୦୩ ଭୋଟରେ ବିଜେଡିର ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି । ତେବେ ଉଭୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ଦ୍ବିତୀୟ ସ୍ଥାନରେ ରହିଛି ।

 

ବାଲେଶ୍ବରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ 84ହଜାର 97 ଖଣ୍ଡ ଅର୍ଥାତ 51.8 ପ୍ରତିଶତ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତ୍ତ 70 ହଜାର 746 ଅର୍ଥାତ 43.58 ପ୍ରତିଶତ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ 4983 ଅର୍ଥାତ 3.07 ପ୍ରତିଶତ ଭୋଟ ପାଇଛନ୍ତି । କଂଗ୍ରେସ ବାଲେଶ୍ବରରେ ଅମାନତ ରକ୍ଷା କରିପାରିନି । ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ସୋସିଆଲ ମିଡିଆରେ ହଇଚଇ କରିଥିବା ବେଣୁଧର ବାରିକ 1255 ଖଣ୍ଡ ଭୋଟ ପାଇଛନ୍ତି ।

ତିର୍ତ୍ତୋଲରେ ସେହିଭଳି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 88 ହଜାର 310 ଅର୍ଥାତ 52.91 ପ୍ରତିଶତ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା 46 ହଜାର 607 ଅର୍ଥାତ 27.92 ପ୍ରତିଶତ ଏବଂ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ 28 ହଜାର 778 ଅର୍ଥାତ 17.24 ପ୍ରତିଶତ ଭୋଟ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 1 =