ନିଲମ୍ବନ ପରେ ବିଧାୟକ ପଦରୁ ଦେବେ ଇସ୍ତଫା

କଂଗ୍ରେସରୁ ନିଲମ୍ବିତ ହେଲେ ଯୋଗେଶ ସିଂହ

ଶିରିଡିରୁ ଫେରି ବିଜେଡିରେ ଯୋଗ ଦେବେ ପ୍ରକାଶ

ନିଷ୍ପତ୍ତି ବଦଳାଇଲେ ପ୍ରଫୁଲ୍ଲ ମାଝୀ ଓ ଅଂଶୁମାନ ମହାନ୍ତି

ଭୁବନେଶ୍ବର ()  ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି । ଆଜି ସନ୍ଧ୍ୟାରେ ଏ ସଂପର୍କରେ ଦଳର ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଯୋଗେଶଙ୍କ ପରେ ଏବେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ପାଳି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ବର ସଭାରେ ଯୋଗ ନଦେବାକୁ ଘୋଷଣା କରିଥିଲେ ଏହି ଦୁଇ ନେତା । ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ଉଭୟଙ୍କୁ ଦଳ ତରଫରୁ କୈଫିୟତ ତଲବ କରାଯାଇଥିଲା । ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଯୋଗେଶ କହିଛନ୍ତି ଯେ, ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି, ମୁ ବି କଲି । ଏଥିରେ ଦୋଷ ରହିଲା କେଉଁଠି । ଏଥିସହିତ ସେ ଖୁବଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ତେବେ ବିଜେଡିରେ ଯୋଗ ଦେବା ନେଇ ସେ କହିଛନ୍ତି ଯେ, ସେ ନିଷ୍ପତ୍ତି ନେଇନାହାଁନ୍ତି ।

2014ରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିଭଳି ଯୋଗେଶ ସିଂହ ସୁନ୍ଦରଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ । ଯୋଗେଶ ଦୁଇ ଥର ବିଧାୟକ ଭାବେ ସୁନ୍ଦରଗଡ ଆସନରୁ ନିର୍ବାଚିତ ହୋଇସାରିଥିବା ବେଳେ ପ୍ରକାଶ ବେହେରା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ।

କଂଗ୍ରେସର ଏହି ଦୁଇ ବିଧାୟକ ବିଜେଡିରେ ମିଶିବାକୁ ଆଗ୍ରହୀ । ଏଥିପାଇଁ ବିଜେଡି ମୁଖିଆଙ୍କ ସହ ଆଲୋଚନା ସରିଛି । ଖୁବଶୀଘ୍ର ସେମାନେ ବିଜେଡିରେ ମିଶିବାକୁ ଯାଉଛନ୍ତି । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ସମୟରେ ତାଙ୍କ କାର୍ଯ୍ୟକୁ ବିରୋଧ କରି ପ୍ରଦେଶ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ପାଇଁ ଚାଲିଥିବା ଲବିରେ ମଧ୍ୟ ଏହି ଦୁଇ ନେତା ସାମିଲ ଥିଲେ । ସେମାନେ ଖୋଲାଖୋଲି ପ୍ରସାଦଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ । ନିରଂଜନ ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିବା ପରେ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ଏମାନେ ଘୋଷଣା କରିଥିଲେ ।

ହଠାତ ପଟ୍ଟ ପରିବର୍ତ୍ତନ ନିରଂଜନଙ୍କୁ ଚକିତ କରିଛି । ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ନିରଂଜନ ଦୁଇ ବିଧାୟକଙ୍କୁ ବାରମ୍ବାର ବୁଝାଇଥିଲେ ବି ସେମାନେ 2019ରେ ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଉଭୟଙ୍କ ଯୁକ୍ତି ହେଉଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର କାର୍ଯ୍ୟ ଆଗେଇ ପାରୁଛି । ତେଣୁ ସେମାନେ ବିଜେଡି ଆଡେ ମୁହାଁଇଁଛନ୍ତି । କଂଗ୍ରେସରେ ଥାଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାକୁ ପିସିସି ଗ୍ରହଣ କରିପାରୁନି ।

ସେପଟେ ମିଳିଥିବା ସୂଚନା ଅନୁଯାୟୀ ପ୍ରକାଶ ବେହେରା ବିଜେଡିରେ ଯୋଗ ଦେବା ନେଇ ଦଳୀୟ ସୁପ୍ରିମୋଙ୍କ ଠାରୁ ସବୁଜ ସଙ୍କେତ ମିଳିସାରିଛି । ଦୀର୍ଘ ଦିନ ଧରି ସେ ବିଜେଡି ସହ ଯୋଗାଯୋଗରେ ଥିଲେ । ଗତକାଲି ତାଙ୍କର ବିଜେଡି ଯିବା ଚୁଡାନ୍ତ ହୋଇଯିବା ପରେ ଆଜି ସେ ପରିବାର ସହ ସିରିଡି ଦର୍ଶନରେ ଯାଇଛନ୍ତି । ସିରିଡିରୁ ଫେରିବା ପରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ।

ତଲସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ଓ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡି ଯିବାକୁ ଲାଇନରେ ଥିଲେ । କିନ୍ତୁ ଏହି ଦୁଇ ବିଧାୟକ ଆଉ ବିଜେଡି ପାଇଁ ଲାଳାୟିତ ନୁହଁନ୍ତି । ପ୍ରକାଶ ବେହେରାଙ୍କ ସହ ସେମାନେ ମଧ୍ୟ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମାନେ ଏବେ ଆଉ ବିଜେଡିରେ ମିଶିବେ ନାହିଁ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

20 − 2 =