ଭାଉଜ ଆଉଟ୍‍, ଦିଅର ଇନ୍‍

ଭୁବନେଶ୍ବର (ନିପ୍ର): ଆସନ୍ତା ନଭେମ୍ବର ମାସରେ ରାଜ୍ୟ ସରକାର ଆୟୋଜନ କରିଥିବା ମେକ୍‍ ଇନ୍‍ ଓଡିଶା କାର୍ଯ୍ୟକ୍ରମରୁ ଜାଗୀ ମଙ୍ଗତ ପଣ୍ଡା ଅଧ୍ୟକ୍ଷା ଥିବା ସିଆଇଆଇ ଆଉଟ୍‍ ହେବାପରେ ଏବେ ତାଙ୍କ ଦିଅର ତଥା ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା ମୁଖ୍ୟଥିବା ଫିକି ଇନ୍‍ ହୋଇଛି । ଫିକି ସହାୟତାରେ ମେକ୍‍ ଇନ୍‍ ଓଡିଶା ଆୟୋଜନ କରିବା ପାଇଁ ରାଜ୍ୟ ସରକାର ମନ ସ୍ଥିର କରିଛନ୍ତି ।

ନଭେମ୍ବର ୧୧ ରୁ ୧୫ ତାରିଖ ଯାଏ ଆୟୋଜିତ ହେବାକୁ ଥିବା ମେକ୍‍ ଇନ୍‍ ଓଡିଶା କାର୍ଯ୍ୟକ୍ରମରେ ପ୍ରଥମେ ସିଆଇଆଇ ସହଯୋଗ କରିବ ବୋଲି ସ୍ଥିର ହୋଇଥିଲା । ହେଲେ ସିଆଇଆଇ ଏଥିରୁ ଓହରି ଯିବାପରେ ଏଥିପାଇଁ ଜାଗୀ ମଙ୍ଗତ ପଣ୍ଡାଙ୍କୁ ଦୋଷ ଦିଆଯାଇଥିଲା । ଜାଗୀ ଜାଣିଶୁଣି ସିଆଇଆଇକୁ ଦୂରେଇ ଦେଲେ ବୋଲି ବିଜେଡି ନେତାମାନେ ଖୋଲାଖୋଲି କହିଥିଲେ । ଏହା ରାଜନୈତିକ ରଙ୍ଗ ନେଇଥିଲା । ଏପରିକି ବିବାଦ ଭିତରକୁ ବୈଜୟନ୍ତ ପଣ୍ଡା ବି ଟଣା ହୋଇଥିଲେ । ଶେଷରେ ଜାଗୀଙ୍କୁ ଏଥିପାଇଁ ସଫେଇ ଦେଇ ଘଟଣାପାଇଁ ଦାୟୀ ନୁହନ୍ତି ବୋଲି କହିଥିଲେ ।

ସେହି ମଉକାରେ ବିଜେଡି ନେତାମାନେ ବୈଜୟନ୍ତଙ୍କ ଉପରେ ରାଗ ଶୁଝାଇଥିଲେ । ବୈଜୟନ୍ତଙ୍କର ବିଜେଡି ସହିତ ପଡୁନଥିବାରୁ ସେ ଏଭଳି କାଣ୍ଡ କରିଛନ୍ତି ବୋଲି ପ୍ରଚାର କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ବି ଏହା ପ୍ରକାଶ ପାଇଥିଲା । ଅବଶ୍ୟ ବୈଜୟନ୍ତ ଏହି ବିବାଦରୁ ନିଜକୁ ଦୂରେଇ ରଖିଥିଲେ । ଇତି ମଧ୍ୟରେ ବୈଜୟନ୍ତ ବିଜେଡି ଓ ସାଂସଦ ପଦବୀ ତ୍ୟାଗ କରିଛନ୍ତି ।

ସିଆଇଆଇ ହାତ ଛାଡିଦେବା ପରେ କୂଳ କିନାରା ପାଉନଥିବା ରାଜ୍ୟ ସରକାର ଏବେ ଫିକି ସହିତ ମିଳିତ ଭାବେ ମେକ୍‍ ଇନ୍‍ ଓଡିଶା ଆୟୋଜନ କରିବେ ବୋଲି ଜଣାଯାଇଛି । ଫିକିର ରାଜ୍ୟ ମୁଖ୍ୟ ଅଛନ୍ତି ବୈଜୟନ୍ତଙ୍କ ସାନଭାଇ ବିଶିଷ୍ଟ ଶିଳ୍ପ ପତି ଶୁଭ୍ରକାନ୍ତ ପଣ୍ଡା । ଜାଗୀଙ୍କୁ ବଦନାମ କରିଥିବା ସରକାରୀକଳ ଓ ସରକାରୀଦଳ କିଭଳି ଶୁଭ୍ରକାନ୍ତଙ୍କୁ ଆପଣେଇଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମେକ୍‍ ଇନ୍‍ ଓଡିଶା ଆୟୋଜନ ମାଧ୍ୟମରେ ରାଜ୍ୟ ସରକାର ଓଡିଶାକୁ ବ୍ୟାପକ ଶିଳ୍ପସଂସ୍ଥାକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୧୫-୧୬ବର୍ଷରେ ସିଆଇଆଇ ସହଯୋଗରେ ଆୟୋଜିତ ମେକ୍‍ ଇନ୍‍ ଓଡିଶା ମେଳା ମାଧ୍ୟମରେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିପାରିଥିଲା । ଚଳିତ ବର୍ଷର ମେକ୍‍ ଇନ୍‍ ଓଡିଶା ମେଳାରୁ ମଧ୍ୟ ଭଲ ଫଳ ମିଳିବ ବୋଲି ସରକାର ଆଶା କରୁଛନ୍ତି । ତେବେ ଭାଉଜଙ୍କୁ ବଦନାମ କରିଥିବା ବାବୁ ଓ ନେତାମାନେ କିଭଳି ଦିଅରଙ୍କୁ ଆପଣେଇ ନେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

fifteen − 1 =