ସାଧାରଣ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି

ଜିଲ୍ଲା ସ୍ତରରେ ଅଫିସରଙ୍କ ମଗାଯାଇଛି ଖର୍ଚ୍ଚର ଆକଳନ

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବା ବେଳେ ରାଜ୍ୟ ସରକାର ଏବେଠାରୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିଛି ମାସ ପୂର୍ବରୁ ସବୁ ଜିଲ୍ଲାକୁ ବ୍ଲକଓାରୀ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥର ତାଲିକା ମଗାଯାଇଥିଲା । ଏବେ ସବୁ ଜିଲ୍ଲାକୁ ନିର୍ବାଚନ ପରିଚାଳନା ପାଇଁ ବୁଥଓାରୀ ଖର୍ଚ୍ଚର ହିସାବ ମଗାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ଏହି ହିସାବ ମଗାଯାଇଛି ।

ବିଭିନ୍ନ ରାଜନୈତିକ ଦୃଶ୍ୟପଟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରରେ ଏନଡିଏ ସରକାର କାର୍ଯ୍ୟକାଳ ମେ ୨୧ ତାରିଖରେ ସରୁଛି । ସେହି ଦିନ ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡିର କାର୍ଯ୍ୟକାଳ ମଧ୍ୟ ସରୁଛି । କିନ୍ତୁ କର୍ଣ୍ଣାଟକ ନିର୍ବାଚନ, ଉତ୍ତରପ୍ରଦେଶ, ରାଜସ୍ଥାନ ଆଦି କେତେକ ରାଜ୍ୟରେ ଉପନିର୍ବାଚନରେ ବିଜେପିର ଫଳାଫଳ ନେଇ ଦଳର ଶୀର୍ଷ ନେତୃତ୍ବ ଚିନ୍ତାରେ ପଡିଛନ୍ତି । ଏପରିକି ବିମୁଦ୍ରିକରଣ ଏବଂ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ସାଧାରଣ ଲୋକଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।

ସେପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଗତ କିଛି ମାସ ହେଲା କଂଗ୍ରେସ ଅଧିକ ସଂଗଠିତ ହେବା ସହ ବିଜେପି ବିରୋଧରେ ଅଣ-ବିଜେପି ଶକ୍ତି ଗୁଡିକୁ ଏକାଠି କରିବାକୁ ଚେଷ୍ଟା କରୁଛି । କଂଗ୍ରେସ ଏଭିତରେ କିଛି ଅଣ-ବିଜେପି ଶକ୍ତିଙ୍କ ସମର୍ଥନ ବି ମିଳିଛି । ଅପରପକ୍ଷରେ ଟିଡିପି ଭଳି ଏନଡିଏର ଅଂଶିଦାର ଦଳଗୁଡିକ ବିଜେପି ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଏନଡିଏରୁ ଓହରିଯାଇଛନ୍ତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଦାବିକୁ ଦୃଢ କରିଛନ୍ତି । ଏମିତି କିଛି ରାଜନୈତିକ ଦୃଶ୍ୟପଟ ଭିତରେ ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି ଯେ, କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଓହ୍ଲାଇବେ । କେନ୍ଦ୍ର ସରକାରଙ୍କ ଏଭଳି ମାନସିକତାକୁ ଆକଳନ କରି ରାଜ୍ୟ ସରକାର ଯେକୌଣସି ସମୟରେ ନିର୍ବାଚନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଗତ ଫେବୃଆରୀ ମାସରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକତା ମୁତାବକ ଇଭିଏମ ମଗେଇ ଜିଲ୍ଲା ଷ୍ଟଙ୍ଗରୁମରେ ରଖିଛନ୍ତି । ପରବର୍ତ୍ତି ପର୍ଯ୍ୟାୟରେ ଜିଲ୍ପାପାଳମାନଙ୍କ ଠାରୁ ବ୍ଲକଓାରୀ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥର ତାଲିକା ପ୍ରସ୍ତୁତ ହୋଇସାରିଛି । ଏବେ ବୁଥଓାରୀ ଖର୍ଚ୍ଚର ହିସାବ ମଗାଯାଇଛି । ଜିଲ୍ଲାସ୍ତରରେ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଚାଲିଥିବା ଏଭଳି ନିର୍ବାଚନ ପ୍ରସ୍ତୁତିକୁ ଦେଖିଲେ ଆଗୁଆ ନିର୍ବାଚନ ହେବ ବୋଲି ସନ୍ଦେହ ପ୍ରକାଶ ପାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ର ସରକାର ସାଂପ୍ରତିକ ରାଜନୈକି ସ୍ଥିତିରେ ଆଗୁଆ ନିର୍ବାଚନକୁ ଓହ୍ଲାଇବାର ରିକ୍ସ ନେବେନି । ସମ୍ଭବତଃ ଡିସେମ୍ବର ପୂର୍ବରୁ ନୁହେଁ । ଅବଧି ସରିବାର ଦୁଇ ତିନି ମାସ ଆଗରୁ ହୁଏତ କେନ୍ଦ୍ର ସରକାର କିଛି ଗୋଟେ ବଡ ଘୋଷଣା କରି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇ ନିର୍ବାଚନକୁ ଓହ୍ଲାଇବେ ।

Share

Leave a Reply

Your email address will not be published. Required fields are marked *

16 − four =