ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁର୍ଗମ ଇଲାକାରେ ପହଁଚିଲେ ବିଧାୟକ

ରାୟଗଡା (): ସେବାର ପ୍ରତିଶୃତି ଦେଇ ଭୋଟରଙ୍କ ଆସ୍ଥାଭାଜନ ହୋଇଥିବା ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିଧାସଳଖ ଲୋକଙ୍କ ପାଖରେ ପହଁଚିଛନ୍ତି । ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି ଆଉ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ନିର୍ବାଚନ ଜିତିବା ପରେ ନିଜ କର୍ତ୍ତବ୍ୟକୁ ନଭୁଲି, ଯେଉଁ ଅଂଚଳକୁ ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ନେତା କିମ୍ବା ପ୍ରଶାସକଙ୍କ ପାଦ ପଡିନଥିଲା ସେଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ରଘୁନାଥ ।

ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ ଝିପି ଝିପି ବର୍ଷା । ଏସବୁ ସମସ୍ୟାରେ ଘେରା ରାସ୍ତା ଦେଇ 5 କିଲୋମିଟର ଚାଲି ଚାଲି ରାମନାଗୁଡା ବ୍ଲକ ପାରଖିତି ପଞ୍ଚାୟତର କଣ୍ଡାବାରିଡି ଗାଁରେ ପହଞ୍ଚିଛନ୍ତି ଗୁଣପୁର ବିଧାୟକ । ଅଞ୍ଚଳଟି ସହରଠାରୁ ପାଖରେ ଥିଲେ ଦୁର୍ଗମ । ଏପରି ଏକ ଦୁର୍ଗମ ଅଞ୍ଚଳକୁ ଯାଇ ରବିବାର ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ରଘୁନାଥ ଗମାଙ୍ଗ ।

ଘାଟି ରାସ୍ତା ତା’ ସାଙ୍ଗକୁ ଅଣଓସାରିଆ ଚଲାପଥ । ଚାରି ଚକିଆ ତ ଦୂରର କଥା ଦୁଇ ଚକିଆଟିଏ ମଧ୍ୟ ଯିବା ମୁସକିଲ । ଆଉ ଟିକିଏ ବର୍ଷା ହେଲେ କଥା ସରିଲା । ଏସବୁକୁ ଭୃକ୍ଷେପ ନକରି ସେ ଗ୍ରାମବାସୀଙ୍କ ପାଖରେ ପହଁଚିଥିଲେ । ସେମାନଙ୍କୁ ସବୁଦିନିଆ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ତାଙ୍କ ଗାଁରେ ପହଁଚି ସମସ୍ୟା କଥା ବୁଝାବୁଝି କରିଥିବାରୁ ଗ୍ରାମବାସୀ ଓ ଅଂଚଳବାସୀ ବେଶ ଉତ୍ସାହିତ ।

ଜଣେ ସାଧାରଣ ବଣ୍ଟନ ଅଧିକାରୀ ଭାବେ ସରକାରୀ ଚାକିରି କରୁଥିବା ରଘୁନାଥ ଲୋକଙ୍କ ସେବା ପାଇଁ ବିଜେଡିରେ ଯୋଗ ଦେଇଥିଲେ । ଲୋକଙ୍କ ସେବାକୁ ସେ ନିଜ ଜୀବନର ପରବର୍ତ୍ତି ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିକଟରେ ବିଧାୟକମାନଙ୍କୁ ଦେଇଥିବା ପରାମର୍ଶ ତାଙ୍କ ବେଶ ପ୍ରଭାବିତ କରିଥିଲା ।

ନିକଟରେ ମୁଖ୍ୟମନ୍ତ୍ରୀ ସବୁ ନୂଆ ବିଧାୟକଙ୍କୁ ବିଳାସ୍ୟପୂର୍ଣ୍ଣ ଜୀବନ ଛାଡି ଲୋକଙ୍କ ପାଖରେ ପହଁଚିବା ସହ ସେମାନଙ୍କ ନିକଟରେ ସବୁ ସରକାରୀ ଯୋଜନା ପହଁଚାଇବାକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ଲୋକଙ୍କ ସହ ରହି ସେମାନଙ୍କ ପାଇଁ କାମ କରିବା ସହ ଦଳୀୟ ରାଜନୀତିରେ ପ୍ରବେଶ ନକରିବାକୁ ପରାମର୍ଶ ଦେଇଥିଲେ । ରଘୁନାଥ ଏଥିରେ ପ୍ରଭାବିତ ହୋଇ ନିଜ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ଦୈନନ୍ଦିନ ଜୀବନଯାପନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =