ଠକିଦେଲା ହକି ଇଣ୍ଡିଆ

ଅନଲାଇନରେ ଟିକେଟ ଦେବାକୁ କହି ଭଣ୍ଡାଇ ଦେଲା ହକି ଇଣ୍ଡିଆ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଟିକେଟ ବିକ୍ରି ହେବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଚାତକ ଭଳି ଚାହିଁ ରହିଥିଲେ ହକିପ୍ରେମୀ । କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଟିକେଟ କରିବାକୁ ଜଗି ରହିଥିଲେ । ଆଉ ୧୨ଟା ବାଜିବା କ୍ଷଣି ଟିକେଟ କିଣିବା ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । କିନ୍ତୁ ଅନଲାଇନରେ ଟିକେଟ ବୁକିଂ ହେବାର କିଛି ସେକେଣ୍ଡ ମଧ୍ୟରେ ସାଇଟର ସର୍ଭର ଡାଉନ ହୋଇଯାଇଥିଲା । ଟିକେଟ ବୁକିଂ ତ ଦୂରର କଥା ପେଜ ମଧ୍ୟ ଖୋଲିନଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ ।
ଉଦଘାଟନୀ ଉତ୍ସବର ଟିକେଟ ବିକ୍ରିରେ ଏଭଳି ଅବ୍ୟବସ୍ଥା ହକି ପ୍ରେମୀଙ୍କୁ ନିରାଶ କରିଛି । ସୋସିଆଲ ମିଡିଆରେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ହକିପ୍ରେମୀ । ମନଇଚ୍ଛା ଗାଳି କରିବା ସହ ସାଧାରଣ ଲୋକଙ୍କୁ ଭଣ୍ଡାଇ ଦିଆଯାଇଥିବା କହିଛନ୍ତି ୟୁଜର୍ସ । ଏପରିକି ଟିକେଟ ଗୁଡିକ ଆଗରୁ ବିକ୍ରି ହୋଇଥିବା କହିଛନ୍ତି ହକିପ୍ରେମୀ । ସନ୍ତୋଷ କୁମାର ତ୍ରିପାଠୀ ନାମକ ଜଣକ ବ୍ୟକ୍ତି ଲେଖିଛନ୍ତି, ହାର୍ଟ ବିଟ୍ ଫର୍ ହକି ହାର୍ଟ ଷ୍ଟ୍ରୋକରେ ବଦଳିଗଲା । ସେହିଭଳି ରାମକୃଷ୍ଣ ବାରିକ ନାମକ ଜଣକ ୟୁଜର୍ସ କଟାକ୍ଷ କରି କହିଛନ୍ତି, ବରଯାତ୍ରୀ ଡାକଥିଲେ ଘରଲୋକ ଖାଇଦେଲେ । ତେବେ ଏ ସର୍ମ୍ପକରେ ତାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ହକିପ୍ରେମୀ ମାନଙ୍କ ପାଇଁ ଅନଲାଇନ ଟିକେଟ ବିକ୍ରି ହେବ ଘୋଷଣା ହୋଇଥିଲା । କିନ୍ତୁ ଟିକେଟ ବିକ୍ରି ହେବାର କିଛି ସେକେଣ୍ଡ ମଧ୍ୟରେ ସାଇଟରେ ଯେଉଁଭଳି ଭାବେ ତାଲା ପଡିଗଲା ତାହାକୁ ଲକ୍ଷ୍ୟ କରି ସେ ଏଭଳି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =