କେନ୍ଦ୍ର ବିରୁଦ୍ଧରେ ଗଣସଂଗ୍ରାମର ଆହ୍ବାନ

୨୪ରେ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ରିଲେ ଅନଶନ

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ । ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ଯାହା ଫଳରେ ଜନଜାତିମାନଙ୍କର ଜୀବନ ଧାରଣ ମାନରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ଆଦିବାସୀମାନଙ୍କ ସଂସ୍କୃତିର ସୁରକ୍ଷା ସହିତ ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୭୦୦୦ରୁ ଊର୍ଦ୍ଧ୍ବ ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କେନ୍ଦ୍ର ଓଡ଼ିଶାର ପ୍ରଗତିରେ ପ୍ରମୁଖ ବାଧକ ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି। ଆସନ୍ତା ୨୪ ତାରିଖରେ ଏହାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ସକାଳ ୮ଟାରୁ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଓଡ଼ିଶା ପ୍ରତି କେନ୍ଦ୍ରର ଏହି ଅବହେଳା ଐତିହାସିକ । ବର୍ତ୍ତମାନ କେନ୍ଦ୍ରରେ ଥିବା ଏନ୍‍ଡିଏ ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଅବର୍ଣ୍ଣନୀୟ । ଏକ ସଂଘୀୟ ବ୍ୟବସ୍ଥାରେ ଯେମିତି ରାଜ୍ୟର କିଛି ହକ୍‍ ନାହିଁ, କିଛି ନ୍ୟାଯ୍ୟ ଅଧିକାର ନାହିଁ, ସବୁକଥା ପାଇଁ ଲଢ଼େଇ କରିବାକୁ ପଡିବ, ଏଇଭଳି ଏକ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରର ଏନ୍‍ଡିଏ ସରକାର । ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ରର କୁଠାରାଘାତ ଏବଂ ଧାର୍ଯ୍ୟ ସମୟରେ ଛାତ୍ରବୃତ୍ତି ନଦେଇ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବ ବୋଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ।

ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ କେନ୍ଦ୍ର ପ୍ରାୟୋଜିତ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ହୋଇଆସୁଛି । ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦% ଆର୍ଥିକ ବ୍ୟବସ୍ଥାରେ ସହଯୋଗ ରଖୁଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶ ହୋଇଥିଲା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି ଟଙ୍କା ଥିଲା । ହଠାତ୍‍ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟାଇ ରାଜ୍ୟ ସରକାରଙ୍କ ଉପରେ ୮୦%ରୁ ଅଧିକ ଆର୍ଥିକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରଙ୍କ ପ୍ରତି ଚରମ ଅନ୍ୟାୟ ବୋଲି ବିଜୁ ଜନତା ଦଳ ଅନୁଭବ କରୁଛି । ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ôଥକ ବୋଝକୁ ବହନ କରିବାକୁ ପଡିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବବତ୍‍ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ବହନ କରିବା ଲାଗି ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଆର୍ଥିକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ବିଜୁ ଜନତା ଦଳ ଏହାର ଦୃଢ଼ ପ୍ରତିବାଦ କରୁଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।

କେନ୍ଦ୍ର ସରକାର ଛାତ୍ରବୃତ୍ତିର ଢାଞ୍ଚା ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବାରୁ ପୂର୍ବରୁ ଦେଉଥିବା ୯୦% ଛାତ୍ରବୃତ୍ତି ବର୍ତ୍ତମାନ ୨୦%ରେ ସୀମିତ ରହିଛି । କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃବିଚାର କେନ୍ଦ୍ର ସରକାର କରିବେ ବୋଲି ବିଜୁ ଜନତା ଦଳ ଆଶା କରୁଛି ଏବଂ ପୂର୍ବବତ୍‍ ୯୦:୧୦ ପ୍ରତିଶତ କେନ୍ଦ୍ର-ରାଜ୍ୟ ଅଂଶର ପ୍ରଚଳନ ପାଇଁ ଦାବି ରଖୁଛି । ଅନ୍ୟଥା ସମଗ୍ର ଅନୁସୂଚିତ ବର୍ଗର ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢ଼ିବା ସହ ଏହା ଆଗାମୀ ଦିନରେ ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ବିଧାୟିକା ତଥା ଦଳର ଉପ-ସଭାପତି ଶ୍ରୀମତୀ ପ୍ରମିଳା ମଲିକ କହିଛନ୍ତି । ବିଜେଡି ବିଧାୟକ ତଥା ସାଧାରଣ ସଂପାଦକ ଶ୍ରୀ ପଦ୍ମନାଭ ବେହେରା, ବିଧାୟକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଲାଲବିହାରୀ ହିମିରିକା ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

Share

Leave a Reply

Your email address will not be published. Required fields are marked *

three + 1 =