ଏମଓଇଏଫର ଏକତରଫା କାର୍ଯ୍ୟ ବିରୋଧରେ ସ୍ବର ଉଠାଇଲେ ନବୀନ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଲେଖିଲେ ଚିଠି

ଭୁବନେଶ୍ବର ()  ପୋଲାଭରମ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ନିରବତା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ଥିତାବସ୍ଥା ବଜାୟ ରଖିବାର ନିର୍ଦ୍ଦେଶ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ସ୍ବାର୍ଥ ଓ ଦାବିକୁ ସମ୍ମାନ ନଜଣାଇ ଏକତରଫା ଭାବେ ପ୍ରକଳ୍ପ କାମ ଆଗେଇ ଚାଲିଛି । ସେପଟେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣୀ ସରିନି । ଏଭଳିସ୍ଥିତିରେ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଦୃଢ ଭାବେ ଦାବି କରିଛନ୍ତି ।

ଏ ସଂପର୍କରେ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । 2015 ସେପ୍ଟେମ୍ବର 16, 2017 ନଭେମ୍ବର 28 ଏବଂ 2018 ଜୁଲାଇ 12 ତାରିଖରେ ଚିଠି ଲେଖିଥିଲେ ନବୀନ । ଏସବୁ ଚିଠିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କାର୍ଯ୍ୟ ବାନ୍ଦ ଆଦେଶ ଉପରେ ବିଭିନ୍ନ ସମୟରେ ସ୍ଥଗିତାଦେଶ ଦେଇଛନ୍ତି । ଏବଂ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଯାଇନାହିଁ । ଦୁଇ ରାଜ୍ୟ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନହୋଇ ବ୍ୟାରେଜ ନିର୍ମାଣ କାମ ଶେଷ ହେଲେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଆଦିମ ଅଧିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ତର ଭାବେ ପ୍ରଭାବିତ କରିବ । ବ୍ୟାପକ ବିସ୍ଥାପନ ସାଙ୍ଗକୁ, ବହୁ ଜଙ୍ଗଲ ଜମି ଏବଂ ଉର୍ବର ଚାଷ ଜମି ଜଳମଗ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକଟ କରିଛନ୍ତି ।

ପୋଲାଭରମ ପ୍ରକଳ୍ପକୁ 2005 ଅକ୍ଟୋବର 25 ତାରିଖରେ ଜଙ୍ଗଲ ଓ ପରିବେଶ ମଂଜୁରୀ ମିଳିଥିଲା । ପରବର୍ତ୍ତି ସମୟରେ ପ୍ରକଳ୍ପ ଡିଜାଇନରେ ପରିବର୍ତ୍ତନ ଯୋଗୁଁ 2011 ଫେବୃଆରୀ 18 ତାରିଖରେ ଏହି ପ୍ରକଳ୍ପ ଉପରେ ସ୍ଥଗିତାଦେଶ ଲାଗିଲା ଏବଂ ପରବର୍ତ୍ତି ଅନୁମତି ଯାଏଁ ପ୍ରକଳ୍ପ କାମ ବନ୍ଦ ରଖିବାକୁ ମନ୍ତଣାଳୟ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅନୁରୋଧ କ୍ରମେ 2013 ଫେବୃଆରୀ 27 ତାରିଖରେ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଉପରେ ମନ୍ତ୍ରଣାଳୟ ସ୍ଥଗିତାଦେଶ ଜାରି କରିଥିଲା ।

ଏହି ସ୍ଥଗିତାଦେଶ ଛଅ ମାସ ପାଇଁ ବଳବତ୍ତର ରହିଥିଲା  । ପରବର୍ତ୍ତି ସମୟରେ 2014 ଜାନୁାଆରୀ 1, 2015 ଜୁଲାଇ 3 , 2016 ଜୁଲାଇ 2, 2017 ଜୁଲାଇ 3 ଏବଂ 2018 ଜୁଲାଇ 3 ତାରିଖରେ ଆଉ 5ଟି ସ୍ଥଗିତାଦେଶ ଦିଆଯାଇଛି । ପ୍ରକଳ୍ପକୁ ନେଇ ରହିଥିବା ବିବାଦର ସମାଧାନ ଏବଂ ଜନଶୁଣାଣୀ ଅନୁୟାୟୀ ଡିଜାଇନରେ ପରିବର୍ତ୍ତନ ନହେବା ଯାଏଁ ଏହି ପ୍ରକଳ୍ପ କାମ ଶେଷ ହେବା ପରେ ମଧ୍ୟ ଆନ୍ଧ୍ର ସରକାର ଏହାକୁ ନିଜ ଦଖଲକୁ ନେବେ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଶ୍ସାସନା ଆଧାରରେ କାର୍ଯ୍ୟବନ୍ଦ ଉପରେ ସ୍ଥଗିତାଦେଶ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

ଗୋଟେପଟେ ଆନ୍ଧ୍ର ପ୍ରଦେଶ ସରକାର 2019 ଆରମ୍ଭରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହୁଛନ୍ତି, ଅନ୍ୟପଟେ ବ୍ୟାରେଜ ନିର୍ମାଣ ପରେ ଆନ୍ଧ୍ର ସରକାର ଏହାକୁ ନିଜ ଦଖଲକୁ ନେବେନି, ଏହା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଏହି ପ୍ରକଳ୍ପ ପାଇଁ ଓଡିଶାର ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇନତଃ ଜନଶୁଣାଣୀ କରାଯାଇନି । ଏହି ପ୍ରକଳ୍ପ ଦ୍ବାରା ଓଡିଶା, ତେଲେଙ୍ଗାନା ଓ ଛତିଶଗଡର ବ୍ୟାପକ ଜଙ୍ଗଲ ଜମି ଜଳମଗ୍ନ ହେବ । ଏହିଦୃଷ୍ଟିରୁ ଗୋଦାବରୀ ଜଳ ବିବାଦ ଟ୍ରିବୁନାଲର ନିର୍ଦ୍ଦେଶ ଅନୁଯାୟୀ ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ନିଜେ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟ ବନ୍ଦ ଉପରେ ରହିଥିବା ସ୍ଥଗିତାଦେଶର ପ୍ରତ୍ୟାହାର ସହ ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣୀ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନବୀନ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 9 =