ବାଲେଶ୍ବରରେ ଚିତ୍ର ବଦାଳାଇବା ସ୍ଥିତିରେ ବିଜେଡି

ଭୁବନେଶ୍ବର () ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ସମସ୍ତଙ୍କ ନଜର ରହିଛି ବାଲେଶ୍ବର ସଦର ବିଧାନସଭା କ୍ଷେତ୍ର ଉପରେ । ବିଜେଡି ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତାମାନେ କ୍ୟାମ୍ପ କରି ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ।

ତେବେ ରାଜନୈତିକ ପଣ୍ଡିତ ଓ ସ୍ଥାନୀୟ ବାସିନ୍ଦାଙ୍କ ଆକଳନରେ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେଉଛି । ଅନୁକମ୍ପା ଭୋଟରେ ବିଜେପି ପୁଣି ଥରେ ବାଲେଶ୍ବର ଆସନ ଦଖଲ କରିବାକୁ ଚାହୁଁଥିବା ବେଳେ ବିଜେଡି ମଧ୍ୟ ନିଜର ଗଡ ରକ୍ଷା ପାଇଁ ଉଦ୍ୟମ କରୁଛି । ବିଜେଡି ଏହି ଆସନରୁ ପୂର୍ବରୁ ପୌର ନିର୍ବାଚନରେ ସଫଳତା ପାଇଥିବା ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କୁ ମୈଦାନକୁ ଓହ୍ଲାଇଛି ।

ମାନସ ନିଜ ବାପାଙ୍କ ମୃତ୍ୟୁ ପରେ ଭୋଟରଙ୍କ ଅନୁକମ୍ପାକୁ ଭରସା କରିଛନ୍ତି । ମାନସଙ୍କ ପାଇଁ ବିଜେପିର ଦୁଇ କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଘନଘନ ପ୍ରଚାର କରୁଛନ୍ତି । ସେପଟେ ସ୍ବରୂପଙ୍କ ଭାଇ ଓ ଭାଉଜ ଉଭୟ ବାଲେଶ୍ବର ମୁନିସିପାଲଟିର ଅଧ୍ୟକ୍ଷ ରହିସାରିଛନ୍ତି । ସେ ମଧ୍ୟ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ସେ ବାଲେଶ୍ବର ବିଧାନସଭା କ୍ଷେତ୍ର ପାଇଁ ଅଜଣା ନୁହଁନ୍ତି । ସ୍ବରୂପଙ୍କ ସପକ୍ଷରେ ମଧ୍ୟ ବିଜେଡିର କିଛି ମନ୍ତ୍ରୀ ଓ ବରିଷ୍ଠ ବିଧାୟକମାନେ ବାଲେଶ୍ବରରେ କ୍ୟାମ୍ପ କରିଛନ୍ତି । ଦାୟିତ୍ବରେ ଥିବା ବିଜେଡି ନେତାମାନେ ୫୦ ହଜାର ଭୋଟ ବ୍ୟବଧାନରେ ବିଜୟ ଲକ୍ଷ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ବାଲେଶ୍ବର ବିକାଶର ନାରା ଦେଇ ସ୍ବରୂପ ଭୋଟରଙ୍କୁ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ସେପଟେ ମାନସ ଅନୁକମ୍ପା ଉପରେ ଆସ୍ଥା କରିଥିଲେ ବି ବିଜେପି ମଧ୍ୟରେ ରହିଥିବା ଆଭ୍ୟନ୍ତରୀଣ କନ୍ଦଳ ତାଙ୍କ ବିଜୟ ଆଶାକୁ କ୍ଷୀଣ କରିଦେଉଛି । ଏଥିସହିତ କୋଭିଡ ଲକଡ଼ାଉନ ସମୟରେ ପ୍ରବାସୀ ଶ୍ରମିକ ସମସ୍ୟାକୁ ନେଇ ବିଜେପି ବ୍ୟାକଫୁଟରେ ଥିବା ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ପ୍ରବାସୀମାନେ ଲକଡାଉନ ସମୟରେ ଅନେକ ସମସ୍ୟା ଭୋଗୁଥିବା ବେଳେ କେନ୍ଦ୍ର ସରକାର ହାତ ଟେକିଦେଇଥିଲେ । ସେ ସମୟରେ ନବୀନ ପଟ୍ଟନାୟକ ସେମାନଙ୍କୁ ସହଯୋଗର ହାତ ବଢାଇ ନିଜ ରାଜ୍ୟକୁ ଫେରାଇ ଆଣିଥିଲେ ।

ବାଲେଶ୍ବରରେ ଜଣେ ୮୦ ବର୍ଷ ବୟସ୍କ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ ବି ଭୋଟରଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇନାହାଁନ୍ତି । ଯଦିଓ ଯୁବ ଗୋଷ୍ଠି ତାଙ୍କୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି, ଏହା ଭୋଟରେ ରୂପାନ୍ତରିତ ହେବା ନେଇ ସନ୍ଦେହ ରହିଛି ।

Share

Leave a Reply

Your email address will not be published. Required fields are marked *

2 + 19 =