ରାଷ୍ଟ୍ରପତି ନିର୍ବାଚନ:ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ ଗାନ୍ଧୀ

ରାଷ୍ଟ୍ରପତି ନିର୍ବାଚନ ନେଇ ଶାସକ ଓ ବିରୋଧୀଂକ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ, ଶାସକ ଓ ବିରୋଧି କାହାକୁ ପ୍ରାର୍ଥୀ କରିବେ ସେନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହାରି ମଧ୍ୟରେ ବିରୋଧୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଏହି ପ୍ରସ୍ତାବକୁ ଜଣେ ପରେ ଜଣେ ନେତା ମନା କରୁଛନ୍ତି।

ଶରଦ ପାୱାର, ଫାରୁକ ଅବଦୁଲାଙ୍କ ନା ପରେ ଏବେ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଛନ୍ତି। ସେ ଏକ ବୟାନ ଜାରି କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ତାଙ୍କ ନାଁକୁ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବାରୁ ଧନ୍ୟବାଦ ଜଣାଉଛି। ଏହାସହ ନିଜ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଏଥିପାଇଁ ଅନ୍ୟ କାହା ନାଁ ଉପରେ ବିଚାର କରିବାକୁ କହିଛନ୍ତି।

ରିପୋର୍ଟ ଅନୁସାରେ, ବିରୋଧୀ ଦଳର କିଛି ନେତା ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପୂର୍ବରୁ ୨୦୧୭ରେ ଉପ ରାଷ୍ଟ୍ରପତି ନିର୍ବାଚନରେ ଭେଙ୍କେୟା ନାଇଡୁଙ୍କ ବିପକ୍ଷରେ ଗୋପାଳକୃଷ୍ଣ ଗାନ୍ଧୀ ବିରୋଧୀଙ୍କ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ପରାଜିତ ହୋଇଥିଲେ। ଗୋପାଳକୃଷ୍ଣ ଗାନ୍ଧୀ ଜଣେ ପୂର୍ବତନ ରାଷ୍ଟ୍ରଦୂତ। ଏହାସହ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ୨୦୦୪ରୁ ୨୦୦୯ ଯାଏଁ ଦାୟିତ୍ୱ ଗ୍ରହଣ କରିଥିଲେ। ଦ.ଆଫ୍ରିକା ଏବଂ ଶ୍ରୀଲଙ୍କାରେ ଭାରତୀୟ ହାଇକମିଶନର ଭାବେ କାମ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ। ଗତ ସପ୍ତାହରେ ମମତା ବାନାର୍ଜୀ ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ସହ ୧୭ ଦଳର ନେତା ସାମିଲ ହୋଇଥିଲେ। ବୈଠକରେ କିଛି ନେତା ଶରଦ ପାୱାରଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା କହି ସେ ଏହି ପ୍ରସ୍ତାବକୁ ମନା କରି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 14 =