ନଡ଼ିଆ ଚାଷୀଙ୍କୁ ବୀମାଭୁକ୍ତ କରାଯାଉ : ଅରୁଣ

ଭୁବନେଶ୍ବର () ଦେଶର ଜିଡ଼ିପିରେ ଓ କୃଷି କ୍ଷେତ୍ରର ଅବଦାନରେ ନଡ଼ିଆ ଚାଷ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିଛି । ଦେଶରେ ନଡ଼ିଆ ଚାଷ କରାଯାଉଥିବା ଚାଷ ଜମିର ପରିମାଣ ବୃଦ୍ଧି ସହିତ ଏହାର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଉପରେ ପ୍ରାଥମିକତା ଦିଆଯାଉଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଆଜି ଅପରାହ୍ନରେ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ନାରିକେଳ ବିକାଶ ବୋର୍ଡ ଦ୍ବାରା ଆୟୋଜିତ ୨୧ତମ ବିଶ୍ବ ନାରିକେଳ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଲେ ଯେ ଦେଶରେ ଏକ କୋଟିରୁ ଅଧିକ ଚାଷୀ ନଡ଼ିଆ ଚାଷ ଉପରେ ଜୀବିକା ନିର୍ବାହ କରନ୍ତି । ନଡ଼ିଆ ଚାଷକୁ ସୁଦୃଢ଼ କରିବା ପାଇଁ ନାରିକେଳ ବିକାଶ ବୋର୍ଡ ଦ୍ବାରା ଚାଷୀମାନଙ୍କୁ ନୂତନ ଜ୍ଞାନକୌଶଳ, ପ୍ରଶିକ୍ଷଣ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ନଡ଼ିଆ ଉତ୍ପାଦନରେ ଓଡ଼ିଶା ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ ନଡ଼ିଆ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ବୈଠକରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ରାଜ୍ୟରେ ନଡ଼ିଆ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଓଡ଼ିଶାର ଜଳବାୟୁ ନଡ଼ିଆ ଚାଷ ପାଇଁ ଅନୁକୂଳ ହୋଇଥିଲେ ହେଁ ରାଜ୍ୟକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି । ଏଣୁ ନଡ଼ିଆ ଚାଷ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହ ନଡ଼ିଆ ଚାଷୀଙ୍କୁ ବୀମାଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ବିଗତ ଭୟଙ୍କର ଫନି ବାତ୍ୟାରେ ରାଜ୍ୟର ନଡ଼ିଆ ଚାଷୀ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ କ୍ଷତିଗ୍ରସ୍ତ ନଡ଼ିଆ ଗଛ ପିଛା ୫୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ନାରିକେଳ ବିକାଶ ବୋର୍ଡ ଦ୍ବାରା ଓଡ଼ିଶାର ନଡ଼ିଆ ଚାଷୀମାନଙ୍କୁ ଅଧିକରୁ ଅଧିକ ନଡ଼ିଆ ଚାରା ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ଫନି ବାତ୍ୟାରେ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୭୯୩୦ ହେକଫର ଜମିରେ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି । ଏଥି ସହିତ ନଡ଼ିଆ ଓ ପଇଡ଼ ପାଣି ସ୍ବାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକର ବୋଲି କହିବା ସହ ମନ୍ତ୍ରୀ ଡ. ସାହୁ ନଡ଼ିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ରବ୍ୟ ଓ ତେଲ ପ୍ରସ୍ତୁତ କରାଯାଇ ଏହାର ମୂଲ୍ୟ ବୃଦ୍ଧି କରି ନଡ଼ିଆ ଚାଷୀମାନଙ୍କର ଆୟକୁ ବୃଦ୍ଧି କରିବା ଦିଗରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଥିଲେ । ନାରିକେଳ ବିକାଶ ବୋର୍ଡ ଦ୍ବାରା ଓଡ଼ିଶାରେ ନଡ଼ିଆ ଉକ୍ସଊାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗର ଏଏସ୍‌ ଆଣ୍ଡ ଏଫ୍‌ ଏ  ବି. ପ୍ରଧାନଙ୍କ ସମେତ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୫୦୦ରୁ ଉର୍ଦ୍ଧ୍ବ ନଡ଼ିଆ ଚାଷୀ ଯୋଗ ଦେଇଥିଲେ । ଉତ୍ସବରେ ନଡ଼ିଆ ଉକ୍ସଊାଦକ ସମିତି, ନଡ଼ିଆ ଚାଷୀ ଏବଂ ନଡ଼ିଆ ଉତ୍ପାଦକ ଫେଡେରେସନ୍‌ ଓ କମ୍ପାନୀର ପ୍ରତିନିଧିମାନେ ସେମାନଙ୍କର ନଡ଼ିଆ ଚାଷ ସଂପର୍କିତ ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

1 × four =