ଅକ୍ଟୋବର ୨ ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ୧୩ ମାସର କାର‌୍ୟ୍ୟକାଳ ବେଶ୍ ଘଟଣାବହୁଳ ରହିଥିଲା। ଜଷ୍ଟିସ୍ ମିଶ୍ର ଯେତେବେଳେ ୨୦୧୭ ଅଗଷ୍ଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ, ସେହି ସମୟରେ କାହାରିକୁ ଆଭାସ ନଥିଲା ଦେଶର ନ୍ୟାୟପାଳିକାର ମୁଖିଆଙ୍କୁ ମହାଭିଯୋଗର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର କଠିନ ସମୟକୁ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଭାବେ ତୁଲାଇବା ସହିତ କାର‌୍ୟ୍ୟ ସମ୍ପାଦନ କଲେ। ରାଜନୈତିକ ସ୍ତରରୁ ଆସିଥିବା ପ୍ରତିବନ୍ଧକଗୁଡ଼ିକୁ ପାର୍ କରିବା ପରେ ନିଜ ୧୩ ମାସର କାର‌୍ୟ୍ୟକାଳରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ରାୟ ପ୍ରଦାନ କଲେ,ଯେଉଁଥି ପାଇଁ ଭବିଷ୍ୟତ ପିଢ଼ି ତାଙ୍କୁ ମନେରଖିବ। ଜଷ୍ଟିସ୍ ମିଶ୍ରଙ୍କ ପାଣ୍ଡିତ୍ୟକୁ ନେଇ କେହି ମଧ୍ୟ ସନ୍ଦେହ କରିପାରିବେ ନାହିଁ। ଏପରିକି ଯେଉଁମାନେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ, ସେମାନେ ମଧ୍ୟ ଏହି ସନ୍ଦେହ କରିପାରିବେ ନାହିଁ। ବିଚାରପତିଙ୍କ ଜ୍ଞାନ, ପାଣ୍ଡିତ୍ୟ, ପ୍ରତିଭା ତଥା ଯୋଗ୍ୟତାର ମାପକାଠି ବିଭିନ୍ନ ଜଟିଳ ପ୍ରସଙ୍ଗରେ ତାଙ୍କ ଦ୍ବାରା ଦିଆଯାଇଥିବା ରାୟ ଭିତ୍ତିରେ ଆକଳନ କରାଯାଇଥାଏ। ଜ୍ଞାନ ଓ ପାଣ୍ଡିତ୍ୟ ସହ ଅନ୍ୟ ଏକ ଗୁଣ ତାଙ୍କ ପାଖରେ ରହିଛି, ତାହା ହେଉଛି ଧେର‌୍ୟ୍ୟ। ଅଦାଲତରେ ଶୁଣାଣି ଦୀର୍ଘ ସମୟ ଧରି ଚାଲିଥାଏ। ଅନେକ ସମୟରେ ଅତ୍ୟନ୍ତ ଗମ୍ଭୀର ଯୁକ୍ତିତର୍କ ମଧ୍ୟ ହୋଇଥାଏ। ବେଳେବେଳେ ଜ୍ଞାନୀ ଓ କାର‌୍ୟ୍ୟଦକ୍ଷ ବିଚାରପତିମାନେ ନିଜର ଧୈର‌୍ୟ୍ୟକୁ ହରାଇଥାନ୍ତି। ହେଲେ ଜଷ୍ଟିସ୍ ମିଶ୍ର ତାଙ୍କର ଅସୀମ ଧର‌୍ୟ୍ୟ ପାଇଁ ପ୍ରଶଂସାର ପାତ୍ର। ଅତ୍ୟନ୍ତ ଜଟିଳ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ପ୍ରସଙ୍ଗେର ତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟ ଯୁଗ ଯୁଗ ଧରି ମନେରହିବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବେ।

Share

Leave a Reply

Your email address will not be published. Required fields are marked *

thirteen − 4 =