ନିମପୁରରୁ ନବୀନ ନିବାସ, ସଚିବାଳୟରେ ଚାଲିଛି ସୁଟିଂ

ଭୁବନେଶ୍ବର, 03/06 () ନିମପୁରରୁ ନବୀନ ନିବାସ  । ଏହି ଚଳଚ୍ଚିତ୍ରକୁ ନେଇ ଗତ କିଛି ଦିନ ହେଲା ଓଡିଆ ସିନେ ଜଗତରେ ଚର୍ଚ୍ଚା ଚାଲିଛି  । ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଏକ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି କି ତାକୁ ନେଇ ସିନେ ପ୍ରେମୀ ଏବଂ ସିନେ ସମୀକ୍ଷକଙ୍କ ମନରେ ନାନା ପ୍ରଶ୍ନ ଉଠୁଥିବା ବେଳେ ଆଜି ରାଜ୍ୟ ସଚିବାଳୟର ମୁଖ୍ୟ ଫାଟକରେ ଏହି ସିନେମାନର କିଛି ଦୃଶ୍ୟର ସୁଟିଂ କରାଯାଇଛି  ।

ଏହି ଚଳଚ୍ଚିତ୍ରରେ ବିଷୟବସ୍ତୁ ଏହାର ନାୟୀକା ଅର୍ଥାତ ନିମକିଙ୍କ ଉପରେ ଆଧାରିତ  । ଏହି ନିମକି ଭୁମିକାରେ ଅଛନ୍ତି ଓଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ବର୍ଷା ପ୍ରିୟଦର୍ଶିନୀ  । ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି, ଜଗତସିଂହପୁର ଜିଲ୍ଲାର ନିପଟ ମଫସଲ ଗାଁ ନିମପୁର  । ଏହି ଗାଁର ଗୋଟିଏ ଝିଅ ନିମକି, ସରଳ, ନିଷ୍କପଟ ଏବଂ ମେଳାପୀ  । ପିଲାଟି ଦିନୁ ଗାଁର ବିଭିନ୍ନ ସମସ୍ୟାଦେଖିଛି ଆଉ ସହସିକତାର ସହ ଜୁଝୁଛି  । ଏକ ପ୍ରକାର କହିବାକୁ ଗଲେ ନାରୀ ସଶକ୍ତିକରଣର ଦୃଷ୍ଟାନ୍ତ ସାଜିଛି ନିମକି  ।

ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପରେ ବେଶ ପ୍ରଭାବିତ ହୋଇଛି ନିମକି  । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା ପାଇଁ ଏକ ଆଦର୍ଶ ହୋଇଛନ୍ତି  । ତଥାପି ମଧ୍ୟ ଗାଁର ଆଉ କିଛି ସମସ୍ୟା ରହିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିପାରୁନି  । ନିଜର ଆଦର୍ଶ ରାଜନେତା ଏବଂ ଗାଁର କିଛି ସମସ୍ୟାକୁ ନେଇ ନିମକି ଦିନେ ସାହସ କରି ଭୁବନେଶ୍ବର ଆସିଛି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ  । ରାଜଧାନୀର ଗାଡିମଟର ଏବଂ ସଚିବାଳୟର ସୁରକ୍ଷା ବ୍ୟବସ୍ଥାକୁ ଦେଇ ତା ମୁଣ୍ଡ ଚକ୍କର କାଟୁଛି  । ତଥାପି ସାହସ କରି ସଚିବାଳୟ ମଧ୍ୟକୁ ଏହାର ମୁଖ୍ୟ ପାଟକ ଦେଇ ପଶିବାକୁ ଚେଷ୍ଟା କରୁଛି ନିମକି  । ବାଟ ଓଗାଳୁଛନ୍ତି ସୁରକ୍ଷା କର୍ମୀ  । ଏମିତି କିଛି ଥର ପ୍ରୟାସ ପରେ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ଦୃଷ୍ଟି ପଡୁଛି ନିମକି ଉପରେ ଆଉ ସେ ତାକୁ ନବୀନ ନିବାସ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଉଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହ ଗାଁର ସମସ୍ୟା କଥା ହେବା ତୁରନ୍ତ ସମାଧାନ ହେଉଛି ଆଉ ନବୀନ ପଟ୍ଟନାୟକ ବି ସେହି ଝିଅର ସାହସ, ଧର୍ଯ୍ୟ ଓ ପ୍ରତିବଦ୍ଧତାରେ ପ୍ରଭାବିତ ହୋଇଛନ୍ତି  । ଏମିତି କିଛି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି  ।

 

Share

Leave a Reply

Your email address will not be published. Required fields are marked *

19 − ten =