ସମାଧାନ ହେଲାଯାଏଁ ପୋଲାଭରମ ପ୍ରକଳ୍ପ ବନ୍ଦ କର

ପୋଲାଭରମ ପ୍ରକଳ୍ପ ବିବାଦରେ ନବୀନଙ୍କ ଚିଠି

ଭୁବନେଶ୍ବର () ପୋଲାଭରମ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ପକ୍ଷପାତିତା ବିରୋଧରେ ସ୍ବର ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଶ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି  । ଏଥିରେ ଯେ ପର୍ଯ୍ୟନ୍ତ ଓଡିଶା ସଂପର୍କିତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ସମୟରେ ଉଠିଥିବା ବିବାଦ ଏବଂ ଆଇନଗତ ଲଢେଇ ବାବାଦରେ ବିସ୍ତ୍ରୁତ ଭାବେ ଉଲ୍ଲେଖ କରିଛନ୍ତି  । ଓଡିଶା ସରକାରଙ୍କ ବିନା ସହମତି ଏବଂ ରାଜ୍ୟର ସ୍ବାର୍ଥକୁ ଅଣଦେଖା କରି ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଉପରେ ଆପତ୍ତି ଉଠାଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର 2015 ଏବଂ ନଭେମ୍ବର 2017ରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । ପ୍ରଧାନମନ୍ତ୍ରୀଙ୍କ ଲେଖିଥିବା ଚିଠିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର କାମ ବନ୍ଦ ନିର୍ଦ୍ଦେଶକୁ କିଭଳି ଓଡିଶା ସରକାରଙ୍କ ନଜଣାଇ ସ୍ଥଗିତ ରଖାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ  । ଏଥିସହିତ ଓଡିଶା ଉଠାଇଥିବା ସମସ୍ୟାର ସମାଧାନ କରାନଯାଇ ପ୍ରକଳ୍ପ ନିର୍ମାଣ କରାଗଲେ ରାଜ୍ୟର ବହୁ ଆଦିବାସୀ ଲୋକେ ସବୁଦିନ ପାଇଁ ବାସହରା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଗୋଦାବରୀ ନଦୀ ବିବାଦ ଟ୍ରିବୁନାଲର ନିର୍ଦ୍ଦେଶକୁ ଉଲଂଘନ କରି ନିର୍ମିତ ହେଉଥିବା ଏହି ପ୍ରକଳ୍ପରେ ସାବେରୀ ଓ ସିଲେରୁ ନଦୀର ବ୍ୟାକ ୱାଟର ଦ୍ବାରା ହେବାକୁ ଥିବା କ୍ଷୟକ୍ଷତିର ସଠିକ ଆକଳନ କରାଯାଇନି  । ଓଡିଶାର ମାଲକାନଗିରି ଅଂଚଳରେ ବିନା ଜନଶୁଣାଣୀରେ ପ୍ରକଳ୍ପ କାମ ହେଉଥିବାରୁ 2005ରେ ମିଳିଥିବା ପରିବେଶ ମଂଜୁରୀ ଆଇନତଃ ଅସିଦ୍ଧ ହୋଇଛି  । 2007 ଡିସେମ୍ବର 19 ତାରିଖରେ ପ୍ରଭାବିତ ଅଂଚଳରେ ଜନ ଶୁଣାଣୀ ହୋଇନଥିବାରୁ ଜାତୀୟ ପରିବେଶ ସଂପର୍କିତ ଆପିଲେଟ ପ୍ରାଧୀକରଣ ପରିବେଶ ମଂଜୁରୀକୁ ଅସିଦ୍ଧି ଘୋଷଣା କରି ସାନି ଜଣଶୁଣାଣୀ ପାଇଁ ନିର୍ଦ୍ଦେଶ ଦେଇଥିଲେ  ।

2015 ଜୁନ ମାସରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେତେକ ସର୍ତ୍ତ ପୂରଣ କରିବାକୁ ରାଜି ହୋଇଥିବାରୁ ପରିବେଶ ମନ୍ତ୍ରଣାଳୟ କାମ ବନ୍ଦ ନିର୍ଦ୍ଦେଶକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ  । ସେ ସମୟରେ ଓଡିଶା ଓ ଛତିଶଗଡ ସରକାର ଉଠାଇଥିବା ପ୍ରସଙ୍ଗର ସମାଧାନ ନହେବ ଯାଏଁ ଆନ୍ଧ୍ର ସରକାର ଜଳଭଣ୍ଡାର କାର୍ଯ୍ୟ ଆଗେଇବେ ନାହିଁ ବୋଲି ରାଜି ହୋଇଥିଲେ  । କିନ୍ତୁ ବର୍ତ୍ତମାନ ଜଳଭଣ୍ଡାର ଏବଂ ଏହାର ସ୍ପିଲ ୱେ କାମ ଯେଉଁ ହାରରେ ଚାଲିଛି ତାହା ଦ୍ବାରା ଓଡିଶା ସୀମାନ୍ତବର୍ତ୍ତି ଅଂଚଳ ଜଳମଗ୍ନ ହେବା ନିଶ୍ଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

2015ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଣାଇଥିଲେ ଯେ, ଓଡିଶା ଓ ଛତିଶଗଡର ପ୍ରଭାବିତ ଅଂଚଳରେ ଜନଶୁଣାଣୀ ପରେ ଆବଶ୍ୟକ ପଡିଲେ ପ୍ରକଳ୍ପ ଓ ଜଳଭଣ୍ଡାର ଡିଜାଇନରେ ପରିବର୍ତ୍ତନ କରାଯିବ  । ଏଥିପାଇଁ ପ୍ରଭାବିତ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ନିଆଯିବ  । କିନ୍ତୁ ଡିଜାଇନ ପରିବର୍ତ୍ତନ ସମୟରେ ଓଡିଶା ସରକାରଙ୍କ ମତାମତ ଗ୍ରହଣ କରାଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

one + 14 =