ଆସନ୍ତା ଗ୍ରୀଷ୍ମ ଋତୁରେ ପଶ୍ଚିମ ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରସ୍ତୁତ ରହିଛି

ବୁର୍ଲା/ସମ୍ବଲପୁର: ଆସନ୍ତା ଗ୍ରୀଷ୍ମ ଋତୁରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ସେବାକୁ ଯୋଗାଇ ଦେବା ଲାଗି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ତାର ସମସ୍ତ ପ୍ରସ୍ତୁତି ଜାରି ରଖିଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଆବଶ୍ୟକତା 1750 ଏମଭିଏ ରୁ 1800 ଏମଭିଏ ହେବା ନେଇ ଆଶା କରାଯାଉଅଛି । ଯାହା ବିଗତ ବର୍ଷ ଗୁଡ଼ିକର ଗ୍ରୀଷ୍ମ ଋତୁ ତୁଳନାରେ 12 ପ୍ରତିଶତ ଅଧିକ ରହିପାରେ । ଏଥି ନିମନ୍ତେ ଯୋଗାଣ ପ୍ରକ୍ରିୟାକୁ ବଳବତ୍ତର ରଖିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଯୋଗସୁତ୍ର ସ୍ଥାପନ କରାଯାଇଅଛି ।
ସମସ୍ତ 312 PSS ର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ଏହା ମାର୍ଚ୍ଚ 2024 ସୁଦ୍ଧା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଅଛି । 5600 CKM, 33 କେଭି ଫିଡରର ରକ୍ଷଣାବେକ୍ଷଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ସେହିପରି 20,000 CKM, 11 କେଭି ଫିଡରର କାର୍ଯ୍ୟ 90 ପ୍ରତିଶତ ସମ୍ପର୍ଣ୍ଣ କରାଯାଇଅଛି । ଏହି କାର୍ଯ୍ୟ ସମସ୍ତ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ ଜାରି ରହିଛି । ଆସନ୍ତା ଗ୍ରୀଷ୍ମ ଋତୁରେ କାଳବୈଶାଖୀ ପ୍ରବାହକୁ ଆଖି ଆଗରେ ରଖି ଗଛ ଡ଼ାଳ କଟାଯିବା ପ୍ରକ୍ରିୟା ଜାରି ରହିଅଛି । ମଧ୍ୟବର୍ତ୍ତୀ ଖମ୍ବ ଲଗାଯାଇ ତାରର ଉଚ୍ଚତା ବଢ଼ାଯିବା କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ଯନ୍ତ୍ରପାତିକୁ କମ୍ପାନୀର ସମସ୍ତ ଭଣ୍ଡାରରେ ଗଚ୍ଛିତ ରଖାଯାଇଛି । ପ୍ରତ୍ୟେକ ମଣ୍ଡଳରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ସରବରାହକୁ ପୁନଃଉର୍ଦ୍ଧାର ପାଇଁ ପଠାଯିବା ନିମନ୍ତେ ନିୟୋଜିତ କରାଯାଇଛି । ଯେପରି କି, ଯୋଗାଯୋଗ କ୍ଷେତ୍ରରେ କୌଣସି ବ୍ୟାଘାତ ନ ଘଟେ, ସେଥିନିମନ୍ତେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି ।

ସମ୍ବଲପୁର ସ୍ଥିତ ଦେୟମୁକ୍ତ ଯୋଗାଯୋଗ କେନ୍ଦ୍ରର କ୍ଷମତାକୁ ଉନ୍ନତ କରି ଗ୍ରାହକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ପାଖରେ ଥିବା 9 ଗୋଟି ମ୍ୟାନଲିପ୍ଟର, 55 ଗୋଟି ପୋଲମାଷ୍ଟର, 65 ଗୋଟି ହାଇଡ୍ରା, 250 ଗୋଟି ଡାଳକଟା ଯନ୍ତ୍ର, କେବୁଲ ଫଲ୍ଟ ଲୋକେଟର୍ , 5 ଗୋଟି ଆକ୍ସା ଲାଇଟ୍, ମୋବାଇଲ ଟ୍ରାନ୍ସଫରମରକୁ ସମସ୍ତ ମଣ୍ଡଳ କାର୍ଯ୍ୟାଳୟରେ ମହଜୁତ୍ ରଖାଯାଇଅଛି । ଗ୍ରାମାଞ୍ଚଳରେ କାର୍ଯ୍ୟରତ 450 ଗୋଟି ବିଦ୍ୟୁତ୍ ସେବା କେନ୍ଦ୍ରକୁ ସହରାଞ୍ଚଳରେ 3 ସିପ୍ଟ ଏବଂ ଗ୍ରାମଞ୍ଚଳରେ 2 ଟି ସିପ୍ଟରେ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରାଯାଇଅଛି । ପାୱାର ସିଷ୍ଟମ୍ କମାଣ୍ଡ ସେଣ୍ଟରକୁ 24 ଘଣ୍ଟା କାର୍ଯ୍ୟରତ ରଖିବା ପାଇଁ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଅଛି । ଅତ୍ୟାଧିକ ଚାପ ସମୟରେ ବିତରଣ ବ୍ୟବସ୍ଥାକୁ ସ୍ୱୟଂ ଚାଳିତ ଯନ୍ତ୍ର ଦ୍ୱାରା ସମତୁଲ କରିବା ଏବଂ ବିଦ୍ୟୁତ୍ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନିଆଯାଇଛି । ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ସହିତ ସାଟେଲାଇଟ୍ ଫୋନ୍ ଦ୍ୱାରା ଯୋଗସୁତ୍ର ରକ୍ଷା କରିବାର ବନ୍ଦୋବସ୍ତ କରାଯାଇଅଛି ।

ପ୍ରକାଶଥାଉ କି, ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ଆବଶ୍ୟକତା ନିରୁପଣ କରି ଆନୁସାଙ୍ଗିକ ପଦକ୍ଷପ ନିଆଯାଇଅଛି । ଏଣୁ ଏହି ପରିପେକ୍ଷୀରେ ଟିପିଡବ୍ଲୁଓଡିଏଲ୍ ସିଇଓ ଏହି ପ୍ରେସ୍ ବିବୃତ୍ତି ମାଧ୍ୟମରେ ଆଶ୍ୱସ୍ଥି ପ୍ରକାଶ କରି କହିଛନ୍ତି ଯେ, ବିଦ୍ୟୁତ୍ ସରବରାହକୁ ସ୍ଥିର ରଖିବା ଏବଂ ବିତରଣ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରି ବିଦ୍ୟୁତ୍ ସେବା ଯୋଗାଇବା ଦିଗରେ ସମସ୍ତ 5 ହଜାର କର୍ମଚାରୀ ସଜାଗ ରହିଛନ୍ତି । ତେଣୁ ଜନସାଧାରଣ ବା ଗ୍ରାହକ କୌଣସି ପରିସ୍ଥିତିରେ ଧର୍ଯ୍ୟହରା ନ ହୋଇ, ଯେକୌଣସି ସମୟରେ ଆମର ଦେୟମୁକ୍ତ ଯୋଗାଯୋଗ ନମ୍ବର- 1800-3456-798 ରେ ତାଙ୍କର ଅଭିଯୋଗ ପଞ୍ଜିକୃତ କରାନ୍ତୁ ଏବଂ ଆମର ଆଶା ଓ ବିଶ୍ୱାସ ଗ୍ରୀଷ୍ମ ଋତୁ ଓ କାଳବୈଶାଖୀ ସସମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ନିଶ୍ଚିତ ରୂପେ ଟିପିଡବ୍ଲୁଓଡିଏଲ୍ ସଫଳ ହେବ ।

Share

Leave a Reply

Your email address will not be published. Required fields are marked *

5 × one =