ଟିପିଏନ୍‌ଓଡିଏଲ୍ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ

ସପ୍ତାହର ବିଷୟବସ୍ତୁ “ବିଦ୍ୟୁତ ସୁରକ୍ଷା, ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ”
ବାଲେଶ୍ୱର: ଟିପିଏନ୍‌ଓଡିଏଲ୍ ପକ୍ଷରୁ ଉତର ଓଡ଼ିଶାରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟ/ କାର୍ଯ୍ୟ କ୍ଷେତ୍ରରେ ୨୦୨୩ ଜୁନ୍ ୨୬ରୁ ଆରମ୍ଭ ହୋଇ ୨୦୨୩ ଜୁଲାଇ ୨ ପର୍ଯ୍ୟନ୍ତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । “ବିଦ୍ୟୁତ ସୁରକ୍ଷା, ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ବିଷୟବସ୍ତୁ ଉପରେ ଆଧାରିତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ସୁରକ୍ଷା ଓ ଶୂନ୍ୟ ଆଘାତ ସଂସ୍କୃତିର ପ୍ରସାର କରିବା । କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ବିଜନେସ୍ ଆସୋସିଏଟ୍‌ମାନଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ପଦକ୍ଷେପ ବିଷୟରେ ସଚେତନ କରାଯାଉଛି ଯାହାକୁ ସବୁ ସମୟରେ ସୁରକ୍ଷା କାର୍ଯ୍ୟକ୍ରମ ଓ ତାଲିମ ଜରିଆରେ ଗ୍ରହଣ କରିବାକୁ ପଡ଼ିବ ।
ସୁରକ୍ଷାକୁ ଏକ ଜୀବନଶୈଳୀରେ ଓ ସୁରକ୍ଷା ଅଭ୍ୟାସକୁ କର୍ମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ କର୍ମଚାରୀମାନଙ୍କ ପ୍ରତିବଦ୍ଧତାକୁ ଏହି ସପ୍ତାହ ଜରିଆରେ ପାଳନ କରାଯାଉଛି । ସମଗ୍ର କଂପାନିରେ ଏକ ଦୃଢ଼ ସୁରକ୍ଷା ସଂସ୍କୃତିର ବିକାଶ କରିବା ପାଇଁ ସମସ୍ତ କାର୍ଯ୍ୟରେ ସୁରକ୍ଷା ପ୍ରଥାକୁ ପାଳନ କରିବା, ଆମର କାର୍ଯ୍ୟ ପ୍ରକ୍ରିୟାରେ ସୁରକ୍ଷା ନବସୃଜନ ଆଣିବା ଓ ବ୍ୟବହାରଭିତିକ ସୁରକ୍ଷା ଆଣିବା ଅତ୍ୟନ୍ତ ଜରୁରୀ । ସଂସ୍ଥା ସହ ଜଡ଼ିତ ସମସ୍ତଙ୍କୁ ସାମିଲ କରିବା ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ଜାତୀୟ ସୁରକ୍ଷା ସପ୍ତାହ ପାଳନ ହେଉଛି ସେଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯେଉଁଥିରେ ଟିପିଏନ୍‌ଓଡିଏଲ୍‌ର ସମସ୍ତେ ଅଂଶଗ୍ରହଣ କରିଛନ୍ତି ଯାହା କଂପାନି ଭିତରେ ଏକ ଦୃଢ଼ ସୁରକ୍ଷା ସଂସ୍କୃତି ସ୍ଥାପନ କରିବା ପ୍ରତି ଗୁରୁତ୍ୱ ଓ ବିଶ୍ୱାସକୁ ଦୃଢ଼ୀଭୂତ କରୁଛି ।
୪ର୍ଥ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହରେ ଟିପିଏନ୍‌ଓଡିଏଲ୍ ପକ୍ଷରୁ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଇଂରାଜି/ହିନ୍ଦୀ/ଓଡ଼ିଆ/ସ୍ଥାନୀୟ ଆଦିବାସୀ ଭାଷାରେ ସୁରକ୍ଷା ସ୍କିଟ୍ ପ୍ରତିଯୋଗିତା, ସୁରକ୍ଷା ପୋଷ୍ଟର ପ୍ରତିଯୋଗିତା, ଇଂରାଜି/ହିନ୍ଦୀ/ଓଡ଼ିଆରେ ସୁରକ୍ଷା ସ୍ଲୋଗାନ ଓ କବିତା ପ୍ରତିଯୋଗିତା, ଇ-କୁଇଜ୍ ପ୍ରତିଯୋଗିତା, “ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ସମ୍ପର୍କିତ ଅଭିନବ ପରାମର୍ଶ, ଜନ ସୁରକ୍ଷା ସଚେତନତା ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − 8 =