ଖଣ୍ଡଗିରି ଅଂଚଳବାସୀଙ୍କ ପାଇଁ ରହିବ ନାହିଁ ବିଦ୍ୟୁତ ସମସ୍ୟା: ସ୍ଥାପନ ହେଲା ନୂତନ ଜ୍ଞାନ କୌଶଳର ବିଶାଳ ଟ୍ରାନ୍ସଫର୍ମର୍‌

ସ୍ଥାପିତ ହୋଇଥିବା ଏହି ବିଶାଳ ଟ୍ରାନ୍ସଫର୍ମରଟି ସମଗ୍ର ଡିସକମରେ ସର୍ବବୃହତ ଓ ସର୍ବପ୍ରଥମ
୮ ଏମ୍‌ଭିଏରୁ ୨୫ ଏମ୍‌ଭିଏ ଟ୍ରାନ୍ସଫରମର୍‌କୁ ରୂପାନ୍ତରଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଆଗାମୀ ଦିନରେ ଖଣ୍ଡଗିରି ଅଂଚଳର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି ।
ସହରାଚଂଳରେ ବର୍ଷକୁ ବର୍ଷ ଲୋଡ୍‌ରେ ହେଉଥିବା ବୃଦ୍ଧି ଚାହିଦା ପୂରଣ କରିବା ପାଇଁ ପୂର୍ବରୁ ଥିବା ପିଏସ୍‌ଏସ୍‌ରେ ବିଦ୍ୟୁତ ଟ୍ରାନ୍ସଫରମର ସହିତ ସ୍ୱିଚ୍‌ଗିୟରର ଦକ୍ଷତା ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରାଯାଇଛି । ଆସନ୍ତା ୧୦ ବର୍ଷରେ ଲୋଡ୍‌ରେ ହେବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷତାରେ ଏହି ଉନ୍ନତି ଅଣାଯାଇଛି ।
ବିଦ୍ୟୁତ ଭିତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଟିପିସିଓଡିଏଲ୍ ଖଣ୍ଡଗିରିରେ ଥିବା ଏକ ପୁରୁଣା ୮ ଏମ୍‌ଭିଏ ଟ୍ରାନ୍ସଫରମର୍‌କୁ ଏକ ଅତ୍ୟାଧୁନିକ ୨୫ ଏମ୍‌ଭିଏ ଟ୍ରାନ୍ସଫରମର ଜରିଆରେ ସୁଦୃଢ଼ କରାଯାଇଛି । ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ପ୍ରଥମ, ଏହି ରୂପାନ୍ତରୀତ ବିଦ୍ୟୁତ ସବ୍‌ଷ୍ଟେସନ (ପିଏସ୍‌ଏସ୍‌) ଏକ ବଡ଼ ସଫଳତା ଭାବେ ଉଭା ହୋଇଛି ଯାହା ଭୋଲ୍‌ଟେଜ୍ ନିୟନ୍ତ୍ରଣ ଓ ସୁରକ୍ଷା ପଦକ୍ଷେପରେ ଉନ୍ନତ ପ୍ରଯୁକ୍ତିର ସମନ୍ୱୟକୁ ଦର୍ଶାଉଛି ।
ଟିପିସିଓଡିଏଲ୍‌ର ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ବିଦ୍ୟୁତ ଭିତିଭୂମି ଓ ଦକ୍ଷତାକୁ ବଦଳାଇଥିବା ବେଳେ ଏହି ଅଭିଯାନ ଜରିଆରେ ଏକ ନୂତନ ମାନଦଣ୍ଡ ନିର୍ଧାରଣ ହୋଇଛି ଯାହା ଜାଗମରା, କୋଳଥିଆ, ଧର୍ମ ବିହାର, ଗଣ୍ଡମୁଣ୍ଡା, ଆଇଗିଣିଆ, ଜଗମୋହନ ନଗର, ମଲ୍ଲିକ କମ୍ପେ୍ଲକ୍ସ ଓ ସତ୍ୟସାଇ ଏନ୍‌କ୍ଲେଭ୍‌ରେ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବ । ଏହି ଉଦ୍ୟମ ବିଦ୍ୟୁତ ବ୍ୟବସ୍ଥାର ମାନରେ ଉନ୍ନତି ଆଣିବାରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଥିବା ବେଳେ ଆସନ୍ତା ଦଶନ୍ଧିରେ ଏହି ଅଂଚଳରେ ବିଦ୍ୟୁତ ସେବା ଦୃଶ୍ୟପଟ୍ଟରେ ରୂପାନ୍ତରଣ କରିବ ।
ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନକୁ କାର୍ଯ୍ୟକାରୀ କରିଥିବାରୁ ଆମେ ଗର୍ବିତ । ଏହା ଖଣ୍ଡଗିରି ଅଂଚଳରେ ବିଦ୍ୟୁତ ସେବାରେ ଉନ୍ନତି ଆଣିବା ପାଇଁ ଥିବା ଆମର ସମର୍ପଣ ଭାବକୁ ଦର୍ଶାଉଛି । ଏହି ଉନ୍ନତି ସହିତ ଆମେ ବର୍ତମାନର ଚାହିଦାକୁ ପୂରଣ କରୁଥିବା ବେଳେ ଭବିଷ୍ୟତରେ ଏହି ଅଂଚଳର ଅଭିବୃଦ୍ଧି ଓ ବିକାଶ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛୁ ।’’

Share

Leave a Reply

Your email address will not be published. Required fields are marked *

20 − 16 =