ଏସ୍‌ବିଆଇ ପକ୍ଷରୁ “ମୋବାଇଲ୍ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌” ଉନ୍ମୋଚନ, ଲୋକଙ୍କ ପାଖରେ ପହଂଚାଇବ ବ୍ୟାଙ୍କ ସେବା

ଭୁବନେଶ୍ୱର: ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସେବାକୁ ଲୋକମାନଙ୍କ ପାଖରେ ସୁବିଧାରେ ପହଂଚାଇବା ଲାଗି ଏହାର ଏଫ୍‌ଆଇ ଗ୍ରାହକମାନଙ୍କ ଲାଗି “ମୋବାଇଲ୍ ହାଣ୍ଡ୍‌ହେଲ୍‌ଡ ଡିଭାଇସ”ର ଶୁଭାରମ୍‌ଭ ବିଷୟରେ ଘୋଷଣା କରାଯାଇଛି । ଏହି ଅଭିନବ ଅଭିଯାନକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଦିନେଶ ଖାରା ଉନ୍ମୋଚନ କରିଛନ୍ତି ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବ ଏବଂ ଲୋକଙ୍କ ପାଖରେ ଆବଶ୍ୟକ ବ୍ୟାଙ୍କ ସେବା ପହଂଚାଇବ ।
ଏହି ମୋବାଇଲ୍ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍ ବ୍ୟାଙ୍କ ସେବା ପ୍ରଦାନରେ ବୈପ୍ଳବିକ ପରିବର୍ତନ ଆଣି କିଓସ୍କ ବ୍ୟାଙ୍କିଙ୍ଗକୁ ସିଧାସଳଖ ଗ୍ରାହକଙ୍କ ଘର ପାଖରେ ପହଂଚାଇବ । ଗ୍ରାହକ ସର୍ଭିସ୍ ପଏଂଟ୍ (ସିଏସ୍‌ପି) ଏଜେଂଟ୍‌ମାନଙ୍କୁ ଏହା ଅଧିକ ସ୍ୱାଧୀନତା ପ୍ରଦାନ କରିବ ଏବଂ ସେମାନେ ଯେକୌଣସି ସ୍ଥାନରେ ଥିବା ଗ୍ରାହକଙ୍କ ପାଖରେ ପହଂଚିପାରିବେ । ସ୍ୱାସ୍ଥ୍ୟ ସମସ୍ୟା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭଳି ଯେଉଁ ଲୋକମାନେ ସିଏସ୍‌ପିରେ ପହଂଚିପାରୁନାହାନ୍ତି ସେମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ।
ଏହି ମୋବାଇଲ୍ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ରେ ପାଂଚ ପ୍ରକାର ମୌଳିକ ସୁବିଧା ମିଳିବ ଯାହା ହେଉଛି ନଗଦ ରାଶି ଉଠାଣ, ନଗଦ ରାଶି ଜମା, ଫଣ୍ଡ୍ ଟ୍ରାନ୍ସଫର, ବାଲାନ୍ସ ଅନୁସନ୍ଧାନ ଓ ମିନି ଷ୍ଟେଟ୍‌ମେଂଟ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବାଗୁଡ଼ିକ ମିଳିବ ଯାହା ଏସ୍‌ବିଆଇର ସିଏସ୍‌ପି ଆଉଟ୍‌ଲେଟ୍‌ରେ ହେଉଥିବା ମୋଟ କାରବାରର ୭୫ ପ୍ରତିଶତ ଅଟେ । ସାମାଜିକ ସୁରକ୍ଷା ସ୍କିମ୍ ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା, ଖାତା କୋଲିବା, ରେମିଟାନ୍ସ ଓ କାର୍ଡ ଭିତିକ ସେବା ପ୍ରଦାନକୁ ଖୁବ୍‌ଶୀଘ୍ର ଆରମ୍ଭ କରି ବ୍ୟାଙ୍କ ଏହି ବ୍ୟବସ୍ଥାର ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି ।
ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଳାଷକୁ ପୂରଣ କରିବା ପାଇଁ ସମାଜର ସବୁ ବର୍ଗ ବିଶେଷ କରି ବ୍ୟାଙ୍କ ପହଂଚିନଥିବା ସ୍ଥାନରେ ବ୍ୟାଙ୍କ ସେବାକୁ ପହଂଚାଇବା ହେଉଛି ଆମର ଲକ୍ଷ୍ୟ । ମୋବାଇଲ୍ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ର ଶୁଭାରମ୍ଭ ସହିତ ଗ୍ରାହକମାନେ ନିଜ ଅଂଚଳରେ ରହି ଏକ ନିରବଚ୍ଛିନ୍ନ ବ୍ୟାଙ୍କ କାରବାର ଅନୁଭୂତି ହାସଲ କରିପାରିବେ । ଗ୍ରାହକମାନଙ୍କ ପାଖରେ ସୁବିଧାରେ ବ୍ୟାଙ୍କ ସେବା ପହଂଚାଇ ଏହି ପ୍ରଯୁକ୍ତି ପ୍ରେରିତ ଅଭିଯାନ ଡିଜିଟାଇଜେସନ୍ ଜରିଆରେ ସାମାଜିକ କଲ୍ୟାଣ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରୁଛି ।”

Share

Leave a Reply

Your email address will not be published. Required fields are marked *

eighteen − 4 =