ମୁହଁ ଫେରାଉଛନ୍ତି ଜନତା

ଭୁବନେଶ୍ବର (): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ବିଜେପି ଓ ଏହାର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁତ ଅଲଗା। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ି ୩୦ବର୍ଷ ପରେ ନିଜ ଦମରେ ବହୁମତ ହାସଲ କରିବାର ଗୌରବ ସହିତ ସରକାର ଗଠନ କରିଥିଲେ।

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେପି ଲଗାତର ସଫଳତା ହାସଲ କରୁଥିଲା। ଦିଲ୍ଲୀ, ବିହାର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ପୁଡ଼ୁଚେରୀ ଓ ପଞ୍ଜାବକୁ ଛାଡ଼ି ଅନ୍ୟସବୁ ରାଜ୍ୟରେ ବିଜେପି କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳକୁ କ୍ଷମତାଚ୍ୟୁତ କରିଥିଲା। ଏହିସବୁ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଉଥିଲା। ପାର୍ଟି ନେତାଙ୍କ କହିବା ଅନୁସାରେ ମୋଦିଙ୍କ ସଫଳତାର ଯାଦୁ ଯୋଗୁଁ ବିଜେପି ଅନେକ ରାଜ୍ୟରେ ସରକାର ଗଠନ କରିଛି।

ଗତକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଯେଉଁ ପରିଣାମ ଆସିଛି, ତାକୁ ନେଇ ପ୍ରଶ୍ନ ଉଠୁଛି ଯେ ଏବେ କ’ଣ ମୋଦିଙ୍କ ଲହର ଶେଷ ହୋଇଗଲାକି ? ଯାହା ଫଳରେ ୫ଟି ରାଜ୍ୟ ମଧ୍ୟରୁ ୩ଟିରେ ବିଜେପି କ୍ଷମତା ହରାଇବା ସହିତ ସବୁଠାରେ ପରାଜିତ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ପରିଣାମ ଦିନରେ ବିଜେପି ଅଧିକ ହତାଶ ହୋଇଛି।

ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ପରିଣାମରୁ ଯାହା ଜଣାପଡ଼ୁଛି ସେଥିରେ ନରେନ୍ଦ୍ର ମୋଦିଙ୍କ ଯାଦୁର ପ୍ରଭାବ ଲୋକମାନଙ୍କ ଉପରେ ଶେଷ ହୋଇଯାଇଛି। କିନ୍ତୁ ପାର୍ଟିର ନେତାମାନେ ଏହି ରାଜ୍ୟରେ ବିଜେପିର ବିଫଳତା ପାଇଁ ମୋଦିଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ କଂଗ୍ରେସ ଭଳି ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୋଷ ଲଦିବା ଆମ୍ଭ କରିଦେଇଛନ୍ତି। କିନ୍ତୁ ରାଜନୀତିକ ବିଶ୍ଲେଷକମାନେ ଏହି ତର୍କକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ନିର୍ବାଚନ ଜିତିଲେ ଯେପରି ମୋଦିଙ୍କ ସଫଳତା କଥା କୁହାଯାଉଥିଲା, ପରାଜୟରେ ମଧ୍ୟ ମୋଦିଙ୍କ ବିଫଳତା କାହିଁକି ନୁହେଁ। ତେଣୁ ଏବେ ମୋଦିଙ୍କ ଯାଦୁ ଶେଷ ହୋଇଗଲାଣି ବୋଲି କହିଲେ ଭୂଲ ହେବ ନାହିଁ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ ଓ ରାଜସ୍ଥାନରେ ଅନେକ କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏପରିକି ନିର୍ବାଚନରେ ମୋଦି ଅନେକ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ପୂର୍ବଭଳି ସଫଳତା ମିଳି ନଥିଲା। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ତାଙ୍କ ଯାଦୁ ମତଦାତାଙ୍କ ଉପରେ ହରାଇ ବସିଛନ୍ତି।

Share

Leave a Reply

Your email address will not be published. Required fields are marked *

7 − two =