କାମ ଦେଲାନି ଶାହାଙ୍କ ରଣନୀତି

ଭୁବନେଶ୍ୱର, (): ପ୍ରକାଶ ପାଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପି ନେତୃତ୍ୱକୁ ଚିନ୍ତାରେ ପକାଇ ଦେଇଛି। କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପିକୁ ତାରି ଗଢ଼ କୁହାଯାଉଥିବା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ପରାସ୍ତ କରି କ୍ଷମତା ଛଡ଼ାଇ ନେଇଛି। ୨୦୧୪ ପରଠାରୁ କୌଣସି ବିଧାନସଭା ନିର୍ବାଚନରେ ବିଜେପିର ଏପରି ପରାଜୟ ହୋଇନଥିଲା।

ବର୍ତ୍ତମାନର ୫ଟି ରାଜ୍ୟର ନିର୍ବାଚନକୁ ଛାଡ଼ିଦେଲେ ୨୦୧୪ ପରଠାରୁ ୨୦୧୮ ମଧ୍ୟରେ ୨୨ଟି ରାଜ୍ୟର ବିଧାନସଭା ନିର୍ବାଚନ ହୋଇଛି। ଅମିତ୍ ଶାହାଙ୍କ ନିର୍ବାଚନୀ ରଣନୀତିର ସଫଳତା ଯୋଗୁଁ ଏଥିରୁ ୧୪ଟିରେ ବିଜେପି ସରକାର ଗଠନ କରିଛି। କିନ୍ତୁ ୨୦୧୮ର ଶେଷ ଭାଗରେ ହୋଇଥିବା ନିର୍ବାଚନରେ ଶ୍ରୀ ଶାହାଙ୍କ ରଣନୀତି ବିଫଳ ହେବା ସହିତ ପରାଜୟ ଆରମ୍ଭ ହୋଇଛି।

ବିଜେପିରେ ଅମିତ୍ ଶାହାଙ୍କୁ ନିର୍ବାଚନୀ ରଣନୀତି ବିଶାରଦ ବୋଲି କୁହାଯାଏ। ସେଥିପାଇଁ ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳର ମହାସଚିବ କରାଯାଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ୯ଜୁଲାଇ ୨୦୧୪ରେ ଦଳର ରାଷ୍ଟ୍ରୀୟ ସଭାପତି କରାଗଲା। ସେହିବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ୨୦୧୫ରେ ଦିଲ୍ଲୀ ଓ ବିହାର ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା।

୨୦୧୬ରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାତ୍ର ଗୋଟିଏ ରାଜ୍ୟରେ ବିଜେପି କ୍ଷମତା ହାସଲ କରିଥିଲା। ୨୦୧୭ ବିଜେପି ଓ ଅମିତ୍ ଶାହାଙ୍କ ପାଇଁ ଭଲ ପରିଣାମ ପ୍ରଦାନ କରିଥିଲା। ପ୍ରବଳ ବିରୋଧ ପରେ ବି ବିଜେପି ଗୁଜରାଟ ସମେତ ୭ଟି ରାଜ୍ୟରେ ବିଜୟ ଲାଭ କରି ସରକାର ଗଠନ କରିଥିଲା। କିନ୍ତୁ ୨୦୧୮ରେ ବିଜେପିର ସ୍ଥିତି ଦୋହଲିବା ଆରମ୍ଭ କରିଛି।

୨୦୧୪ରେ ଲୋକସଭା ନିର୍ବାଚନ ପରେ ହରିୟାନା, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର ଓ ଝାଡ଼ଖଣ୍ଡରେ ହୋଇଥିବା ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଅମିତ୍ ଶାହାଙ୍କ ନେତୃତ୍ୱ ଯୋଗୁଁ ବିଜେପି ଏହି ୪ଟି ରାଜ୍ୟରେ ବିଜୟୀ ହେବା ସହିତ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ମେଣ୍ଟ ସରକାର ଗଠନ କରି ଇତିହାସ ସୃଷ୍ଟି କରିଥିଲା।

୨୦୧୫ରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଦିଲ୍ଲୀରେ ଅରବିନ୍ଦ କେଜ୍ରୀୱାଲଙ୍କ ଆପ ୭୦ ଆସନରୁ ୬୭ଟିରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମାତ୍ର୩ଟି ଆସନ ମିଳିଥିଲା। ବିହାରରେ ନୀତିଶ କୁମାରଙ୍କ ଦଳ ବିଜେପିକୁ ହାରାଇ କ୍ଷମତା ହାସଲ କରିଥିଲା। ପରେ ୨୦୧୭ରେ ନୀତିଶକୁମାର ମହାମେଣ୍ଟକୁ ଛାଡ଼ି ବିଜେପି ସହିତ ମେଣ୍ଟ କରି ସରକାର ଚଳାଉଛନ୍ତି।

୨୦୧୬ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ, ଓ କେରଳ ନିର୍ବାଚନରେ ବିଜେପି କେବଳ ଆସାମରେ ବିଜୟ ହାସଲ କରି ସରକାର ଗଠନ କରିଥିଲା। ଫଳରେ ପୂର୍ବୋତ୍ତର ରାଜ୍ୟରେ ବିଜେପିକୁ ପ୍ରବେଶ ମିଳିଲା।

୨୦୧୭ରେ ହୋଇଥିବା ୭ଟି ରାଜ୍ୟର ନିର୍ବର୍ାଚନରେ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୋଆ ଓ ମଣିପୁରରେ ବିଜୟ ହାସଲ କରି ସରକାର ଗଠନ କରିଛି। ଗୁଜରାଟରେ ବିରୋଧି ଦଳ ବିଜେପି ଚାରିପଟୁ ଘେରିଥିଲେ ହେଁ ତାକୁ କ୍ଷମତାରୁ ହଟାଇ ପାରିନଥିଲେ। କିନ୍ତୁ ବିଜେପି ୯୯ ଆସନରେ ସୀମିତ ହୋଇଯାଇଥିଲା। ଏହି ବର୍ଷ ପଞ୍ଜାବରେ ହୋଇଥିବା ନିର୍ବାଚନରେ ବିଜେପି-ଅକାଳୀ ମେଣ୍ଟ ହାରିଯାଇଥିଲା।

୨୦୧୮ରେ ବିଜେପି ପାଇଁ ଖଟା-ମିଠା ଅନୁଭୂତି ଆଣିଦେଇଛି। ଚଳିତ ବର୍ଷ ବିଜେପି ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ସରକାର ଗଠନ କରିଛି। ତ୍ରିପୁରାରେ ବିଜେପି ଏକାକୀ ସରକାର ଗଠନ କରିଥିବାବେଳେ ମେଘାଳୟ ଓ ନାଗାଲାଣ୍ଡରେ ମେଣ୍ଟ ସରକାର କରିଛି। ଫଳରେ ପୂର୍ବୋତ୍ତର ରାଜ୍ୟରୁ କଂଗ୍ରେସ ସଫା ହୋଇଯାଇଛି।

ଚଳିତ ବର୍ଷ ମଧ୍ୟ ଭାଗରେ କର୍ଣ୍ଣାଟକ ନିର୍ବାଚନରେ ବିଜେପି ସରକାର ଗଠନ କରିଥିଲେ ହେଁ ସପ୍ତାହକ ମଧ୍ୟରେ ଏହାର ପତନ ହୋଇଥିଲା। ଏହି ପତନ ପରଠାରୁ ଅମିତ୍ ଶାହା ଓ ବିଜେପିର ପତନ ଆରମ୍ଭ ହୋଇଛି। ଯାହା କି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପି ଗଡ଼ ହୋହଲି ପଡ଼ିଥିବାବେଳେ କ୍ଷମତାଚ୍ୟୁତ ହୋଇଛି। ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଜେପି ପରାସ୍ତ ହୋଇଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଥିବା ୬୫ଟି ଲୋକସଭା ଆସନରୁ ୨୦୧୪ରେ ବିଜେପି ୬୨ଟରେ ବିଜୟ ହାସଲ କରିଥିଲା। ଏହି ୩ଟି ରାଜ୍ୟରେ ବିଜେପିର ପରାଜୟ ହୋଇଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମୂଲ୍ୟ ଦୋକୁ ପଡ଼ିବ।

Share

Leave a Reply

Your email address will not be published. Required fields are marked *

two × 5 =