ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏହାର ଚିତ୍ର ଶନିବାର ବିଜେପି ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ। ବର୍ତ୍ତମାନର ସମୀକରଣ ହିସାବରେ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ କରାଯିବା ସୁନିଶ୍ଚିତ। ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସର୍ବାଗ୍ରେ ଅଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ସତପାଲ ମହାରାଜ। ଏଥିସହ ବିଧାୟକ ଧନ ସିଂହ ରାଓ୍ଵତ, ପୁଷ୍କର ସିଂହ ଧାମୀ ଓ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ସଚିବାଳୟ ସ୍ଥିତ ସାମ୍ବାଦିକ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ନିଜ ସରକାରଙ୍କ ଉପଲବ୍ଧି ଅବଗତ କରାଇଥିଲେ। ଏହା ପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।ସାଂପ୍ରତିକ ରାଜନୈତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖିଲେ ଜାତୀୟ ଓ ଆଞ୍ଚଳିକ ସମୀକରଣ ହିସାବରେ ମହାରାଜ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ରାଜ୍ୟ ସଭାପତି ମଦନ କୌଶିକ ବ୍ରାହ୍ମଣ ସଂପ୍ରଦାୟରୁ ଆସିଥିବାରୁ ଜାତିଗତ ସମୀକରଣ ପାଇଁ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି।

ସୂତ୍ର ଅନୁଯାୟୀ, ବିଜେପିରେ ସାମିଲ ହେବା ପରେ ମହାରାଜ ସଂଘ ଓ ହାଇକମାଣ୍ଡଙ୍କ ବିଶ୍ଵାସକୁ କାଏମ ରଖିଛନ୍ତି। ଏପରିକି ଲୋକସଭା ଏବଂ ଅନେକ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରଚାର ଅଭିଯାନର ଦାୟିତ୍ଵ ମଧ୍ୟ ଦିଆଯାଇଛି। ମହାରାଜଙ୍କ ବ୍ୟତୀତ ଅନ୍ୟ ଦାବିଦାର ମଧ୍ୟରେ ଅଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ବଂଶୀଧର ଭଗତ, ବିଶନ ସିଂହ ଚୁଫାଲ, ଯୁବ ଚେହେରା ରାଷ୍ଟ୍ର ମନ୍ତ୍ରୀ ଧନସିଂହ ରାଓ୍ଵତ ଓ ବିଧାୟକ ପୁଷ୍କର ସିଂହ ଧାମୀ।କିଛି ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ନାମରେ ଚର୍ଚ୍ଚା କରୁଛନ୍ତି। ଅନ୍ୟପଟେ ବିଜେପି ଶନିବାର ବିଧାୟକ ଦଳ ବୈଠକ ଡକାଇଛି। ଏହି ବୈଠକ ଅପରାହ୍ନ ୩ଟାରେ ବଲବୀର ରୋଡ୍ ସ୍ଥିତ ପାର୍ଟି ମୁଖ୍ୟାଳୟରେ ହେବ। ପାର୍ଟିର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ତୁରନ୍ତ ଦୁନ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ପାର୍ଟିର କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକଙ୍କ ସହିତ ଉତ୍ତରାଖଣ୍ଡ ପ୍ରଭାରୀ ଦୁଷ୍ୟନ୍ତ ଗୌତମ ମଧ୍ୟ ଉପସ୍ଥିତ ରହିବେ। ଏହି ବୈଠକରେ ବିଧାନସଭାର ନେତା ଚୟନ କରାଯିବ।

Share

Leave a Reply

Your email address will not be published. Required fields are marked *

4 × 5 =