ପ୍ରମୋଦ ଭଗତ ଓ ଶ୍ରୀମତୀଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି ।

କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ବ ଚାମ୍ପିଅନସିପ ହାସଲ କରିଥିବା ପ୍ରମୋଦ ଭାଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ଉପସ୍ଥିତ କ୍ରୀଡ଼ାବିତ୍‍ ଓ କ୍ରୀଡ଼ାପ୍ରେମୀମାନଙ୍କୁ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ଖେଳାଳିମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରୁଛନ୍ତି । ସେମାନଙ୍କ ଏହି ସଫଳତା ଓ କ୍ରୀଡ଼ା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ।

ଭୁବନେଶ୍ବରରେ ବର୍ତ୍ତମାନ ଧୀରେ ଧୀରେ ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି । କ୍ରୀଡ଼ା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ବୀକୃତି ପାଇଛି । ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ, ପୁରୁଷ ହକି ବିଶ୍ବ ଲିଗ୍‍ ଫାଇନାଲ ଓ ପୁରୁଷ ହକି ବିଶ୍ବକପପ ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ୍‍ ମହିଳା ହକି ବିଶ୍ବକପ କ୍ରୀଡ଼ା ଆୟୋଜନର ଆଶା ଉଜ୍ଜ୍ବଳ ହୋଇଛି ।

କ୍ରୀଡ଼ା ଆକାଶରେ ଭୁବନେଶ୍ବର ଏବେ ଏକ ଉଜ୍ବଳ ତାରକା ଭାବେ ସୁନାମ ଅର୍ଜନ କରିଛି । ବିଭିନ୍ନ କ୍ରୀଡ଼ା କ୍ଷେତ୍ର ଯଥା ଆଥଲେଟିକ୍ସ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ ଟ୍ରେନିଂ ଇନ୍‍ଷ୍ଟିଚ୍ୟୁଟମାନଙ୍କ ସହିତ ସହବନ୍ଧନ କରାଯଶଇଛି ।

ଏହି କାର୍ଯ୍ୟକ୍ରମରେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିଲିନ୍‍ କ୍ରିଷ୍ଣନ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

5 × 1 =