ଯୁବପୀଢ଼ିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଜରୁରୀ

ଭୁବନେଶ୍ୱର () : ଯୁବପିଢ଼ିଙ୍କୁ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ପ୍ରତ୍ୟେକ କ୍ଷେତ୍ରରେ ଅଭିନବ ଗବେଷଣା କରିବା ନିମନ୍ତେ ଉତ୍ସାହିତ କରିବା ସମାଜର ଦାୟିତ୍ୱ ଏବଂ ଏହା ଦ୍ୱାରା  ଜୀବନ ଧରଣର ମାନ ଉନ୍ନତ ହୋଇପାରିବ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।
ଜୀବନର ଗୁଣବତାକୁ ବଢ଼ାଇବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରମୁଖ ଭୂମିକା ରହିଛି । ବିଜ୍ଞାନର ଉନ୍ନତି ଘଟିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନକୌଶଳର ବ୍ୟବହାର ହୋଇପାରୁଛି । ବିଶେଷ ଭାବରେ ପରିବେଶ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ସହାୟକ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଦ୍ୱାରା ଆୟୋଜିତ ୫ ଦିନିଆ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୮କୁ ଉଦ୍ଘାଟନ କରିବା ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି ।
ଓଡ଼ିଶା ସରକାର ବିଜ୍ଞାନ କ୍ଷେତ୍ରରେ ଉନ୍ନତି ନେଇ ଅଧିକ ପଦକ୍ଷେପ ନେଉଛନ୍ତି ଏବଂ ବିଜ୍ଞାନର ଧାରା ଶିଶୁମାନଙ୍କ ମଧ୍ୟରେ କିଭଳି ଅଧିକ ବିକଶିତ ହୋଇପାରିବ ସେ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ତରରେ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । ସେହିପରି ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ନେଇ ଅଧିକ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରରେ ବିଜ୍ଞାନ ପାର୍କ ଏବଂ ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଚଳିତବର୍ଷର ଏନ୍ସିଏସ୍ସିର ପ୍ରସଙ୍ଗ “ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନୂତନ ପ୍ରବର୍ତନ”କୁ  ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରସଙ୍ଗକୁ ଠିକ୍ ଭାବେ ଉପଯୋଗ କରାଯାଇଛି  । କାରଣ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଦେଶର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ସମେତ ୧୦ଟି ଆସିଆନ୍ ଏବଂ ୫ଟି ଗଲ୍ଫ ରାଷ୍ଟ୍ରରୁ ୮୦୦ ଶିଶୁ ବୈଜ୍ଞାନିକ, ୪୦୦ ବୈଜ୍ଞାନିକ, ଇଭାଲୁଏଟର୍, ମେଂଟର୍ ଏବଂ ଅଭିଭାବକ ଏହି ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱରରେ ଏହି ନ୍ୟାସନାଲ କାଉନସିଲ୍ ଫର ସାଇନ୍ସ ଆଣ୍ଡ ଟେକ୍ନୋଲଜି କମ୍ୟୁନିକେଶନ ପକ୍ଷରୁ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେଉଥିବା ବେଳେ  ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମର ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ଧନ୍ୟବାଦ ଜଣାଇଥିଲେ ।
ଭୁବନେଶ୍ୱର ପୂର୍ବଭାରତରେ ନଲେଜ୍ ହବ୍ ପାଲଟିଥିବା ବେଳେ ଆଇଆଇଟି, ଏମ୍ସ, ନାଇଜର୍, ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଆଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଭଳି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା କେନ୍ଦ୍ର ଭୁବନେଶ୍ୱରରେ ସ୍ଥାପନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ପୋଷ୍ଟାଲ୍ କଭର ମଧ୍ୟ ଉନ୍ମୋଚନ କରିଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ସ୍କୁଲ୍ ଏବଂ ଗଣଶିକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ କହିଥିଲେ ଦେଶର ଉନ୍ନତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ସଂଶ୍ଳିଷ୍ଟ । ଏହାଦ୍ୱାରା ହିଁ ଜୀବନର ମାନ ବଢ଼ିଥାଏ । ଭାରତୀୟ ବୈଜ୍ଞାନିକମାନେ ମଙ୍ଗଳଗ୍ରହରେ ପହଂଚିସାରିଲେଣି ଏବଂ ଅନେକ କ୍ଷେତ୍ରରେ ଅଗ୍ରଗତି କରିଛନ୍ତି ବୋଲି ସେ କହିଥିଲେ ।
କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଜାତୀୟ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସୁଜିତ୍ ବାନାର୍ଜୀ କହିଥିଲେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ହେଉଛି ବିଜ୍ଞାନର ଉତ୍ସବ ଏବଂ ଶିଶୁମାନେ ଏହାକୁ ଉପଭୋଗ କରିବା ଉଚିତ୍  । ଚଳିତବର୍ଷ ଭାଗ ନେଇଥିବା ଶିଶୁ ବୈଜ୍ଞାନିକମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ଝିଅ ଅଛନ୍ତି ଏବଂ ୪୦ ପ୍ରତିଶତ ପିଲା ଗ୍ରାମାଂଚଳରୁ ଆସିଛନ୍ତି ଯାହାକି ଗ୍ରାମାଂଚଳ ଓ ସହରାଂଚଳ ମଧ୍ୟରେ ଥିବା ଅନ୍ତରକୁ ହ୍ରାସ କରୁଛି ବୋଲି ସେ କହିଥିଲେ ।
ଶିଶୁ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇ ଡକ୍ଟର ବାନାର୍ଜୀ କହିଥିଲେ ‘ବଡ଼ ସ୍ୱପ୍ନ ଦେଖ, ତାହାହେଲେ କିଛି ବଡ଼ ହାସଲ କରିପାରିବ’ । ଏହି ଉଦ୍ଘାଟନ ଉତ୍ସବରେ ସୋଆ ଡିମ୍ଡି ଟୁ ବି ୟୁନିଭର୍ସିଟିର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ସୋଆର ନିର୍ଦ୍ଦେଶକ (ଆଡ୍ମିଶନ୍) ପ୍ରଫେସର ମାନସ ମଲ୍ଲିକ ମଂଚାସିନ ଥିଲେ ।
Share

Leave a Reply

Your email address will not be published. Required fields are marked *

15 − fourteen =