ଛାୟା ବିଧାନସଭାରେ ସଂକଳ୍ପ : ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନ କରାଯାଉ

ଭୁବନେଶ୍ବର () ଭିକ୍ଷାବୃତ୍ତି ଓ ଶ୍ରମ କ୍ଷେତ୍ରରୁ ଉଦ୍ଧାର ସହ ଶିଶୁଙ୍କୁ ଥଇଥାନ କରାଯାଉ । ଶିଶୁକୁ ଶୋଷଣ, କଷଣ, ଚାଲାଣ ଏବଂ ନିର୍ଯାତନାରୁ ମୁକ୍ତି ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଉଦ୍ଧାର ଶିଶୁଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ଯୋଜନା କରନ୍ତୁ । ବିଶେଷ କରି ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନିଆଯାଉ। ଛାୟା ବିଧାନସଭାରେ ଶିଶୁମାନେ ଏଭଳି ମତ ରଖିଛନ୍ତି  ।

ଏପ୍ରିଲ ୩୦ରୁ ଜୁନ୍ ୧୨ ପର୍ଯ୍ୟନ୍ତ ୪୪ ଦିବସ ବ୍ୟାପୀ  ଶିଶୁ ଶ୍ରମ ପ୍ରଥା ବିଲୋପ ନିମନ୍ତେ ପିପୁଲ୍ସ କଲ୍ଚରାଲ ସେଣ୍ଟର (ପିକକ୍) ଦ୍ବାରା ଆୟୋଜିତ ଅଭିଯାନ ପରିପ୍ରେକ୍ଷୀରେ ଆଜି ଏକ ଛାୟା ବିଧାନସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ଓ ୟୁନିସେଫ ସହଯୋଗରେ ଏହା ଆୟୋଜିତ ହୋଇଥିଲା । ପ୍ଲାନ, ସିୱାଇଏସଡି, ସିଏସିଏଲ୍, ପିକକ୍ ଆଦି ସଂଗଠନ ଓ ଜନସାଧାରଣଙ୍କ ସହଯୋଗରେ ଶିଶୁ ଶ୍ରମିକ ପ୍ରଥା ବିଲୋପ ଅଧିନିୟମ ୨୦୧୭ ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଯୋଜନାକୁ ଭିତ୍ତି କରି ଏହି ‘ଶିଶୁ ଛାୟା ବିଧାନସଭା’ରେ ଶିଶୁମାନେ ସେମାନଙ୍କ ସମସ୍ୟା ଉପସ୍ଥାପନ ସହ ବିଧାନସଭାର କାର୍ଯ୍ୟାବଳି ବିଷୟରେ ଜାଣିବାର ସୁଯୋଗ ପାଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୧୪୦ ଜଣ ଶିଶୁ ଏଥିରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଓଏସ୍ପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଏସ୍ପିସିଆର୍  ସଦସ୍ୟ ହରିହର ନାୟକ, ପୁଲିସ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ, ଅତିରିକ୍ତ ଶ୍ରମ ଆୟୁକ୍ତ ଅଜୟ କୁମାର ପଟ୍ଟନାୟକ, ଶ୍ରମ ଓ ନିୟୋଜନ ବିଭାଗର ବୈଷୟିକ ସଂଯୋଜକ ଡଃ ଭକ୍ତବନ୍ଧୁ ଆଚାର୍ଯ୍ୟ, ଶ୍ରମ ଓ ନିୟୋଜନ ବିଭାଗର ସ୍ବତନ୍ତ୍ର ସଚିବ ଉମାକାନ୍ତ ତ୍ରିପାଠୀ, ଓଡ଼ିଶା ଶିଳ୍ପ ନିଗମର ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ର, ରାଜ୍ୟ ୟୁନିସେଫର ଅଳକା ଗୁପ୍ତା, ପିକକ୍ର ସମ୍ପାଦକ ରଂଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମତାମତକୁ ଗୁରୁତ୍ବ ଦେଇଥିଲେ ।

ପ୍ରଶ୍ନୋତର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୪ ଟି ଜିଲାରେ ବର୍ତମାନ ୭୯ ଜାତୀୟ ଶିଶୁଶ୍ରମ ପ୍ରକଳ୍ପ ବିଦ୍ୟାଳୟ କାର୍ଯ୍ୟ କରୁଅଛି । ଗତ ୫ ବର୍ଷ ଭିତରେ ୧, ୭୩,୫୦୮ ଶିଶୁ ଆନୁଷ୍ଠାନିକ ଶିକ୍ଷାର ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ଶିଶୁଶ୍ରମ ନିରୋଧ ଆଇନ୍ ଅନୁଯାୟୀ ୨୦୧୭ ମସିହାରେ ୬୦୨ ଟି କେସ୍ ଦାଖଲ କରାଯାଇଅଛି । ବିଭିନ୍ନ ଜିଲାରେ ୬ ଟି ଚଢଉ କରାଯାଇ ୩୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମ କ୍ଷେତ୍ରରୁ ଉଦ୍ଧାର ଶିଶୁଙ୍କୁ ଶିକ୍ଷା, ତଇଥାନ, ଦକ୍ଷତା ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଛାୟା ବିଧାନସଭାରେ ଯାହା ନିର୍ଣ୍ଣୟ ହେବ ସେ ବିଷୟ ବିଚାରକୁ ନିଆଯିବ ବୋଲି କହିଥିଲେ । ବିଭିନ୍ନ ଜିଲାରୁ  ୩୦୦ରୁ ଉର୍ଦ୍ଧ୍ବ ଶିଶୁ, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସରକାରୀ ପ୍ରତିନିଧି,  ଗଣମାଧ୍ୟମ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

14 − one =