ଉଠା ଦୋକାନୀ, ନଡିଆ ଚାଷୀ ଓ କୁକୁଡା ଚାଷୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ବର () ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସବୁ ସ୍ତରର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାସ୍ତାଗଡର ଉଠାଦୋକାନୀ, କୁକୁଡା ଚାଷୀ ଓ ନଡିଆ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏବାବଦରେ ପ୍ରାୟ 100 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସହରାଞ୍ଚଳରେ ଉଠାଦୋକାନୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଜୀବନ ଜୀବିକାର ପୁନରୁଦ୍ଧାର ପାଇଁ ସହାୟତା ଘୋଷଣା ହୋଇଛି । ବାତ୍ୟାରେ ପ୍ରଭାବିତ ହୋଇଥିବା 11ଟି ସହରାଞ୍ଚଳର ପ୍ରାୟ 30ହଜାର ଉଠାଦୋକାନୀଙ୍କୁ 10ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହି ସହାୟତା ସେମାନଙ୍କ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ ।

ବାତ୍ୟାରେ ନଡିଆ ଗଛଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହା ଉପକୂଳ ଅଂଚଳରେ ଜୀବନଜୀବିକା ଓ ରୋଜଗାରର ଏକ ମହତ୍ବପୂର୍ଣ୍ଣ ମାଧ୍ୟମ । ତେଣୁ ନଡିଆ ଚାଷୀଙ୍କୁ ପୂର୍ବରୁ ଘୋଷଣା ହୋଇଥିବା କୃଷି ଇନପୁଟ ସବସିଡି ଏବଂ ଚାରା ଓ ବୃକ୍ଷ ରୋପଣ ସହାୟତା ସହିତ କ୍ଷତିଗ୍ରସ୍ତ ହୋଇଥିବା ନଡିଆ ଗଛ ପିଛା 500 ଟଙ୍କା ଆର୍ଥିକ ସହାୟତା ମିଳିବ । ଜଣେ ଚାଷୀଙ୍କୁ ସର୍ବାଧିକ 25ଟି ନଡିଆ ଗଛ ପାଇଁ ଆର୍ଥିକ ସହାୟତା ଦିଆଯିବ ।

ଫନିରେ ଛୋଟ କୁକୁଡା ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇନ୍ତି । ବତ୍ୟା ପ୍ରଭାବିତ ଅଞ୍ଚଳରେ କୁକୁଡା ଚାଷୀଙ୍କୁ ବଏଲର ୟୁନିଟର ପୁନରୁଦ୍ଧାର ପାଇଁ 75 ପ୍ରତିଶତ ସବସିଡି ପ୍ରଦାନ କରାଯିବ । ଅନ୍ୟୁନ 500 କୁକୁଡା ରଖିଥିବା ୟୁନିଟକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ 2000 କ୍ଷୁଦ୍ର ବଏଲର ୟୁନିଟକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 5 =