ନବୀନଙ୍କ ଚତୁର୍ଥ ପାଳିର ଶେଷ କ୍ୟାବିନେଟ, ବିଧାନସଭା ଭଙ୍ଗ ପାଇଁ ସୁପାରିଶ

ଭୁବନେଶ୍ବର () ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିଟେନ ସୁପାରିଶ କରିଛି । ଏହା ଚଳିତ ସରକାରଙ୍କ ଶେଷ କ୍ୟାବିନେଟ ବୈଠକ ଥିଲା । ଆସନ୍ତା 23 ତାରିଖରେ ଭୋଟ ଗଣତି ପରେ ଗଠନ ହେବାକୁ ଥିବା ନୂଆ ସରକାର ଦାୟିତ୍ବ ନେବେ ।

କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ପଞ୍ଚଦଶ ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଢ଼ିଥିଲା। ୧୪୭ ସଦସ୍ୟ ବିଶିଷ୍ଟ ଏହି ବିଧାନସଭାରେ ବିଜେଡି ୧୧୭ ଆସନ ହାସଲ କରିଥିବା ବେଳେ କଂଗ୍ରେସ ୧୬, ଭାରତୀୟ ଜନତା ପାର୍ଟି ୧୦, ସିପିଏମ୍ ଓ ସମତା କ୍ରାନ୍ତି ଦଳ ଗୋଟିଏ ଲେଖାଏଁ ଆସନ ଜିତିଥିଲେ। ଏହା ବ୍ୟତୀତ ଦୁଇଜଣ ସ୍ବାଧୀନ ବିଧାୟକ (ସନାତନ ମହାକୁଡ ଓ ଉମାକାନ୍ତ ସାମନ୍ତରାୟ) ନିର୍ବାଚିତ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ଏହି ଆସନଟି ବିଜେଡି ଦଖଲକୁ ଯାଇଥିଲା । ବିଜେଡି ଏହି ଆସନରୁ ଦିବଂଗତ ନେତା ସୁବଳ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ବିଜେପୁର ଉପନିର୍ବାଚନ ପୂର୍ବରୁ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବା ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବାରୁ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା 119କୁ ବୃଦ୍ଧି ପାଇଥିଲା ।

ବିଧାନସଭାର ଶେଷ ହେବା ବେଳକୁ କେତେକ ଅଦଳବଦଳ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭ୍ୟ ପଦରୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଝାରସୁଗୁଡା ବିଧାୟକ ନବକିଶୋର ଦାସ, ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଇସ୍ତଫା ଦେଇଥିଲେ। ସେହିପରି ରାଉରକେଲାର ଭାରତୀୟ ଜନତା ପାର୍ଟି ବିଧାୟକ ଦିଲ୍ଲୀପ ରାୟ ସଭ୍ୟ ପଦ ତ୍ୟାଗ କରିଥିଲେ। ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ ଦଳରୁ ଇସ୍ତଫା ଦେଇ କଂଗ୍ରେସ ବିଧାୟକ ଦଳରେ ଯୋଗ ଦେଇଥିଲେ।

ନିୟମ ଦୃଷ୍ଟିରୁ ସମୁଦାୟ ଆସନ ସଂଖ୍ୟାର ଏକ ଦଶମାଂଶ କଂଗ୍ରେସ ଦଳ ହାସଲ କରିଥିବାରୁ ଏହାର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାର ବିରୋଧୀ ଦଳ ନେତାର ସ୍ବୀକୃତି ପାଇଥିଲେ। ତେବେ ଶେଷ ବେଳକୁ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ଆବଶ୍ୟକତାଠାରୁ କମି ଯାଇଥିଲେ ମଧ୍ୟ ସରକାରୀ ଦଳ ଆପତ୍ତି ନଉଠାଇବାରୁ ସେ ବିରୋଧୀ ଦଳ ନେତା ପଦ ବଜାୟ ରଖିଥିଲେ।

ପଞ୍ଚଦଶ ବିଧାନସଭା ୨୦୧୪ ମଇ ୨୫ ତାରିଖରେ ଗଠିତ ହୋଇଥିଲା। ଏହି ବିଧାନସଭାର ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶେଷ ଅଧିବେଶନ ଫେବ୍ରୁଆରି ୮ ତାରିଖରେ ସମାପ୍ତ ହୋଇଥିଲା। ଏହି ସଂକ୍ଷିପ୍ତ ଅଧିବେଶନରେ ୫୬,୯୨୧ କୋଟି ଟଙ୍କାର କାମଚଳା ବଜେଟ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଉପସ୍ଥାପିତ ହୋଇଥିଲା।

ବିଦାୟୀ ବିଧାନସଭାର ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ସଂସଦ ଓ ରାଜ୍ୟ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବା। ସେହିପରି ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ଏବଂ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଗ କରିବା ପାଇଁ ଦୁଇଟି ପ୍ରସ୍ତାବ ମଧ୍ୟ ଗୃହରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା। ରାଜ୍ୟରେ ଏକ ବିଧାନ ପରିଷଦ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଗତବର୍ଷ ସେପ୍ଟେମ୍ବର ମାସରେ ବିଧାନସଭାରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ତେବେ ବିଧାନ ପରିଷଦ ଗଠନ ଏବଂ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ଦିଗରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ।

Share

Leave a Reply

Your email address will not be published. Required fields are marked *

two × five =