Latestରାଜ୍ୟ

ଦୁଇ ମାସରେ ସରିବ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ

ବାତ୍ୟା ପାଇଁ ଶ୍ରମିକଙ୍କ ମଜୁରୀ ଦେଢ ଗୁଣା ବଢିଲା

ଶ୍ରମିକଙ୍କୁ ଦୈନିକ ଖାଦ୍ୟ ବାବଦରେ 150 ଟଙ୍କା

ପୂର୍ତ୍ତ ବିଭାଗର ନିୟମାବଳୀରେ ହେଲା ସଂଶୋଧନ

ଭୁବନେଶ୍ବର () ବାତ୍ୟା ଫନିର ତାଣ୍ଡବ 14ଟି ଉପକୂଳ ଜିଲ୍ଲାର ଚିତ୍ର ବଦଳାଇଦେଇଛି । ପ୍ରାୟ 1 କୋଟି 65 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବିପର୍ଯ୍ୟୟରେ 64 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେତେକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପାଇଁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯିବା ସହ ପୂର୍ତ୍ତ ବିଭାଗର ନିୟମାବଳୀରେ ସଂଶୋଧନ କରାଯାଇଛି ।

ବାତ୍ୟା ପରେ ବ୍ୟାପକ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ସ୍ଥିରିକୃତ ସର୍ବନିମ୍ନ ଦୈନିକ ମଜୁରୀର ଦେଢଗୁଣା ଅର୍ଥ ମଜୁରୀ ବାବଦରେ ପ୍ରଦାନ କରିବାକୁ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ଅଣକୁଳୀ ଶ୍ରମିକଙ୍କୁ 420ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ 480 ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ଦୈନିକ 555 ଟଙ୍କା ମଜୁରୀ ମିଳିବ ।

ଏଥିସହିତ ପ୍ରଥମ ଥର ପାଇଁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଦୈନିକ ଖାଦ୍ୟ ବାବଦରେ 150ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଶ୍ରମିକଙ୍କୁ ମଜୁରୀ ସହ ଖାଦ୍ୟ ପାଇଁ ମଧ୍ୟ ଅର୍ଥ ଦେବାକୁ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିଭଳି ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ପୂର୍ତ୍ତ ବିଭାଗର ନିୟମାବଳୀରେ କେତେକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ 2 ମାସ ମଧ୍ୟରେ ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । 5 ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର କାର୍ଯ୍ୟଗୁଡିକୁ ସମ୍ପର୍ଣ୍ଣ କରିବା ପାଇଁ ସମୟସୀମା ସାଧାରଣତଃ 1 ମାସରୁ ଉର୍ଦ୍ଧ୍ବ ହେବ ନାହିଁ । 5 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର କାର୍ଯ୍ୟଗୁଡିକୁ ସମ୍ପୁର୍ଣ୍ଣ କରିବା ପାଇଁ ସମୟସୀମା 2ମାସରୁ ଉର୍ଦ୍ଧ୍ବ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି  ।

ବିନା ଟେଣ୍ଡରରେ ସମ୍ପାଦନ ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟର ଅଟକଳକୁ ବିଭାଜନ କରାଯିବ ନାହିଁ । ତେବେ କୌଣସି କ୍ଷେତ୍ରରେ ଏପରି କରିବା ନିହାତି ଜୁରୁରୀ ଥିଲେ, ଯନ୍ତ୍ରୀମୁଖ୍ୟ ବି ମୁଖ୍ୟଯନ୍ତ୍ରୀ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଜନ କରିପାରିବେ । 20 ଲକ୍ଷରୁ ଅଧିକ ମୂଲ୍ୟର କାର୍ଯ୍ୟର ବିଭାଜନ ପାଇଁ ବିଭାଗୀୟ ପ୍ରଶାସନିକ ମୁଞ୍ଜୁରୀ ନେବାକୁ ପଡିବ ।

ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବା ପାଇଁ ମୁଖ୍ୟଯନ୍ତ୍ରଙ୍କ ଆର୍ଥିକ କ୍ଷମତା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । 5 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ପାଇଁ ସରକାରଙ୍କ ଅନୁମୋଦନ ନିଆଯିବ । ଜୁରୁରୀ ପରିସ୍ଥିତିରେ ପ୍ରଚଳିତ ନିୟମ କୋହଳ କରି ଆବଶ୍ୟକୀୟ ଯନ୍ତ୍ରପାତି ଓ ସାମଗ୍ରୀ ରଖିଥିବା ଉଚ୍ଚଶ୍ରେଣୀର କଣ୍ଟ୍ରାକ୍ଟରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇପାରିବ । ଏଥିପାଇଁ ଠିକାଦାର ଚୟନ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନରେ କରାଯିବ ।

ଜରୁରୀକାଳୀନ ଭିତ୍ତିରେ ହେଉଥିବା କାର୍ଯ୍ୟ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ସ୍ଥିରିକୃତ ସର୍ବନିମ୍ନ ଦୈନିକ ମଜୁରୀର ଦେଢ ଗୁଣା ଅର୍ଥ ମଜୁରୀ ବାବଦରେ ପ୍ରଦାନ କରାଯିବ । ଏହିସବୁ କାର୍ଯ୍ୟ ପାଇଁ ପ୍ରତିଟି କାର୍ଯ୍ୟ ପିଛା ସର୍ବୋଚ୍ଚ ସୀମା 20 ଲକ୍ଷ ଟଙ୍କା ରହିବ ।

ଉଦ୍ଧାର ଓ ଅନ୍ୟାନ ରିଲିଫ କାର୍ଯ୍ୟରେ ନିୟୋଜିତ 1200 ଅଗ୍ନିଶମ କର୍ମଚାରୀଙ୍କୁ ରାସନ ଭତ୍ତା ବାବଦରେ ମୁଣ୍ଡପିଛା 200 ଟଙ୍କା ହିସାବରେ 10 ଦିନ ପାଇଁ ରାଜ୍ୟ କିମ୍ବା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 24 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ 50 ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ଦୈନିକ ମୁଣ୍ଡପିଛା 200 ଟଙ୍କା ହିସାବରେ 10 ଦିନ ପାଇଁ ବିପର୍ଯ୍ୟୟ ପାଣ୍ଠିରୁ 1ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × three =